ବାଂଲାଦେଶ ବିପକ୍ଷରେ ଭାରତର ବୃହତ ବିଜୟ
ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜକୁ କ୍ଲିନ ସୁଇପ କରିଛି ଟିମ ଇଣ୍ଡିଆ। ଶେଷ ମ୍ୟାଚକୁ ବିଶାଳ ୧୩୩ ରନରେ ଜିତି ବାଂଲାଦେଶ ବିପକ୍ଷ ସିରିଜକୁ ୩-୦ରେ କବଜା କରିଛି ଭାରତୀୟ ଟିମ।

ସଞ୍ଜୁ ସାମସନଙ୍କ ବସ୍ଫୋରକ ଶତକ(୪୭ ବଲରେ ୧୧୧) ଓ ସୂର୍ଯ୍ୟ କୁମାର ଯାଦବଙ୍କ ୩୫ ବଲରେ ୭୫ ରନ ବଳରେ ଟିମ ଇଣ୍ଡିଆ ୬ ୱିକେଟ ହରାଇ ବିଶାଳ ୨୯୭ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ଟିମ ୭ ୱିକେଟ ହରାଇ ମାତ୍ର ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ଏହି ମ୍ୟାଚ୍କୁ ୧୩୩ ରନରେ ଜିତିବା ସହ ବାଂଲାଦେଶ ବିପକ୍ଷରେ ଅପରାଜେୟ ଧାରା ବଜାୟୀ ରଖିଛି। ଏହାପୂର୍ବରୁ ଭାରତୀୟ ଟିମ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ମଧ୍ୟ ୨-୦ରେ ହାତେଇଥିଲା।
ଟି-୨୦ରେ ଭାରତ ୨୯୭ ରନ କରିବା ପ୍ରଥମ ଘଟଣା। ଏହାପୂର୍ବରୁ ଦଳ କେବେ ବି ୨୬୦ ରନରୁ ଅଧିକ କରି ନଥିଲା। ଏହାପୂର୍ବରୁ ଭାରତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୨୬୦ ରନ କରିଥିଲା। ନିଜର ବିସ୍ଫୋରକ ଇନିଂସ ପାଇଁ ସଞ୍ଜୁ ସାମସନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
୨୯୮ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ପ୍ରଥମ ବଲରେ ହିଁ ୱିକେଟ ହରାଇଥିଲା। ପରଭେଜ ହୁସେନ ଇମୋନ ଖାତା ଖୋଲିବା ପୂର୍ବରୁ ମୟଙ୍କ ଯାଦବଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ତାନଜିଦ ହାସନ ୧୫ ଓ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ କେବଳ ୧୪ ରନ କରିଥିଲେ। ତାନଜିଦଙ୍କୁ ୱାଶିଂଟନ ସୁନ୍ଦର ଓ ସାଣ୍ଟୋଙ୍କ ୱିକେଟ ରବି ବିଷ୍ଣୋଇ ନେଇଥିଲେ।
୪ର୍ଥ ୱିକେଟ ପାଇଁ ଲିଟନ ଦାସ ଓ ତୋହିଦ ହ୍ରିଦୟ କିଛି ସମୟ ପାଇଁ ଲଢ଼ିଥିଲେ। ଉଭୟ ଦଳୀୟ ସ୍କୋରକୁ ୫୯ରୁ ନେଇ ୧୧୨ରେ ପହଞ୍ଚାଇଥିଲେ। ତେବେ ୨୫ ବଲରେ ୪୨ ରନ କରିଥିବା ଲିଟନଙ୍କୁ ରବି ବିଷ୍ଣୋଇ ଆଉଟ କରି ବାଂଲାଦେଶକୁ ୪ର୍ଥ ଝଟକା ଦେଇଥିଲେ।












Click it and Unblock the Notifications