ପାକିସ୍ତାନକୁ ବିଦା କରି ଅନ୍ୟ ଦେଶମାନଙ୍କୁ ନେଇ ଏସିଆ କପ ପାଇଁ ଯୋଜନା ପ୍ରସ୍ତୁତ କରୁଛି ବିସିସିଆଇ !
ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ୱରରେ ହେବାକୁ ଥିବା ଏସିଆ କପକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । କିନ୍ତୁ ମିଳିଥିବା ଖବର ଅନୁସାରେ ଚଳିତ ବର୍ଷ ଏସିଆ କପର ଆୟୋଜନ ହେବ ନାହିଁ । ପାକିସ୍ତାନୀ ମିଡିଆରେ ଏହି ଦାବି କରାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ ଏସିଆ କପ୍ ରଦ୍ଦ ହେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଞ୍ଚ ଦେଶକୁ ନେଇ ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବା ନେଇ ଯୋଜନା କରିଛି । ଏଥିରେ ପାକିସ୍ତାନକୁ ଛାଡ଼ି ଏସିଆର ଅନ୍ୟ ସମସ୍ତ ଟିମ୍ ଭାଗ ନେଇପାରେ । ତେବେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହାକୁ ଗୁଜବ ବୋଲି କହିଛି । ବୋର୍ଡ କହିଛି, ଏ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇ ନାହିଁ । ଆଇସିସି କ୍ୟାଲେଣ୍ଡରରେ ପାକିସ୍ତାନରେ ଏସିଆ କପ ହେବ ବୋଲି ସ୍ଥିର ହୋଇଛି ।

ଉଲ୍ଲେଖଥାଉ କି, ପାକିସ୍ତାନକୁ ଯାଇ ଭାରତ ମ୍ୟାଚ ଖେଳିବ ନାହିଁ ବୋଲି ପୂର୍ବରୁ ବିସିସିଆଇ ସ୍ପଷ୍ଟ କରିସାରିଛି । ନିରପେକ୍ଷ ସ୍ଥାନରେ ଏହାକୁ ଆୟୋଜନ କରିବା ପାଇଁ ବିସିସିଆଇ ଅନୁରୋଧ କରିଥିଲେ ମଧ୍ୟ ପାକିସ୍ତାନ ରାଜି ହୋଇ ନ ଥିଲା । ଶେଷରେ ଭାରତ ମ୍ୟାଚ ନିରପେକ୍ଷ ସ୍ଥାନରେ ଏବଂ ଅନ୍ୟ ମୁକାବିଲା ପାକିସ୍ତାନରେ ହେବ ବୋଲି ସ୍ଥିର ହୋଇଥିଲା ।
ନିକଟରେ ବିସିସିଆଇ ସଚିବ ଏବଂ ଏସିଆ କ୍ରିକେଟ କାଉନ୍ସିଲର ଅଧ୍ୟକ୍ଷ ଜୟ ଶାହ କହିଥିଲେ ଯେ ଏସିଆ କପରେ ଟିମ ଇଣ୍ଡିଆର ମ୍ୟାଚ ପାକିସ୍ତାନ ବଦଳରେ ଅନ୍ୟ ଦେଶରେ କରାଇବାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଅନ୍ୟ ଦେଶଠୁ ମଧ୍ୟ ସେମାନଙ୍କ ପିଡବ୍ୟାକ୍ ନିଆଯାଉଛି । ସେହି ଫିଡବ୍ୟାକ୍ ଆଧାରରେ ହିଁ ଆଗାମୀ ନିଷ୍ପତ୍ତି ନିଆଯିବ । ସୂଚନାଥାଉକି, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଶେଷଥର ପାଇଁ ୨୦୧୩ରେ ଭାରତରେ ହୋଇଥିଲା ।












Click it and Unblock the Notifications