Ravichandran Ashwini: କାହିଁକି ଅବସର ନିଷ୍ପତ୍ତି ନେଲେ ରବିଚନ୍ଦ୍ରନ ଅଶ୍ୱିନ ?
ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଲାଗି ଅଭୂଲା ଦିନ ୧୮ ଡିସେମ୍ବର ୨୦୨୪ ଦିନ । କାରଣ ଏହି ଦିନ ଟିମ୍ ଇଣ୍ଡିଆ ବ୍ରିସବେନ୍ ଟେଷ୍ଟକୁ ଡ୍ର' କରିବାରେ ସଫଳ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ସନ୍ନ୍ୟାସ ଘୋଷଣା କରି ପୁରା ଦେଶକୁ ଚମକାଇଥିଲେ ।
ସିରିଜ ମଝିରେ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିଲେ। ଏହାପରେ ସମସ୍ତେ ତାଙ୍କର ଏଭଳି ନିଷ୍ପତ୍ତି ପଛରେ କ'ଣ କାରଣ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବୋଧହୁଏ ଏହାର ଅସଲ କାରଣ ସେ ନିଜ ସହ କରିଥିବା ପ୍ରତିଶ୍ରୁତି, ଯାହାକୁ ସେ ପାଳନ କରିବାକୁ ବିଫଳ ହୋଇଛନ୍ତି।
ଅଶ୍ୱିନ ୧୨ ବର୍ଷ ପୂର୍ବେ ନିଜକୁ ଏକ ପ୍ରତିଶ୍ରୁତି ଦେଇଥିଲେ, ଯାହାକି ଚଳିତ ବର୍ଷ ଭାଙ୍ଗି ଯାଇଛି। ଏହା ତାଙ୍କ ସନ୍ନ୍ୟାସ ନେବାର କାରଣ ବୋଲି କୁହାଯାଇଛି। ଏହା ଥିଲା ଭାରତରେ ପୁଣି କୌଣସି ସିରିଜରେ ପରାଜିତ ନ ହେବା। ବିସିସିଆଇ ତରଫରୁ ଶେୟାର କରାଯାଇଥିବା ସ୍ବତନ୍ତ୍ର ଭିଡିଓରେ ନିଜେ ଅଶ୍ୱିନ ଏନେଇ କହିଛନ୍ତି। ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜରେ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା। ଏହା ମୋ କ୍ୟାରିୟରର ଆରମ୍ଭ ଥିଲା। ନିଜକୁ କହିଥିଲି ଯେ ପୁଣି ଥରେ କେବେ ଆମେ ଘରେ ହାରିବୁ ନାହିଁ। ନିଜେ ମୁଁ ଏହି ପଣ ନେଇଥିଲି ବୋଲି ଅଶ୍ୱିନ କହିଛନ୍ତି।

ଗତ ମାସରେ ଅଶ୍ୱିନ ନିଜର ପ୍ରତିଜ୍ଞା ପୂରଣ କରି ପାରି ନ ଥିଲେ। କାରଣ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା। ଏହା କେବଳ ପରାଜୟ ନ ଥିଲା, ପ୍ରଥମ ଥର ଲାଗି ନ୍ୟୁଜିଲାଣ୍ଡ ଏଭଳି କାରନାମା କରି ଇତିହାସ ରଚିଥିଲା। ଏହି ପରାଜୟ ଅଶ୍ୱିନଙ୍କୁ ବଡ଼ ଧକ୍କା ପହଞ୍ଚାଇଥିଲା। ଏଥିଲାଗି ସେ ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।
୩୮ ବର୍ଷୀୟ କ୍ରିକେଟର ଆର୍ ଅଶ୍ୱିନ୍ଙ୍କ ନାଁରେ ଅନେକ ରେକର୍ଡ ରହିଛି। ସେ ଭାରତୀୟ ଟେଷ୍ଟ କ୍ରିକେଟର ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି। ବିଶ୍ୱ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ତାଲିକାର ୭ମ ସ୍ଥାନରେ ସେ ରହିଛନ୍ତି। ଟେଷ୍ଟ କ୍ରିକେଟରେ ଅଶ୍ୱିନ ୧୦୬ଟି ମ୍ୟାଚ ଖେଳି ମୋଟ ୫୩୭ଟି ନେଇଛନ୍ତି।
ସେହିପରି ODIରେ ୧୫୬ଟି ୱିକେଟ୍ ଓ ଟି-୨୦ରେ ୭୨ ୱିକେଟ୍ ତାଙ୍କ ନାଁରେ ରହିଛି। ଏହାର ଅର୍ଥ ଅନ୍ତର୍ଜାତୀୟ କ୍ରିକେଟରେ ସେ ୭୬୫ ୱିକେଟ୍ ନେଇଛନ୍ତି। ଏଥିସହିତ ସେ ସର୍ବାଧିକ ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଛନ୍ତି (୧୧ ଥର), ଯାହା ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ୍ଙ୍କ ରେକର୍ଡ ସହ ସମାନ।
କେବଳ ସ୍ପିନ୍ର୍ ନୁହନ୍ତି ଜଣେ ଭଲ ବ୍ୟାଟର ଭାବେ ମଧ୍ୟ ଅଶ୍ୱିନ୍ ନିଜର ଛାପ ଛାଡ଼ିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୩୫୦୩ ରନ୍ ସଂଗ୍ରହ କରି ମୋଟ ୬ ଶତକ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ମୋଟ ୮ଟି ଶତକ ରହିଛି।












Click it and Unblock the Notifications