BCCI: ବଦଳିବେ ରାହୁଲ ଦ୍ରାବିଡ; ମୁଖ୍ୟ କୋଚ ପଦ ପାଇଁ ଆବେଦନ ଆରମ୍ଭ କଲା ବିସିସିଆଇ
ବଦଳିବେ ରାହୁଲ ଦ୍ରାବିଡ । ଭାରତୀୟ ପୁରୁଷ ସିନିୟର ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ତାଙ୍କ କାର୍ଯ୍ୟକାଳ ଜୁନ ମାସରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଶେଷ ହେବ ।
ଆଉ ସେଥିପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (BCCI) ମୁଖ୍ୟ କୋଚ ପଦ ପାଇଁ ଆବେଦନ ଆରମ୍ଭ କରିଛି । ସୋମବାର ବିଳମ୍ବିତ ରାତିରେ ବିସିସିଆଇ ମୁଖ୍ୟ କୋଚ ପ୍ରାର୍ଥୀଙ୍କ ପାଇଁ ବିଜ୍ଞାପନ ପ୍ରକାଶ କରିଛି ।
ତେବେ ପ୍ରାର୍ଥୀମାନେ ଏହି ପଦ ପାଇଁ ୨୭ ମେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। କୋଚମାନଙ୍କ ପାଇଁ ଚୟନ ପ୍ରକ୍ରିୟା ଆବେଦନଗୁଡ଼ିକର ସମୀକ୍ଷା ମାଧ୍ୟମରେ ହେବ, ତା'ପରେ ବ୍ୟକ୍ତିଗତ ସାକ୍ଷାତକାର ଏବଂ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ ହେବ।

ଆବେଦନ କରିବାକୁ ଯୋଗ୍ୟତା କ'ଣ ହେବା ଉଚିତ୍
- ମୁଖ୍ୟ ପ୍ରଶିକ୍ଷକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ବିସିସିଆଇ କିଛି ଯୋଗ୍ୟତା ଏବଂ ସର୍ତ୍ତ ସ୍ଥିର କରିଛି ।
- ଅତିକମରେ ୨୦ଟି ଟେଷ୍ଟ କିମ୍ବା ୫୦ଟି ଦିନିକିଆ ମ୍ୟାଚ ଖେଳିବାର ଅଭିଜ୍ଞତା ଥିବା ଆବଶ୍ୟକ
- ଅତିକମରେ ଦୁଇ ବର୍ଷ ଧରି ଏକ ପୂର୍ଣ୍ଣ ସଦସ୍ୟ ଟେଷ୍ଟ ଖେଳୁଥିବା ଦେଶର ମୁଖ୍ୟ କୋଚ ହେବା ଜରୁରୀ
- ଅତିକମରେ ୩ ବର୍ଷ ପାଇଁ ଏକ ଆଇପିଏଲ ଦଳର ଆସୋସିଏଟ ମେମ୍ବର କିମ୍ବା ହେଡ କୋଚ କିମ୍ବା ଏହାର ସମାନ ଇଣ୍ଟରନ୍ୟାଶନାଲ ଲିଗ କିମ୍ବା ପ୍ରଥମ ଶ୍ରେଣୀ ଦଳ କିମ୍ବା ନ୍ୟାଶନାଲ ଏ ଦଳ ହେବା ଜରୁରୀ
- ବିସିସିଆଇ ଲେବଲ ୩ କିମ୍ବା ସମାନ ପ୍ରମାଣପତ୍ର ଥିବା ଆବଶ୍ୟକ
- ବୟସ ୬୦ ବର୍ଷରୁ କମ ହେବା ଉଚିତ୍
ଟିମ ଇଣ୍ଡିଆର ନୂତନ ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ ଜୁଲାଇ ୧, ୨୦୨୪ରୁ ଆରମ୍ଭ ହେବ, ଯାହା ଡିସେମ୍ବର ୩୧, ୨୦୨୭ ପର୍ଯ୍ୟନ୍ତ ଚାଲିବ। ନୂତନ ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ ଇଣ୍ଡିଆ ମୋଟ ୫ଟି ଆଇସିସି ଟ୍ରଫି ଖେଳିବ, ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫି, ଟି-୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ ଏବଂ ୨ଟି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅନ୍ତର୍ଭୁକ୍ତ ।












Click it and Unblock the Notifications