BCCI: ବିସିସିଆଇର ସମ୍ପାଦକ କିଏ ହେବେ ? ଏହି ସବୁ ନାମକୁ ନେଇ ଚର୍ଚ୍ଚା
ଆଇସିସି ଚେୟାରମ୍ୟାନ ଭାବରେ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀ ବର୍ତ୍ତମାନ ଖାଲି ରହିଛି। ତେବେ ପ୍ରଶ୍ନ କିଏ ହେବେ ବିସିସିଆଇର ସମ୍ପାଦକ ? ଜୟ ଶାହଙ୍କ ପରେ କାହା ପାଖରେ ରହିବ ଦାୟିତ୍ଵ ?
ଡିସେମ୍ବର ୧ ତାରିଖରେ ଶାହା ଆଇସିସି ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ । ବିସିସିଆଇର ଏହି ସର୍ବଶକ୍ତିଶାଳୀ ପଦବୀରେ କିଏ ବସିବେ ତାହାକୁ ନେଇ ବର୍ତ୍ତମାନ ଆଲୋଚନା ଜୋର ଧରିଛି । ୨୦୨୨ରେ ବିସିସିଆଇର ସମ୍ବିଧାନ ପରିବର୍ତ୍ତନ ପରେ ସମ୍ପାଦକ ପଦବୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ପ୍ରକାର କ୍ରିକେଟ ଓ ଅଣ କ୍ରିକେଟ ନିଷ୍ପତ୍ତିରେ ସମ୍ପାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହାସହିତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ତାଙ୍କ ଅଧୀନରେ କାର୍ଯ୍ୟ କରିଥାନ୍ତି।
ଅଗଷ୍ଟ ମାସରେ ଶାହା ଆଇସିସିର ମୁଖ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଆଉ' ପରଠାରୁ ବିସିସିଆଇର ସମ୍ପାଦକ କିଏ ହେବେ ଚର୍ଚ୍ଚା । ଗୁଜରାଟ କ୍ରିକେଟ ବୋର୍ଡର ଅନିଲ ପଟେଲ, ବିସିସିଆଇର ବର୍ତ୍ତମାନ ଯୁଗ୍ମ ସମ୍ପାଦକ ଦେବଜିତ ସାଇକିଆ ଓ ଡିଡିସିଏ ସଭାପତି ରୋହନ ଜେଟଲୀଙ୍କ ନାମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା।
ତେବେ ପରବର୍ତ୍ତୀ ସମୟରେ ଏହା କେବଳ ଗୁଜବ ବୋଲି ଜଣାପଡିଥିଲା। ସମସ୍ତ ରାଜ୍ୟର ବୋର୍ଡଗୁଡିକ ସମ୍ପାଦକ ନିର୍ବାଚନକୁ ନେଇ ନୀରବତା ଅବଲମ୍ବନ କରୁଛନ୍ତି। ବର୍ତ୍ତମାନ ସମୟରେ ଯୁଗ୍ମ ସମ୍ପାଦକ ରହିଥିବା ଦେବଜିତ ଅନ୍ତରୀଣ ଭାବରେ ଏହି ଦାୟିତ୍ୱ ସମ୍ପାଦନ କରିପାରନ୍ତି। ତେବେ ନିୟମ ଅନୁସାରେ ଗୋଟିଏ ପଦବୀ ଖାଲି ହେବାର ୪୫ ଦିନ ମଧ୍ୟରେ ନିର୍ବାଚନ କରାଇ ଏହାକୁ ପୂରଣ କରାଯିବା ଉଚିତ।

ଜାନୁଆରୀ ୧୫ ଯାଏ ବିସିସିଆଇ ହାତରେ ସମ୍ପାଦକ ନିର୍ବାଚିତ କରିବାର ସମୟ ରହିଛି। ସେହିପରି ନିର୍ବାଚନର ୪ ସପ୍ତାହ ପୂର୍ବରୁ ଇଲେକ୍ଟୋରାଲ ଅଫିସରଙ୍କ ନିଯୁକ୍ତି ବାଧ୍ୟତାମୂଳକ ରହିଛି । ବିସିସିଆଇର ବର୍ତ୍ତମାନ ଟିମ୍ର କାର୍ଯ୍ୟକାଳ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ତେଣୁ ଯିଏ ବି ଦାୟିତ୍ୱ ନେବ ତାଙ୍କୁ ବର୍ଷେ ପରେ ଦାୟିତ୍ୱ ଛାଡିବାକୁ ପଡିବ ।












Click it and Unblock the Notifications