ଟେଷ୍ଟ କ୍ୟାପଟେନ୍ ଚୟନ ପୂର୍ବରୁ ପଦ ଛାଡ଼ିଲେ ଚୟନକର୍ତ୍ତା
ବିସିସିଆଇ ଚୟନକର୍ତ୍ତା ସମିତି ଆଗାମୀ କିଛି ଦିନରେ ଟେଷ୍ଟ୍ ଅଧିନାୟକଙ୍କ ନାଁ ଘୋଷଣା କରିବ । ଏହାସହ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ମଧ୍ୟ ଦଳ ଘୋଷଣା କରାଯିବ । ତେବେ ଏହା ପୂର୍ବରୁ ଜଣେ ଚୟନକର୍ତ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ମୁମ୍ବାଇ: ବିସିସିଆଇ ଚୟନକର୍ତ୍ତା ସମିତି ଆଗାମୀ କିଛି ଦିନରେ ଟେଷ୍ଟ୍ ଅଧିନାୟକଙ୍କ ନାଁ ଘୋଷଣା କରିବ । ଏହାସହ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ମଧ୍ୟ ଦଳ ଘୋଷଣା କରାଯିବ । ତେବେ ଏହା ପୂର୍ବରୁ ଜଣେ ଚୟନକର୍ତ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଚୟନକର୍ତ୍ତା ଆବେ କୁରୁଭିଲ୍ଲା କମିଟି ଛାଡିଛନ୍ତି । ସେ ଚେତନ ଶର୍ମାଙ୍କ ନେତୃତ୍ୱାଧିନ କମିଟିର ସଦସ୍ୟ ଥିଲେ । ଆବେଙ୍କ ପରେ ଏବେ କମିଟିରେ ମାତ୍ର ୪ ଜଣ ସଦସ୍ୟ ରହିଛନ୍ତି । ଯେଉଁଥିରେ ଚେତନ ଶର୍ମା, ସୁନୀଲ ଯୋଶି, ହରବିନ୍ଦର ସିଂହ ଏବଂ ଦେବାଶିଷ ମହାନ୍ତି ସାମିଲ୍ ଅଛନ୍ତି।

ଆସନ୍ତା ମାସରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଭାରତର ନୂଆ ଟେଷ୍ଟ କ୍ୟାପଟେନ୍ ନିଯୁକ୍ତ କରାଯିବ। କିନ୍ତୁ ଏହା ପୂର୍ବରୁ କୁରୁଭିଲ୍ଲାଙ୍କ ପଦ ଛାଡ଼ିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
କୁରୁଭିଲ୍ଲା ଅଚାନକ ପଦ ଛାଡ଼ିବାର କାରଣ ହେଉଛି ବିସିସିଆଇର ନୂଆ ନିୟମ। ବିସିସିଆଇର ନୂଆ ନିୟମ ଆଧାରରେ ଚୟନକର୍ତ୍ତା ୫ ବର୍ଷରୁ ଅଧିକ ସମୟ ଧରି ଚୟନ କମିଟିର ସଦସ୍ୟ ରହିପାରିବେ ନାହିଁ। କୁରୁଭିଲ୍ଲା ଡିସେମ୍ବର, ୨୦୨୦ରେ ଚୟନ କମିଟି ସଦସ୍ୟ ହୋଇଥିଲେ। କିନ୍ତୁ ତାଙ୍କ ପୂର୍ବରୁ ସେ ଚାରିବର୍ଷ ଜୁନିୟର ଚୟନ କମିଟିର ସଦସ୍ୟ ରହିସାରିଥିଲେ। ଯେଉଁ କାରଣରୁ ସେ ନିଜ ପଦ ଛାଡ଼ିଛନ୍ତି।
ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ବିସିସିଆଇର ଅନେକ ଅଧିକାରୀ ନୂଆ ନିୟମ ବାବଦରେ ଅବଗତ ନାହାଁନ୍ତି । ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ପୂର୍ବତନ ସଦସ୍ୟ ସଞ୍ଜୀବ ଗୁପ୍ତା ପ୍ରଥମେ ଅଭିଯୋଗ କଲା ପରେ ନିୟମ ବାବଦରେ ଜଣାପଡିଥିଲା ।
୫୩ ବର୍ଷୀୟ କୁରୁଭିଲ୍ଲାଙ୍କ ସ୍ଥାନ ନେବା ପାଇଁ ବିସିସିଆଇ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ କରିବ। ଅନ୍ୟପକ୍ଷରେ ବୋର୍ଡ କୁରୁଭିଲ୍ଲାଙ୍କୁ ଗେମ୍ ଡେଭଲପମେଣ୍ଟ ମ୍ୟାନେଜର ପଦ ଦେଇପାରେ। ୯୦ ଦଶକରେ କୁରୁଭିଲ୍ଲା ଭାରତ ପକ୍ଷରୁ ୧୦ ଟେଷ୍ଟ ଏବଂ ୨୫ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ତାଙ୍କ ନାଁରେ ଟେଷ୍ଟ ଓ ଦିନିକିଆରେ ୨୫ଟି ଲେଖାଏ ୱିକେଟ୍ ନେଇଛନ୍ତି। ସେ ନିଜର ସବୁ ଅନ୍ତର୍ଜାତୀୟ ମ୍ୟାଚ୍ ୧୯୯୭ରେ ଖେଳିଥିଲେ।












Click it and Unblock the Notifications