ବର୍ମିଂହାମ ଟେଷ୍ଟ୍: ଗିଲଙ୍କ ଶତକ, ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୧୦ ରନ୍ କଲା ଭାରତ
ବର୍ମିଂହାମ ଟେଷ୍ଟ୍ । ଗିଲଙ୍କ ଶତକ, ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୧୦ ରନ୍ କଲା ଭାରତ । ଓପନର୍ ଯଶସ୍ବୀ ଜୟସ୍ବାଲ୍ (୮୭) ଓ ଅଧିନାୟକ ଶୁବମନ ଗିଲ୍ (୧୧୪*)ଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ଇଂଲଣ୍ଡ ବିପକ୍ଷ ବର୍ମିଂହାମ ଟେଷ୍ଟ୍ର ପ୍ରଥମ ଦିନ ସମ୍ମାନ ଆପାତତଃ ଭାରତ ଖାତାକୁ ଯାଇଛି। ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୧୦ ରନ୍ କରି ନେଇଛି ଭାରତ। ଅବିଭାଜିତ ଷଷ୍ଠ ୱିକେଟ୍ରେ ୯୯ ରନ୍ ଯୋଡ଼ିଥିବା ଗିଲ୍ ଏବଂ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା(୪୧*) ଅପରାଜିତ ରହିବା ଟିମ ଇଣ୍ଡିଆକୁ ଆହୁରି ଟାଣୁଆ କରିଛି।
ବୁଧବାର କେଏଲ୍ ରାହୁଲ ମାତ୍ର ୨, କରୁଣ ନାୟର ୩୧ ଓ ଋଷଭ ପନ୍ତ ୨୫ ରନ୍ରେ ଆଉଟ୍ ହେବା ଭାରତକୁ ଅଡ଼ୁଆରେ ପକାଇଥିଲା। ପୁଣି ବ୍ୟାଟିଂକୁ ଅଧିକ ବଳ ଦେବା ଲାଗି ନୀତୀଶ କୁମାର ରେଡ୍ଡୀଙ୍କୁ ଖେଳାଇ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଯେଉଁ ଜୁଆ ଖେଳିଥିଲେ ତାହା ମଧ୍ୟ ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥଲା। ଏହା ପରେ ଜୟସ୍ବାଲ ଓ କରୁଣ ନାୟର ୮୦ ରନ୍ର ଭାଗୀଦାରି କରି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ।
ଲୟ ଜମାଇ ଆସୁଥିବା ନାୟରଙ୍କୁ ବ୍ରାଇଡନ୍ କାର୍ସ ସାଥୀ ଖେଳାଳି ହ୍ୟାରି ବ୍ରୁକ୍ଙ୍କ ହାତରେ କ୍ୟାଚ୍ କରାଇ ଉଭୟଙ୍କୁ ଅଲଗା କରିଥିଲେ। ଜୟସ୍ବାଲଙ୍କ ସହ ଯୋଗ ଦେଇଥିବା ଗିଲ୍ ଧୈର୍ଯ୍ୟର ସହ ଖେଳି ତୃତୀୟ ୱିକେଟ୍ରେ ୬୬ ରନ୍ ସଂଗ୍ରହ କରିଥିଲେ। ଜୟସ୍ବାଲ ଧୀରେଧୀରେ ଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ପ୍ରତିପକ୍ଷ ଅଧିନାୟକ ବେନ୍ ଷ୍ଟୋକ୍ସ ଭାରତକୁ ସବୁଠୁ ବଡ଼ ଝଟ୍କା ଦେଇଥିଲେ। ଆଉଟ୍ ସୁଇଂ ବଲ୍ରେ ଜୟସ୍ବାଲଙ୍କୁ ଚକ୍ମା ଦେବା ସହ ଶତକର ୧୩ ରନ୍ ପୂର୍ବରୁ ତାଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଜୟସ୍ବାଲ୍ ନିର୍ଣ୍ଣାୟକ ମୋଡ଼ରେ ହାତ ଛାଡ଼ିବା ଏବଂ ନୀତୀଶ ନିରାଶ କରିବା ପରେ ଗିଲ୍ ଓ ରବୀନ୍ଦ୍ର ଜାଡ଼େଜା ଲଢ଼ିଥିଲେ। ଗିଲ୍ ଅପୂର୍ବ ଏକାଗ୍ରତାର ପରିଚୟ ଦେଇ ୧୯୯ ବଲ୍ରୁ ସପ୍ତମ ଏବଂ ଅଧିନାୟକ ଭାବେ ଦ୍ବିତୀୟ ଶତକ ହାସଲ କରିଥିଲେ। ଜାଡ଼େଜା ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଅର୍ଦ୍ଧଶତକଠାରୁ ମାତ୍ର ୯ ରନ୍ ଦୂରରେ ଥିଲେ।

ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି ୮୫ ଓଭରରେ ୩୧୦/୫ (ଶୁବମନ ଗିଲ୍ ୧୧୪*, ଯଶସ୍ବୀ ଜୟସ୍ବାଲ୍ ୮୭, ଋଷଭ ପନ୍ତ ୨୫, କରୁଣ ନାୟର ୩୧, ରବୀନ୍ଦ୍ର ଜାଡ଼େଜା ୪୧*, , କ୍ରିସ୍ ଓକ୍ସ ୨/୫୯, ବ୍ରାଇଡନ୍ କାର୍ସ ୧/୪୯, ସୋଏବ୍ ବଶିର୍ ୧/୬୫)।
ପାଞ୍ଚଟିକିଆ ଶୃଙ୍ଖଳାରେ ୦-୧ରେ ପଛୁଆ ଥାଇ ଭାରତ ବର୍ମିଂହାମ ଟେଷ୍ଟ୍ ଖେଳୁଛି। ଏଭଳି ସ୍ଥିତିରେ ବିଶ୍ବର ଶ୍ରେଷ୍ଠ ବୋଲର ଯଶପ୍ରୀତ୍ ବୁମ୍ରାଙ୍କୁ ଏହି ଟେଷ୍ଟରୁ ବିଶ୍ରାମ ଦିଆଯିବା ନେଇ କ୍ରିକେଟ୍ ବିଶେଷଜ୍ଞମାନେ ବିସ୍ମୟ ପ୍ରକଟ କରିଛନ୍ତି। ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିତର୍କିତ ରଣନୀତିକୁ ନିଜ ନିଜ ଶୈଳୀରେ କଟାକ୍ଷ କରିଛନ୍ତି। ୩୧ ବର୍ଷୀୟ ବୁମ୍ରା ହେଡିଂଲେରେ ଖେଳାଯାଇଥିବା ପ୍ରଥମ ପାଳିରେ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ।
ଦ୍ବିତୀୟରେ କିନ୍ତୁ ୱିକେଟ୍ ଶୂନ୍ୟ ରହିଥିଲେ। କାର୍ଯ୍ୟଭାର ପରିଚାଳନା ପାଇଁ ତାଙ୍କୁ ବର୍ମିଂହାମ ଟେଷ୍ଟ୍ରୁ ବାଦ୍ ଦିଆଯାଇଛି ବୋଲି ଦଳ ପକ୍ଷରୁ ସଙ୍କେତ ଦିଆଯାଇଛି। ବର୍ମିଂହାମ ଟେଷ୍ଟ୍ର ମାତ୍ର ୪ଦିନ ପରେ ଲର୍ଡସରେ ତୃତୀୟ ଟେଷ୍ଟ୍ ଖେଳାଯିବାକୁ ଥିବାରୁ ଏଭଳି କରାଯାଇଥିବା ଅଧିନାୟକ ଗିଲ୍ କହିଛନ୍ତି। ତେବେ ତାଙ୍କର ଏହି ଯୁକ୍ତି ପୂର୍ବତନ କ୍ରିକେଟର୍ଙ୍କୁ ପ୍ରଭାବିତ କରିନି। ଭାରତର ଏହି ନିଷ୍ପତ୍ତିକୁ ପୂର୍ବତନ ଭାରତୀୟ ଅଧିନାୟକ ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ, ପୂର୍ବତନ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର୍ ଟମ୍ ମୁଡି, ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ପ୍ରମୁଖ ସମାଲୋଚନା କରିଛନ୍ତି।
କୁଲଦୀପଙ୍କୁ ମିଳିଲାନି ସୁଯୋଗ: ଗାଭାସ୍କର, କୈଫ କ୍ଷୁବ୍ଧ
ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ କ୍ରିକେଟ୍ ଦଳରେ ଏକମାତ୍ର ବିଶେଷଜ୍ଞ ସ୍ପିନର୍ କୁଲଦୀପ ୟାଦବ ସ୍ଥାନ ପାଇଥିଲେ। ହେଲେ ବୁଧବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ତାଙ୍କୁ ଖେଳିବାର ସୁଯୋଗ ମିଳିନି। ଯାହାକୁ କିବଂଦନ୍ତି କ୍ରିକେଟର୍ ସୁନିଲ ଗାଭାସ୍କର ଏବଂ ପୂର୍ବତନ ଭାରତୀୟ କ୍ରିକେଟର୍ ମହମ୍ମଦ କୈଫ ଆଦୌ ପସନ୍ଦ କରିନାହାନ୍ତି। ବିଶେଷ କରି ଏଜବାଷ୍ଟନ୍ ପିଚ୍ ସ୍ପିନର୍ଙ୍କୁ ସୁହାଉଥିଲା ବେଳେ ଅଧିନାୟକ ଗିଲ୍ ଓ ପ୍ରଶିକ୍ଷକ ଗୌତମ ଗମ୍ଭୀର ବ୍ୟାଟିଂରେ ଅଧିକ ଗଭୀରତାର ଦ୍ବାହି ଦେଇ କୁଲଦୀପଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ନ କରିବାକୁ ଗାଭାସ୍କର ସମାଲୋଚନା କରିଛନ୍ତି। ସେହିଭଳି କୈଫ ଟ୍ବିଟ୍ କରି ପରୋକ୍ଷରେ ଉଭୟକୁ କଟାକ୍ଷ କରିଛନ୍ତି। କୁଲଦୀପଙ୍କ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ି ସେ କହିଛନ୍ତି ଯେ କୁଲଦୀପ ୮ବର୍ଷ ମଧ୍ୟରେ ମାତ୍ର ୧୩ଟି ଟେଷ୍ଟ୍ ଖେଳିଛନ୍ତି। ତାଙ୍କୁ ଏବେ ନିୟମିତ ଭାବେ ଦଳରେ ସ୍ଥାନ ଦେବାର ସମୟ ଆସିଯାଇଛି। ଏଜ୍ବାଷ୍ଟନ୍ରେ ତାଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଗଲାନି, ତାହା ବୁଝି ହେଉନି।












Click it and Unblock the Notifications