ଆଜି କଟକ ବାରବାଟୀରେ 'ବିଗ୍ ଫାଇଟ୍, ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍
ଆଜିକୁ ଠିକ୍ ଦୁଇ ମାସ ଅର୍ଥାତ୍ ୬୦ ଦିନ ପରେ ଭାରତ ଆରମ୍ଭ କରିବ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ। ଏହା ପୂର୍ବରୁ ନିଜ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପରେଖ ଦେବା, ଖେଳାଳିଙ୍କ ଲୟକୁ ଜାରି ରଖିବା, ଦଳୀୟ ସମନ୍ବୟକୁ ସଜାଡ଼ିନେବାକୁ ରହିଛି ସୀମିତ ସୁଯୋଗ। ବିଶ୍ବକପ୍ ପୂର୍ବରୁ ୧୦ଟି ମ୍ୟାଚ୍ ଖେଳିବ ଦ୍ବିପାକ୍ଷିକ ଶୃଙ୍ଖଳାରେ। ପ୍ରତିଦ୍ବନ୍ଦ୍ବୀ ଅଛନ୍ତି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍। ଆଉ ଏହି ଅଭିଯାନର ପୂର୍ବୋଦୟ ହେବାକୁ ଯାଉଛି ଐତିହାସିକ ବାରବାଟୀ ଷ୍ଟାଡିୟମ୍ରୁ। ମଙ୍ଗଳବାର ଏହି ଐତିହ୍ୟଭରା ଷ୍ଟାଡିୟମ୍ରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା। ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଦଳ ସୋମବାର ଅପରାହ୍ଣରେ ଜୋରଦାର୍ ଅଭ୍ୟାସ କରିଥିବା ବେଳେ ସଂଧ୍ୟାରେ ନିଜ ଦକ୍ଷତାକୁ ଶାଣିତ କରିବାକୁ ଚେଷ୍ଟା କରିଛି ଦକ୍ଷିଣ ଆଫ୍ରିକା। ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି। ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି।

ଦୁଇ ଦଳ ଏହି ଶୃଙ୍ଖଳାରେ ଭିନ୍ନଭିନ୍ନ ପ୍ରତିଶୋଧ ନେବା ଆଶାରେ ରହିବେ। ବାରବାଟୀରେ ଅନୁଷ୍ଠିତ ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ହୋଇଛି। ଭାରତ ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ପରାଜୟର କ୍ଷତକୁ ଶୃଙ୍ଖଳା ବିଜୟରେ ବଦ୍ଲା ନେବାକୁ ଚାହିବ। ଏଥିପାଇଁ କିନ୍ତୁ ଦଳକୁ ବାରବାଟୀରୁ ହିଁ ଏହି ଲୟ କାବୁ କରିବାକୁ ପଡ଼ିବ। ନଚେତ ଏହି ଫର୍ମାଟ୍ରେ ଭାରତ ଖେଳୁଥିବା ଆକ୍ରମଣାତ୍ମକ ଖେଳକୁ ପରାହତ କରିବା ଯେ କୌଣସି ଦଳ ପାଇଁ ଅଭେଦ୍ୟ ଦୁର୍ଗ ଭଳି ହେବ। ଆହତ ସମସ୍ୟା ପରେ ଭାରତୀୟ ଦଳକୁ ଫେରିଥିବା ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବଂ ଉପଅଧିନାୟକ ଶୁବମନ ଗିଲ୍ଙ୍କ ଉପସ୍ଥିତିକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂର୍ଯ୍ୟଙ୍କ ବ୍ୟକ୍ତିଗତ ଫର୍ମ କିନ୍ତୁ ଦଳ ପାଇଁ ଏକମାତ୍ର ଚିନ୍ତାର କାରଣ ରହିଛି। ସଂଜୁ ସାମସନଙ୍କୁ କିନ୍ତୁ ପୁଣି ଥରେ ଦଳ ଭିତରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ମଧ୍ୟକ୍ରମରେ ତାଙ୍କ ପାଇଁ ୱିକେଟ୍ରକ୍ଷକ ଜିତେଶ ଶର୍ମା ବଡ଼ ପ୍ରତିବନ୍ଧକ ସାଜିଛନ୍ତି। କିପିଂ ଓ ବ୍ୟାଟିଂରେ ବି ଜିତେଶ ଦଳ ପାଇଁ ସମ୍ପତ୍ତି ପାଲଟିଛନ୍ତି। ସଂଜୁ କିନ୍ତୁ ଓପନିଂ ସ୍ଲଟ୍ ଛାଡ଼ି ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ବୋଲି ସୂର୍ଯ୍ୟ ଘୋଷଣା କରି ଦେଇଛନ୍ତି। ହାର୍ଦ୍ଦିକ ଓ ଶିବମ ଦୁବେଙ୍କ ଅଲରାଉଣ୍ଡ୍ ଭୂମିକା ଦଳ ପାଇଁ ବିକଳ୍ପକୁ ଖୋଲା ରଖିଛି। ଯଶପ୍ରୀତ୍ ବୁମ୍ରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବଙ୍କୁ ନେଇ ଭାରତର ବୋଲିଂ ବିଭାଗ ବି ଦୃଢ଼ ରହିଛି।












Click it and Unblock the Notifications