ବର୍ଡର-ଗାଭାସ୍କର ଟ୍ରଫି: ଲଢ଼େଇ ସମ୍ମାନ ପାଇଁ, ଗୌରବ ପାଇଁ .. କାହିଁକି ସ୍ବତନ୍ତ୍ର ଏହି ସିରିଜ ?

୨୨ ତାରିଖରୁ ପର୍ଥରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି । ଏହା କେବଳ ଏକ ସିରିଜ୍‌ ନୁହେଁ, ବିଶ୍ୱ କ୍ରିକେଟର ଦୁଇ ଟେଷ୍ଟ ମହାଶକ୍ତିଙ୍କ ମଧ୍ୟରେ ମହାଲଢ଼େଇ । ଏ ଲଢ଼େଇ ସମ୍ମାନ ପାଇଁ, ଗୌରବ ପାଇଁ । ୨୦୨୦-୨୧ ଗସ୍ତରେ ଭାରତ ଗାବାରେ ଯେଉଁଭଳି ବିଜୟ ହାସଲ କରିଥିଲା ତାହା ମନେ ପଡ଼ିଲେ କ୍ରିକେଟ୍‌ ପ୍ରଶଂସକଙ୍କ ମନ ଏବେବି ଆନ୍ଦୋଳିତ ହୁଏ ।

ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଯେଉଁଭଳି ଭାବେ ଘରୋଇ ସିରିଜ ହାତଛଡ଼ା କଲା, ତାହାକୁ ପ୍ରଶଂସକ ସହଜରେ ଗ୍ରହଣ କରିପାରି ନଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟି-ଟ୍ୱେଣ୍ଟି ଦଳ ଦକ୍ଷିଣ ଆଫ୍ରିକାରେ ସିରିଜ୍‌ (୩- ୧) ଜିତିବା ପରେ ଦର୍ଶକ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି । ଫଳରେ ଟେଷ୍ଟ ଦଳରେ ଥିବା ବରିଷ୍ଠ ଖେଳାଳିଙ୍କୁ ସମାଲୋଚନା ଏକ ପ୍ରକାର ବନ୍ଦ ହୋଇଛି । ସେପଟେ ଅଷ୍ଟ୍ରେଲିଆର ପର୍ଥରେ ଟେଷ୍ଟ ଦଳ ପହଞ୍ଚି ଅଭ୍ୟାସ ଜାରି ରଖିଛି । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବାକୁ ଭାରତ ରଣନୀତି ପ୍ରସ୍ତୁତ କରୁଛି ।

Border-Gavaskar Trophy

ଆଲାନ ବର୍ଡର ଏବଂ ସୁନୀଲ ଗାଭାସ୍କର

୧୯୯୬ ମସିହାରୁ ଅଷ୍ଟ୍ରେଲିଆ ଓ ଭାରତର ଦୁଇ କିମ୍ବଦନ୍ତୀ ଆଲାନ ବର୍ଡର ଏବଂ ସୁନୀଲ ଗାଭାସ୍କରଙ୍କ ନାମରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଥିଲା । ଦିଲ୍ଲୀରେ ଗୋଟିଏ ଟେଷ୍ଟ ଖେଳାଯାଇଥିଲା, ଭାରତ ୭ ୱିକେଟ୍‌ରେ ଜିତି ଟ୍ରଫି ହାସଲ କରିଥିଲା । ସେବେଠାରୁ ଏହି ସିରିଜ ଆୟୋଜନ କରାଯାଉଛି ।

୧୯୯୭-୯୮ (୨-୧), ୨୦୦୦-୦୧ (୨- ୧), ୨୦୦୮-୦୯(୨-୦), ୨୦୧୦-୧୧ (୨-୦), ୨୦୧୨-୧୩ (୪-୦) , ୨୦୧୬-୧୭(୨-୧), ୨୦୧୮-୧୯ (୨-୧), ୨୦୨୦-୨୧ (୨-୧) ଏବଂ ୨୦୨୨-୨୩ (୨-୧)ରେ ଭାରତ ଟ୍ରଫି ଜିତିଛି । ଗୋଟିଏ ଡ୍ର' ରହିଥିବାବେଳେ ଅବଶିଷ୍ଟ ସିରିଜ ଅଷ୍ଟ୍ରେଲିଆ ଜିତିବାରେ ସଫଳ ହୋଇଛି । ସବୁଠୁ ବଡ଼ କଥା ହେଉଛି ୨୦୧୬-୧୭ରୁ ଟ୍ରଫି ଭାରତରେ ରହିଛି ।

ଏଥର ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌

ପୂର୍ବରୁ ୨,୩ ଓ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳାଯିବାର ନଜିର ରହିଛି । ଏଥର (୨୦୨୪-୨୫) ସିରିଜକୁ ୫ ମ୍ୟାଚ୍‌ ବିଶିଷ୍ଟ କରାଯାଇଛି । ପ୍ରଥମ ଟେଷ୍ଟ ପର୍ଥରେ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଗୋଟିଏ ଅଭ୍ୟାସ ମ୍ୟାଚ୍‌ ପରେ ପୁଣି ଡିସେମ୍ବର ୬ ତାରିଖରୁ ଆଡିଲେଡ୍‌ରେ (ଦିବାରାତ୍ର) ଦ୍ୱିତୀୟ ଟେଷ୍ଟ, ୧୪ରୁ ବ୍ରିସବେନରେ ଦ୍ୱିତୀୟ, ୨୬ରୁ ମେଲବର୍ଣ୍ଣରେ ଚତୁର୍ଥ ଏବଂ ଜାନୁଆରୀ ୩ରୁ ସିଡ୍‌ନୀରେ ପଞ୍ଚମ ଟେଷ୍ଟ ଆରମ୍ଭ ହେବାର ସୂଚୀ ରହିଛି । ୨୦୨୦-୨୧ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ୨-୧ରେ (୪ ମ୍ୟାଚ୍‌) ସିରିଜ ଜିତିଥିଲା । ୨୦୨୨-୨୩ରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସି (୪ ମ୍ୟାଚ୍‌) ୨-୧ରେ ସିରିଜ ପରାଜିତ ହୋଇଥିଲା ।

ଘରୋଇ ସିରିଜ ଦେଇଛି ବ୍ୟଥା

ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ୩-୦ରେ ହାରିବା ପରେ ଭାରତୀୟ ପ୍ରଶଂସକ ବ୍ୟଥିତ ହୋଇଥିଲେ । ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଓ ଆର. ଅଶ୍ୱିନଙ୍କ କ୍ୟାରିୟରକୁ ନେଇ ଗଣମାଧ୍ୟମରେ ବିଭିନ୍ନ ସମାଲୋଚନା ପ୍ରକାଶ ପାଇଥିଲା । ଯଦି ଭାରତ ବର୍ଡର-ଗାଭାସ୍କର ସିରିଜ ହାତଛଡ଼ା କରେ ତେବେ ଏହି ୪ ଖେଳାଳିଙ୍କ ମଧ୍ୟରୁ ୨ ଜଣଙ୍କୁ ଆଗାମୀ ଘରୋଇ ସିରିଜରେ ଦେଖିବାକୁ ମିଳିବ ନାହିଁ ବୋଲି ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଥିଲା ।

ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସନ୍ତାନର ବାପା ହୋଇଥିବାରୁ ପ୍ରଥମ ଟେଷ୍ଟ ଖେଳିବେ ନାହିଁ । ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ନେତୃତ୍ୱ ନେବେ । ବରିଷ୍ଠ ମାନଙ୍କ ସହ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ । ଯଶସ୍ୱୀ ଜୈସ୍ୱାଲ, ଶୁଭମନ ଗିଲ, ରିଷଭ ପନ୍ତ, ସର୍ଫରାଜ ଖାନ, ଧ୍ରୁବ ଜୁରେଲ ଓ ୱାସିଂଟନ ସୁନ୍ଦରଙ୍କୁ ନେଇ ଭାରତୀୟ ଯୁବଶକ୍ତି ନୂଆ ଲଢ଼େଇ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପୂର୍ବ ଗସ୍ତରେ ଗିଲ, ପନ୍ତ ଓ ସୁନ୍ଦର ସାମିଲ ରହିଥିଲେ । ତେଣୁ ସେମାନେ ଅଷ୍ଟ୍ରେଲିଆ ଜଳବାୟୁ ସହ ପରିଚିତ ।

ସଚିନ ଶୀର୍ଷରେ

ଏହି ସିରିଜ୍‌ରେ ସଚିନ ତେନ୍ଦୁଲକରଙ୍କ ନାମରେ ସର୍ବାଧିକ ୩୨୬୨ ରନ୍‌ କରିଛି । ୩୪ଟି ମ୍ୟାଚ୍‌ ଖେଳି ସେ ୬ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆର ରିକି ପଣ୍ଟିଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୨୯ଟି ମ୍ୟାଚ୍‌ ଖେଳି ୮ଟି ଶତକ ସହ ୨୫୫୫ ରନ କରିଥିଲେ । ଭିଭିଏସ ଲକ୍ଷ୍ମଣ ତୃତୀୟ (୨୪୩୪ ରନ୍‌, ୨୮ ମ୍ୟାଚ୍‌, ୬ ଶତକ), ରାହୁଲ ଦ୍ରାବିଡ଼ ଚତୁର୍ଥ (୨୧୪୩ ରନ୍‌, ୩୨ ମ୍ୟାଚ୍‌, ୨ ଶତକ), ମାଇକେଲ କ୍ଲାକ ପଞ୍ଚମ (୨୦୪୯ ରନ୍‌, ୨୨ ମ୍ୟାଚ୍‌, ୭ ଶତକ), ଚେତେଶ୍ୱର ପୂଜାରା ଷଷ୍ଠ (୨୦୩୩ ରନ୍‌, ୨୪ ମ୍ୟାଚ୍‌,୫ ଶତକ) ଏବଂ ବିରାଟ କୋହଲି ସପ୍ତମ (୧୯୭୯ ମ୍ୟାଚ୍‌, ୨୪ ମ୍ୟାଚ୍‌, ୮ ଶତକ) ସ୍ଥାନରେ ରହିଛନ୍ତି ।

ସିରିଜରେ ସଚିନଙ୍କ ନାମରେ ସର୍ବାଧିକ ଶତକ ରେକର୍ଡ (୯ଟି) ରହିଛି । କୋହଲି ଆଉ ଗୋଟିଏ ଶତକ (୮) ହାସଲ କଲେ ତାଙ୍କ ରେକର୍ଡର ସମକକ୍ଷ ହେବେ ।

ଅଶ୍ୱିନଙ୍କ ପାଖରେ ରେକର୍ଡ

ସୁଯୋଗ ସର୍ବାଧିକ ୱିକେଟ୍‌ ହାସଲ କରିବା ତାଲିକାରେ ଅଷ୍ଟ୍ରେଲିଆର ନାଥନ ଲାୟନ ଶୀର୍ଷରେ ରହିଛନ୍ତି । ସେ ୨୬ଟି ମ୍ୟାଚ୍‌ରୁ ୧୧୬ଟି ୱିକେଟ୍‌ ନେଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଥିବା ଆର.ଅଶ୍ୱିନ ୨୨ଟି ମ୍ୟାଚ୍‌ରୁ ୧୧୪ଟି ୱିକେଟ୍‌ ପାଇଛନ୍ତି । ଉଭୟ ନିଜ ନିଜ ଦଳରେ ରହିଛନ୍ତି । ଚୂଡ଼ାନ୍ତ ଏକାଦଶରେ କିଏ ରହିବ ତାହା ସମୟ କହିବ । ମାତ୍ର ଏବେ ଲାୟନଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ଅଶ୍ୱିନଙ୍କ ପାଖରେ ରହିଛନ୍ତି । ତେଣୁ ଏହି ଦୁଇ ସ୍ପିନର ସିରିଜରେ ମୁଖ୍ୟ ଆକର୍ଷଣ ସାଜିବେ ।

ସର୍ବାଧିକ ୱିକେଟ୍‌ ହାସଲ ତାଲିକାରେ ଅନୀଲ କୁମ୍ବଲେ ତୃତୀୟ (୨୦ ମ୍ୟାଚ୍‌, ୧୧୧ ୱିକେଟ୍‌), ହରଭଜନ ସିଂ ଚତୁର୍ଥ ( ୧୮ ମ୍ୟାଚ୍‌, ୯୫ ୱିକେଟ୍‌) ଏବଂ ରବିନ୍ଦ୍ର ଜାଡେଜା ପଞ୍ଚମ ସ୍ଥାନରେ (୧୮ ମ୍ୟାଚ୍‌, ୮୫ ୱିକେଟ୍‌) ରହିଛନ୍ତି । ଜାହିର ଖାନ (୬୧ ୱିକେଟ୍‌) ଏବଂ ଈଶାନ୍ତ ଶର୍ମା (୫୯ ୱିକେଟ୍‌) ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ଅଛନ୍ତି ।

ଆଇସିସି ମାନ୍ୟତା ହେଉ କିମ୍ବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲ ସବୁଥିରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ଅଛି । ଅଷ୍ଟ୍ରେଲିଆ ୧୨୪ ରେଟିଂ ସହ ଆଇସିସି ମାନ୍ୟତାରେ ପ୍ରଥମ ଏବଂ ଭାରତ (୧୧୧) ଦ୍ୱିତୀୟ ସ୍ଥାନରେ ରହିଛି ।

ଉଭୟ ଦଳ ବିଶ୍ୱ ଟେଷ୍ଟରେ ମହାଶକ୍ତି । ତେଣୁ ଏ ସିରିଜ୍‌ ହିଁ ଦୁଇ ମହାଶକ୍ତି ମଧ୍ୟରେ ଲଢ଼େଇ । ସାରା ବିଶ୍ୱର କ୍ରିକେଟ ଖେଳୁଥିବା ଦେଶ ଏହା ଉପରେ ନଜର ରଖିବେ ।

ପ୍ରଥମ ଟେଷ୍ଟ ନଭେମ୍ବର ୨୨ରୁ ୨୬ ସ୍ଥାନ: ପର୍ଥ

ଦ୍ୱିତୀୟ ଟେଷ୍ଟ(ଦିବାରାତ୍ର) ଡିସେମ୍ବର ୬ରୁ ୧୦ସ୍ଥାନ: ଆଡିଲେଡ୍‌

ତୃତୀୟ ଟେଷ୍ଟ ଡିସେମ୍ବର ୧୪ରୁ ୧୮ସ୍ଥାନ: ବ୍ରିସବେନ

ଚତୁର୍ଥ ଟେଷ୍ଟଡିସେମ୍ବର ୨୬ରୁ ୩୦ସ୍ଥାନ: ମେଲବର୍ଣ୍ଣ

ପଞ୍ଚମ ଟେଷ୍ଟଜାନୁଆରୀ ୩ରୁ ୭ସ୍ଥାନ: ସିଡନୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+