ଓଡ଼ିଶା ଆସୁଛନ୍ତି ବ୍ରୋଞ୍ଜ ପଦକ ବିଜେତା ପୁରୁଷ ହକି ଟିମ: ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିଅମ ଯାଏଁ ହେବ ବିଜୟ ଗୌରବ ଶୋଭାଯାତ୍ରା
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ଭାରତୀୟ ହକି ଟିମ୍ । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ବିଜେତା ଦଳକୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିଅମ ଯାଏଁ ଅନୁଷ୍ଠିତ ହେବ ବିଜୟ ଗୌରବ ଶୋଭାଯାତ୍ରା। ଭୁବନେଶ୍ୱରରେ ଥିବା ଓଡ଼ିଆ ହକି ତାରକା ଅମିତ ରୋହିଦାସ ଦଳ ସହ ଯୋଗଦେବା ପରେ ଖେଳାଳି ମାନଙ୍କୁ ବିମାନ ବନ୍ଦରରୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ସୁରକ୍ଷା ବ୍ୟବସ୍ଥା ସହ କଳିଙ୍ଗ ଷ୍ଟାଡିଅମ ପର୍ୟ୍ୟନ୍ତ ବିଜୟ ଗୌରବ ଶୋଭାଯାତ୍ରାରେ ନିଆଯିବ।
ମଧ୍ୟାହ୍ନ ୧୨ଟା ୩୦ରେ ଏୟାରପୋର୍ଟରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ଖେଳାଳି ମାନଙ୍କୁ ପାରମ୍ପରିକ ଓଡ଼ିଆ ଶୈଳୀରେ ପାଛୋଟି ନେବେ ପ୍ରଶଂସକ, ହକି ଇଣ୍ଡିଆର କର୍ମକର୍ତ୍ତା ଓ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ।

ପାଖାପାଖି ଦୁଇ ଘଣ୍ଟାର ରୋଡ଼ ଶୋ ପରେ କଳିଙ୍ଗ ଷ୍ଟାଡିୟମରେ ଫଟୋସୁଟରେ ସାମିଲ ହେବେ ଭାରତୀୟ ହକି ଦଳର ଖେଳାଳି। ସେଠାରେ ଆଦର ସତ୍କାର ପରେ ହୋଟେଲରେ ବିଶ୍ରାମ ନେବେ ଖେଳାଳି । ପରବର୍ତୀ ସମୟରେ ଅପରାହ୍ନରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଖେଳାଳି ମାନେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସମସ୍ତ ଖେଳାଳିଙ୍କୁ ରାଜ୍ୟସରକାର ଘୋଷଣା କରିଥିବା ପୁରସ୍କାର ରାଶି ପ୍ରଦାନ କରାଯିବ ।
ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି । ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି ।
ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଦିଆଯିବ। ଦଳରେ ଥିବା ସହଯୋଗୀ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ତେବେ ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା ହୋଇଛି ।












Click it and Unblock the Notifications