Champions Trophy 2025: ଚାମ୍ପିଅନ୍ସ ଟ୍ରଫି ସିଡ୍ୟୁଲ୍କୁ ନେଇ ବଡ଼ ଅପଡେଟ୍, କେଉଁଠି ଖେଳାଯିବ ଭାରତ ବନାମ ପାକିସ୍ତାନ ?
ପାକିସ୍ତାନରେ ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସିଡ୍ୟୁଲ୍ ଏକ ପ୍ରକାରର ସ୍ପଷ୍ଟ ହୋଇ ଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା କେଉଁ ମଇଦାନରେ ଖେଳାଯିବ ତାର ସୂଚନା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ନିଜର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ଦୁବାଇରେ ଖେଳିବ।
ଯଦି ଭାରତ ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚେ ତେବେ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ୟୁଏଇରେ ଆୟୋଜିତ ହେବ । ଶନିବାର ରାତିରେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ଓ ୟୁଏଇ କ୍ରିକେଟ୍ ବୋର୍ଡର ମୁଖ୍ୟ ଶେଖ ନାହୟାନ ଅଲ ମୁବାରକଙ୍କ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ନିରପେକ୍ଷ ସ୍ଥାନ ଭାବେ ଦୁବାଇକୁ ଚୟନ କରାଯାଇଛି ।

ନିକଟରେ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲ୍ ଖେଳାଯିବା ନେଇ ଲାଗି କେମିତି ହେବାର ପରିସମାପ୍ତ ଘଟିଥିଲା। କେବଳ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହାଇବ୍ରିଡ ମଡେଲରେ ଖେଳା ଯିବ ନାହିଁ ବରଂ ୨୦୨୭ ପର୍ଯ୍ୟନ୍ତ ଭାରତରେ ଖେଳା ଯିବାକୁ ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ ମଡେଲରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଭାରତୀୟ ଦଳ ପରି ପାକିସ୍ତାନ ମଧ୍ୟ ଭାରତ ଗସ୍ତ ନ କରି ନିଜର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳିବ।
ଉଲ୍ଲେଖନୀୟ ଚାମ୍ପିଅନ୍ସ ଟ୍ରଫିର ଶେଷ ସଂସ୍କରଣ ୨୦୧୭ରେ ଖେଳା ଯାଇଥିଲା। ଫାଇନାଲ୍ରେ ଭାରତୀୟ ଦଳକୁ ହରାଇ ପାକିସ୍ତାନ ଚାମ୍ପିଅନ୍ସ ହୋଇଛି। ଏଥର ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳ ଅଂଶଗ୍ରହଣ କରିବେ। ଏଥିରେ ଆୟୋଜକ ପାକିସ୍ତାନ ସମେତ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ ସାମିଲ।
ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସିଜିନ୍ ୧୯୯୮ରେ ଖେଳା ଯାଇଥିଲା। ଏ ପର୍ଯ୍ୟନ୍ତ ୮ଟି ସଂସ୍କରଣ ଖେଳା ଯାଇଥିବା ବେଳେ ପାକିସ୍ତାନରେ ନବମ ସଂସ୍କରଣ ଖେଳାଯିବ। ଏଥିରୁ ଭାରତ ଓ ଅଷ୍ଟ୍ରେଲିଆ ୨-୨ ଥର ଟାଇଟଲ୍ ଜିତିଛନ୍ତି। ଭାରତୀୟ ଦଳ ପ୍ରଥମ ଥର ୨୦୦୨ରେ ଶ୍ରୀଲଙ୍କା ସହିତ ଯୁଗ୍ମ ଚାମ୍ପିଅନ ହୋଇଥିଲା ।
ଏହାପରେ ୨୦୧୩ରେ ଦ୍ଵିତୀୟ ଥର ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ଭାରତ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା(୧୯୯୮), ନ୍ୟୁଜିଲାଣ୍ଡ(୨୦୦୦), ଓ୍ଵେଷ୍ଟଇଣ୍ଡିଜି(୨୦୦୪), ଅଷ୍ଟ୍ରେଲିଆ(୨୦୦୬, ୨୦୦୯) ଓ ପାକିସ୍ତାନ(୨୦୧୭)ରେ ଟାଇଟଲ୍ ଜିତିଥିଲା।












Click it and Unblock the Notifications