ଟି–୨୦ ବିଶ୍ୱକପ୍ ପୂର୍ବରୁ ଇଶାନ କିଶନଙ୍କୁ BCCIର ବଡ଼ ଝଟକା, Central Contractsରୁ ବାହାର
ନୂଆଦିଲ୍ଲୀ: ଶନିବାର, ୭ ଫେବୃଆରୀରୁ ଭାରତ ଓ ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ୍ ୨୦୨୬ର ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ହିଁ ଟିମ୍ ଇଣ୍ଡିଆ ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍ରେ ଆମେରିକା ସହ ମୁକାବିଲା କରିବ। ମୁମ୍ବାଇର ୱାଙ୍ଖେଡେ ଷ୍ଟେଡିୟମରେ ହେବାକୁ ଥିବା ଏହି ମ୍ୟାଚ୍ରେ ଇଶାନ କିଶନଙ୍କ ଉପରେ ସମସ୍ତଙ୍କ ନଜର ରହିବ।
କିନ୍ତୁ ବିଶ୍ୱକପ୍ ଆରମ୍ଭ ପୂର୍ବରୁ ହିଁ ଇଶାନ କିଶନଙ୍କୁ ଭାରତୀୟ କ୍ରିକେଟ ବୋର୍ଡ (BCCI) ପକ୍ଷରୁ ଏକ ବଡ଼ ଝଟକା ମିଳିଛି। ଏକ ରିପୋର୍ଟ ଅନୁସାରେ, ୨୦୨୫-୨୬ ସିଜନ ପାଇଁ ପ୍ରସ୍ତୁତ BCCI ସେଣ୍ଟ୍ରାଲ୍ କନ୍ଟ୍ରାକ୍ଟ ତାଲିକାରୁ ଇଶାନଙ୍କୁ ବାହାର କରାଯାଇଛି।

BCCI ପ୍ରତିବର୍ଷ ଆନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରୁଥିବା ଖେଳାଳିମାନଙ୍କୁ ସେଣ୍ଟ୍ରାଲ୍ କନ୍ଟ୍ରାକ୍ଟ ପ୍ରଦାନ କରେ। ଖେଳାଳିମାନଙ୍କୁ ତାଙ୍କ ଗୁରୁତ୍ୱ ଓ ଫର୍ମାଟ୍ ଅନୁଯାୟୀ A+, A, B ଓ C ଗ୍ରେଡ୍ରେ ବିଭକ୍ତ କରାଯାଏ ଏବଂ ସାରା ବର୍ଷ ପାଇଁ ନିର୍ଦ୍ଧାରିତ ବେତନ ମିଳେ।
ରିପୋର୍ଟ ଅନୁସାରେ, ଏଥର ୩୦ ଜଣ ଖେଳାଳିଙ୍କୁ ସେଣ୍ଟ୍ରାଲ୍ କନ୍ଟ୍ରାକ୍ଟ ଦିଆଯାଇଛି। ଆଶ୍ଚର୍ଯ୍ୟର କଥା ହେଲା, ନିକଟରେ ପ୍ରାୟ ସାଢ଼େ ୨ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଥିବା ଇଶାନ କିଶନଙ୍କ ନାମ ଏହି ତାଲିକାରେ ନାହିଁ।
ପିଛଲା ସିଜନରେ ଇଶାନ ଟିମ୍ରେ ଚୟନ ହୋଇନଥିଲେ ମଧ୍ୟ C ଗ୍ରେଡ୍ ସେଣ୍ଟ୍ରାଲ୍ କନ୍ଟ୍ରାକ୍ଟର ଅଂଶ ଥିଲେ ଏବଂ ବାର୍ଷିକ ୧ କୋଟି ଟଙ୍କା ପାଇଥିଲେ। ଏଥର ସେ ଟିମ୍କୁ ଫେରିଥିବା ସତ୍ତ୍ୱେ କନ୍ଟ୍ରାକ୍ଟରୁ ବାହାରେ ରହିବା ଘଟଣା କ୍ରିକେଟ ମହଳରେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ, ଟି-୨୦ ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କଲେ ସିଜନ ମଧ୍ୟରେ ତାଙ୍କୁ କନ୍ଟ୍ରାକ୍ଟ ମିଳିପାରେ ବୋଲି ମଧ୍ୟ କୁହାଯାଉଛି।
ଇଶାନ କିଶନଙ୍କ ସହିତ ସହ, ଏଥର ଆଉ ୪ ଜଣ ଖେଳାଳିଙ୍କୁ ସେଣ୍ଟ୍ରାଲ୍ କନ୍ଟ୍ରାକ୍ଟରୁ ବାଦ୍ ଦିଆଯାଇଛି। ପିଛଲା ବର୍ଷ ୩୪ ଜଣ ଖେଳାଳି ତାଲିକାରେ ଥିବା ବେଳେ, ଏଥର ୫ ଜଣଙ୍କ ନାମ କାଟାଯାଇଛି। ନୂଆ ଖେଳାଳି ଭାବେ ଯୁବ ବ୍ୟାଟସ୍ମାନ ସାଇ ସୁଦର୍ଶନଙ୍କୁ ସାମିଲ କରାଯାଇଛି।
ବାହାର ହୋଇଥିବା ଖେଳାଳିମାନଙ୍କ ମଧ୍ୟରେ ଦିଗ୍ଗଜ ତେଜ ବୋଲର ମହମ୍ମଦ ଶାମି ମଧ୍ୟ ରହିଛନ୍ତି। ପିଛଲା ସିଜନରେ A ଗ୍ରେଡ୍ରେ ଥିବା ଶାମି ବାର୍ଷିକ ୫ କୋଟି ଟଙ୍କା ପାଇଥିଲେ। ଚାମ୍ପିଅନ୍ସ ଟ୍ରୋଫି ୨୦୨୫ ପରେ ସେ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରେ ରହିଛନ୍ତି।
ଏହାଛଡ଼ା ଯୁବ ବ୍ୟାଟସ୍ମାନ ସରଫରାଜ ଖାନ, ବଙ୍ଗାଳର ତେଜ ବୋଲର ମୁକେଶ କୁମାର ଏବଂ ମଧ୍ୟପ୍ରଦେଶର କ୍ୟାପ୍ଟେନ୍ ରଜତ ପାଟିଦାରଙ୍କୁ ମଧ୍ୟ ଏଥର ସେଣ୍ଟ୍ରାଲ୍ କନ୍ଟ୍ରାକ୍ଟ ମିଳିନାହିଁ। ଏହି ସମସ୍ତ ଖେଳାଳି ପିଛଲା ସିଜନରେ C ଗ୍ରେଡ୍ରେ ଥିଲେ, ଯେଉଁଥିରେ ବାର୍ଷିକ ୧ କୋଟି ଟଙ୍କା ମିଳୁଥିଲା।












Click it and Unblock the Notifications