ପାକିସ୍ତାନକୁ ଝଟକା, ଶ୍ରୀଲଙ୍କାରେ ଆୟୋଜନ ହୋଇପାରେ ଏସିଆ କପ !
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡକୁ ଲାଗିପାରେ ବଡ ଝଟକା । ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ହାତରୁ ଆୟୋଜକ ଅଧିକାର ଛଡେଇ ନେଇଛି । ପୂର୍ବ ରିପୋର୍ଟ ଅନୁସାରେ ୟୁଏଇରେ ଭାରତ-ପାକିସ୍ତାନ ମ୍ୟାଚ ଖେଳା ଯାଇଥାନ୍ତା ଏବଂ ଅନ୍ୟ ମ୍ୟାଚ ସବୁ ପାକିସ୍ତାନରେ ଆୟୋଜିତ ହୋଇଥାନ୍ତା ।
କିନ୍ତୁ ପାକିସ୍ତାନରେ ଏସିଆ କପ୍ ଖେଳାଗଲେ ଭାରତ ନିଜର ଟିମ୍ ପଠାଇବ ନାହିଁ ବୋଲି ମନା କରିଥିଲା । ଯାହାଫଳରେ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଯେପରି ଭାରତ ଭାଗ ନେଇପାରିବ ସେଥିପାଇଁ ଏସିଆ କପରେ ହାଇବ୍ରିଡ ମଡେଲ ଆପଣାଇବାକୁ ପାକିସ୍ତାନ କହିଥିଲା ।

ହାଇବ୍ରିଡ ମଡେଲ ଅନୁଯାୟୀ, ପାକିସ୍ତାନ ନିଜର ମ୍ୟାଚ୍ ହୋମ ଭେନ୍ୟୁରେ ଖେଳିବାକୁ ଥିବା ବେଳେ ଭାରତ ମ୍ୟାଚ୍ ପାଇଁ ଅନ୍ୟ ଏକ ଭେନ୍ୟୁ ନିର୍ଦ୍ଧାରିତ ହୋଇଥାନ୍ତା । ଅଥାର୍ତ ଭାରତ ଏସିଆ କପରେ ଭାଗ ନେଇ ୟୁଏଇରେ ମ୍ୟାଚ୍ ଖେଳିଥାନ୍ତା । କିନ୍ତୁ ଏହି ହାଇବ୍ରିଡ୍ ମଡେଲକୁ ଅନ୍ୟ ଦେଶ ପସନ୍ଦ କରିନଥିଲେ । କାରଣ ଏହି ପ୍ରସାରଣକାରୀ ସଂସ୍ଥା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିନ୍ନ ଭିନ୍ନ ଟିମ୍ ଭିନ୍ନ ଦେଶକୁ ପଠାଇବା ସପକ୍ଷରେ ନଥିଲେ ।
ସେହିଭଳି ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନରୁ ୟୁଏଇକୁ ବିମାନରେ ଯିବା ଆସିବା ପ୍ରସ୍ତାବକୁ ମଧ୍ୟ ଏସିସିର ସଦସ୍ୟ ଖାରଜ କରିଥିଲେ । ଯେଉଁଥିପାଇଁ ଏସିସି ବୈଠକରେ ପାକିସ୍ତାନର ହାଇବ୍ରିଡ ମଡେଲକୁ କେହି ସମର୍ଥନ କରି ନଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି, ଯଦି ପାକିସ୍ତାନରେ ଏସିଆ କପ୍ ଆୟୋଜିତ ହେବନି ତେବେ କେଉଁ ଦେଶରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ?
ତେବେ ଶ୍ରୀଲଙ୍କାକୁ ଏହାର ଆୟୋଜକ ଅଧିକାର ମିଳିବା ସମ୍ଭାବନା ଅଧିକ । ଏଥିରେ ପାକିସ୍ତାନ ଅଂଶଗ୍ରହଣ କରୁଛି କି ନାହିଁ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ସେପ୍ଟେମ୍ବର ୨ରୁ ୧୭ ପର୍ଯ୍ୟନ୍ତ ଏସିଆ କପ କେଉଁଠାରେ ଆୟୋଜନ ହେବ ତାହା ଏସିସି ଖୁବଶୀଘ୍ର ଘୋଷଣା କରିବ ।












Click it and Unblock the Notifications