Border Gavaskar Trophy: ଆସିଲା ବଡ଼ ଖବର, ଏହି ଦୁଇ ଓପନର ପଡ଼ିବେ ବାଦ !
ପର୍ଥରେ ଖେଳାଯିବାକୁ ଥିବା ବର୍ଡର- ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଭାରତୀୟ ଦଳର ନେତୃତ୍ୱ ନେବେ। ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସେ ଏହି ଗୁରୁଦାୟିତ୍ୱ ବହନ କରିବେ। ବୁମ୍ରା ପୂର୍ବରୁ ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ପ୍ରଥମ ଟେଷ୍ଟରୁ ଟପ୍ ଅର୍ଡର ବ୍ୟାଟର ଶୁବମାନ ଗିଲ୍ ବାଦ୍ ପଡ଼ିଛନ୍ତି।
ଶନିବାର ପ୍ରାକ୍ଟିସ ମ୍ୟାଚ୍ ଖେଳିବା ବେଳେ ସେ ଆହତ ହୋଇଥିଲେ। ସ୍ଲିପ୍ରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ବଲ ବାଜିଥିଲା। ଫ୍ରାକ୍ଚର ହୋଇଥିବାରୁ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ସେହିପରି ଦ୍ୱିତୀୟଥର ପାଇଁ ପିତା ହେବାର ସୌଭାଗ୍ୟ ଲାଭ କରିଥିବା ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ଫଳରେ ବୁମ୍ରା ଏହି ମ୍ୟାଚ୍ରେ ଅଧିନାୟକ ଦାୟିତ୍ୱ ତୁଲାଇବେ।
ଇନିଂସ ଓପନ୍ କରିବେ ରାହୁଲ

ସେହିପରି ୱିକେଟରକ୍ଷକ ବ୍ୟାଟର ଲୋକେଶ ରାହୁଲ ଇନିଂସ ଓପନ୍ କରିବେ। ରାହୁଲ ଇତିମଧ୍ୟରେ ପର୍ଥର ୱାକା ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଶୁକ୍ରବାର ପ୍ରାକ୍ଟିସ ମ୍ୟାଚ୍ ଖେଳୁଥିବା ବେଳେ ରାହୁଲଙ୍କ ଡାହାଣହାତ କହୁଣୀରେ ବଲ୍ ବାଜିଥିଲା। ସେହିପରି ଫାଷ୍ଟ ବୋଲିଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ପର୍ଥରେ ଟେଷ୍ଟ ପଦାର୍ପଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଚତୁର୍ଥ ଦ୍ରୁତ ବୋଲର ଭାବେ ତାଙ୍କୁ ସୁଯୋଗ ମିଳିପାରେ। ଭାରତୀୟ ଦଳରେ ଆକାଶଦୀପ, ହର୍ଶିତ ରାଣା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି। ପର୍ଥରେ ୨୨ ତାରିଖରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ବର୍ଡର- ଗାଭାସ୍କର ଟ୍ରଫିରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ୩୬ ବର୍ଷ ପରେ ଭାରତ ଅଷ୍ଟ୍ରେଲିଆରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ।
ପଡିକାଲଙ୍କୁ ଅଷ୍ଟ୍ରେଲିଆରେ ରହିବାକୁ କୁହାଯାଇଛି
ସେପଟେ ଯୁବ ବ୍ୟାଟର ଦେବଦତ୍ତ ପଡ଼ିକାଲଙ୍କୁ ଅଷ୍ଟ୍ରେଲିଆରେ ରୋକା ଯାଇଛି। ସେ ଗତ ୨୦ ଦିନ ହେବ ଅଷ୍ଟ୍ରେଲିଆରେ ଥିଲେ ଓ ଭାରତ-ଏ ଦଳର ସଦସ୍ୟ ଥିଲେ ଓ ଅଷ୍ଟ୍ରେଲିଆ-ଏ ଦଳ ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଚୟନ କମିଟି ସହ ଆଲୋଚନା କରି ପଡ଼ିକାଲଙ୍କୁ ସିନିଅର ଦଳରେ ବ୍ୟାକ୍ଅପ୍ ହିସାବରେ ଅଷ୍ଟ୍ରେଲିଆରେ ରହିବାକୁ କୁହାଯାଇଛି। ପଡ଼ିକାଲ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ଓ ୬୫ ରନ ସଂଗ୍ରହ କରିଥିଲେ। ନିକଟରେ ଅନୁଷ୍ଠିତ ଅଷ୍ଟ୍ରେଲିଆ- ଏ ବିପକ୍ଷ ଟେଷ୍ଟ ସିରିଜରେ ସେ ୪ଟି ପାଳିରୁ ୧୫୧ ରନ ସଂଗ୍ରହ କରିଥିଲେ ଓ ୮୮ ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା।
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ରୋହିତ ଦଳରେ ଯୋଗ ଦେବେ
ଆଡିଲେଡ୍ରେ ଡିସେମ୍ବର ୬ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହା ଦିବାରାତ୍ର ଭିତ୍ତିକ ହେବ। ଏହି ମ୍ୟାଚ୍ ପୂର୍ବରୁ ରୋହିତ ଦଳରେ ଯୋଗ ଦେବେ। ପ୍ରଥମ ଓ ଦ୍ୱିତୀୟ ଟେଷ୍ଟ ମଧ୍ୟରେ ୯ ଦିନର ବ୍ୟବଧାନରେ ରହିଥିବାରୁ ରୋହିତ ଭାରତୀୟ ଦଳରେ ଯୋଗ ଦେବା ଏକପ୍ରକାର ନିଶ୍ଚିତ ହୋଇଛି। ରୋହିତଙ୍କ ପତ୍ନୀ ଋତିକା ଗତ ୧୫ ତାରିଖ ରାତିରେ ଏକ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ପରିବାର ସହିତ ସମୟ ବିତାଇବା ପାଇଁ ରୋହିତ ପ୍ରଥମ ଟେଷ୍ଟ ଖେଳିବେ ନାହିଁ ବୋଲି କୁହାଯାଇଛି।
୨୦୧୪-୧୫ରୁ ଭାରତକୁ ହରାଇନାହିଁ ଅଷ୍ଟ୍ରେଲିଆ
ଗତ ୪ଟି ସିରିଜରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ପରାସ୍ତ କରିପାରିନାହିଁ। ଶେଷଥର ପାଇଁ ୨୦୧୪-୧୫ରେ ଭାରତକୁ ହରେଇବାକୁ ଅଷ୍ଟ୍ରେଲିଆ ସମର୍ଥ ହୋଇଥିଲା। ସେତେବେଳେ ଷ୍ଟିଭ୍ ସ୍ମିଥ୍ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ୨-୦ରେ ଭାରତକୁ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା। କିନ୍ତୁ ଏଥର ଭାରତକୁ ହରାଇ ଅଷ୍ଟ୍ରେଲିଆ ୯ ବର୍ଷ ପରେ ପ୍ରଥମ ସିରିଜ ଜିତିବା ଲକ୍ଷ୍ୟରେ ରହିଛି।












Click it and Unblock the Notifications