Border Gavaskar Trophy: ଯଶସ୍ୱୀଙ୍କୁ ହୋଟେଲରେ ଛାଡ଼ି ପଳାଇଲା ବସ୍, ଆଉ ରୋହିତ
ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ୧୪ ତାରିଖରୁ ଆରମ୍ଭ ହେବ । ଏହି ମ୍ୟାଚ୍ ବ୍ରିସବେନ୍ କ୍ରିକେଟ ଗ୍ରାଉଣ୍ଡ ଗାବାରେ ଖେଳାଯିବ। ଭାରତୀୟ କ୍ରିକେଟ୍ ଦଳ ବ୍ରିସବେନରେ ପହଞ୍ଚି ସାରିଛି। ତେବେ ବ୍ରିସ୍ବେନ ଆସିବା ପୂର୍ବରୁ ଆଡିଲେଡ୍ରେ ଯୁବ କ୍ରିକେଟ ଯଶସ୍ୱୀ ଜୈସୱାଲଙ୍କ ଉପରେ ରାଗି ଯାଇଥିଲେ ରୋହିତ ଶର୍ମା। ଏମିତିକି ତାଙ୍କୁ ହୋଟେଲରେ ଛାଡ଼ି ପୂରା ଟିମ୍ ବ୍ରିସ୍ବେନ ଅଭିମୁଖେ ଯାତ୍ରା କରିବା ପାଇଁ ଆଡିଲେଡ୍ ବିମାନ ବନ୍ଦରକୁ ଚାଲି ଯାଇଥିଲା।
ଆଡିଲେଡ୍ରୁ ବ୍ରିସବେନ ଯିବା ପାଇଁ ଟିମ୍ ଇଣ୍ଡିଆର ଖେଳାଳି, କୋଚ୍ ଓ ଅନ୍ୟ ସମସ୍ତ ସଦସ୍ୟମାନେ ହୋଟେଲ୍ ଲବିରେଏକାଠି ହୋଇଥିଲେ । ଆଡିଲେଡ୍ ବିମାନ ବନ୍ଦର ପର୍ଯ୍ୟନ୍ତ ଯିବା ନିମନ୍ତେ ସେମାନଙ୍କ ପାଇଁ ଦୁଇଟି ବସ୍ର ବ୍ୟବସ୍ଥା ହୋଇଥିଲା। ସମସ୍ତେ ଲବିରେ ପହଞ୍ଚି ଯାଇଥିଲେ ହେଲେ ଯଶସ୍ୱୀ ଜୈସୱାଲଙ୍କ ଦେଖା ମିଳି ନଥିଲା। ଅଳ୍ପ ସମୟ ମଧ୍ୟରେ ସେ ଆସିଯିବେ ଭାବି ସମସ୍ତ ଖେଳାଳି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବସ୍ରେ ଯାଇ ବସିଥିଲେ। ସେମାନେ ସେଠାରେ ଯଶସ୍ୱୀଙ୍କୁ ଅପେକ୍ଷା କଲେ। କିଛି ସମୟ ଅପେକ୍ଷା କରିବା ସତ୍ତ୍ୱେ ଆସି ନଥିଲେ ଯଶସ୍ୱୀ। ତେଣୁ ଅଧିନାୟକ ରୋହିତ ଶର୍ମା ରାଗି ଯାଇଥିଲେ ଓ ସେମାନେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ । ଦୁଇଟି ଯାକ ବସ୍ ତାଙ୍କୁ ଛାଡ଼ି ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ଅବଶ୍ୟ ଟିମ୍ ମ୍ୟାନେଜମେଣ୍ଟ ଯଶସ୍ୱୀଙ୍କ ପାଇଁ ଏକ କାର୍ ବୁକ୍ କରି ଦେଇଥିଲେ ।

ଦୁଇଟି ଯାକ ବସ୍ ହୋଟେଲ ଛାଡ଼ିବାର ପ୍ରାୟ ୨୦ ମିନିଟ୍ ପରେ ଲବିରେ ଆସି ପହଞ୍ଚିଥିଲେ ଯଶସ୍ୱୀ ଜୈସୱାଲ। ବୁକ୍ ହୋଇଥିବା କାରରେ ବିମାନ ବନ୍ଦରକୁ ଯାଇଥିଲେ। ଜଣେ ସୁରକ୍ଷାକର୍ମୀ ତାଙ୍କ ସହିତ ବିମାନ ବନ୍ଦର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଟିମ୍ ସହିତ ସାମିଲ ହୋଇ ବିମାନ ଯୋଗେ ବ୍ରିସବେନ ଯାଇଥିଲେ ଯଶସ୍ୱୀ ।
ପର୍ଥରେ ବୃହତ୍ତ ବିଜୟ ପରେ ଆଡିଲେଡ୍ରେ ପିଙ୍କ୍ ଟେଷ୍ଟରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଏବେ ଏହି ସିରିଜ୍ରେ ଉଭୟ ଦଳ ୧-୧ ସ୍ଥିତିରେ ଥିବା ବେଳେ ଶନିବାରଠାରୁ ଆରମ୍ଭ ହେବ ତୃତୀୟ ଟେଷ୍ଟ । ଏହି ମ୍ୟାଚ୍ରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।












Click it and Unblock the Notifications