BCCI : ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟରେ ୪ଟି ନୂଆ ନିୟମ ଲାଗୁ, ବଲ ଟାମ୍ପରିଂ ବିରୋଧରେ କଠୋର ବ୍ୟବସ୍ଥା
ଘରୋଇ କ୍ରିକେଟରେ ନୂଆ ନିୟମ ଲାଗୁ କରିଛି ବିସିସିଆଇ। ସ୍ଥିରତା, ସ୍ୱଚ୍ଛତା ଓ ଅଖଣ୍ଡତାକୁ ବଜାୟୀ ରଖିବା ପାଇଁ ବିସିସିଆଇ ପକ୍ଷରୁ ୪ଟି ନୂଆ ନିୟମ ଲାଗୁ କରାଯାଇଛି। ଚଳିତ ରଣଜୀ ସିଜିନରୁ ହିଁ ଏହି ନିୟମ ଗୁଡ଼ିକ ଲାଗୁ ହେବ।
କ୍ରିକବଜ୍ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଆଜି ଠାରୁ ରଣଜୀ ଟ୍ରଫିର ୨୦୨୪-୨୫ ସିଜିନ ଆରମ୍ଭ ହୋଇଛି। ସିଜିନ ଆରମ୍ଭ ହେବା ସହ ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି।
ଘରୋଇ କ୍ରିକେଟ ପାଇଁ ବିସିସିଆଇ କେଉଁ ସବୁ ୪ଟି ନିୟମ ଲାଗୁ କରିଛି, ତା' ଉପରେ ନଜର ପକାନ୍ତୁ
ଇନିଂସ ମଝିରେ ରିଟାୟାର ହର୍ଟ
ବିସିସିଆଇ ଇନିଂସ ମଝିରେ ଖେଳାଳିମାନେ ହେଉଥିବା ରିଟାୟାର ହର୍ଟକୁ ନେଇ ନୂଆ ନିୟମ ଲାଗୁ କରିଛି। ନୂଆ ଗାଇଡଲାଇନରେ କୁହାଯାଇଛି ଯେ ଯଦି କୌଣସି ବ୍ୟାଟର ଆହତ, ଅସୁସ୍ଥତା କିମ୍ବା ଅଣଦେଖା ହୋଇପାରୁ ନଥିବା ପରିସ୍ଥିତି ବାଦ ରିଟାୟାର୍ସ ହୁଅନ୍ତି, ତା'ହେଲେ ସେ ସେହି ସ୍ଥାନରେ ହିଁ ଆଉଟ ଘୋଷିତ ହେବେ।
ଏହି ନିୟମ ବିସିସିଆଇ ଅଧୀନରେ ଖେଳା ଯାଉଥିବା ସବୁ ପ୍ରକାରର ଘରୋଇ କ୍ରିକେଟରେ ଲାଗୁ ହେବ। ନୂଆ ନିୟମର ଅର୍ଥ ବିରୋଧୀ ଦଳର ଅଧିନାୟକଙ୍କ ସହମତି ଥିଲେ ମଧ୍ୟ ବ୍ୟାଟର ପୁଣି ବ୍ୟାଟିଂ କରିବାକୁ ଆସିପାରିବେ ନାହିଁ। ଏହି ବିକଳ୍ପକୁ ବିସିସିଆଇ ନୂଆ ନିୟମ ଆଣି ବ୍ୟାନ କରିଛି।
ଯୋଜନାବଦ୍ଧ ରିଟାୟର୍ସ ଯୋଗୁ ଏହାର ପ୍ରଭାବ ମ୍ୟାଚ୍ ଉପରେ ପଡ଼ୁଥିଲା। ତେଣୁ ମ୍ୟାଚ୍ର ସ୍ୱଚ୍ଛତା ପ୍ରଭାବିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି ନିଷ୍ପତ୍ତି ନେଇଛି।
ଏକାଧିକ ବ୍ୟାଟର ଟି-୨୦ ଫର୍ମାଟରେ ନିଜ ଇଚ୍ଛାରେ ରିଟାୟାର ହୋଇ ଚାଲି ଯାଉଥିଲେ। ସେମାନେ ଲୟରେ ନଥିଲେ, ଏପରି କରୁଥିଲେ। ନିକଟରେ ଆଇପିଏଲ ସୟମରେ ରବି ଅଶ୍ୱିନ ବଡ଼ ଶଟ ଖେଳିବାରେ ବିଫଳ ହେବାରୁ ରିଟାୟାର ହର୍ଟ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ। ତାଙ୍କ ବଦଳରେ ଆଉ ଜଣେ ବ୍ୟାଟର ଆସିଥିଲେ। ଏବେ ଆଉ ସେମିତି ହୋଇପାରିବ ନାହିଁ।

ବଲ ଟାମ୍ପରିଂ ବିରୋଧରେ କଠୋର ବ୍ୟବସ୍ଥା
ଖେଳର ଅଖଣ୍ଡତା ବଜାୟୀ ରଖିବା ପାଇଁ ବିସିସିଆଇ ପୁଣିଥରେ ବଲ୍ ଟାମ୍ପରିଂ ବିରୋଧରେ କଡ଼ା ନିୟମ ଲାଗୁ କରିଛି। ମହାମାରୀ କରୋନା ବେଳେ ବଲ୍ରେ ଲାଳ ଲଗାଇବା ବ୍ୟାନ କରାଯାଇଥିଲା। ଏହାକୁ ବିସିସିଆଇ ବଳବତ୍ତର ରଖିଛି। କେହି ବି ବଲରେ ସାଲେଇଭା ବା ଲାଳ ଲଗାଇ ପାରିବେ ନାହିଁ। ଯଦି କୌଣସି ଟିମ ବଲରେ ଲାଳ ଲଗାଉଥିବା ଜଣାପଡ଼ିବ, ତା'ହେଲେ ତୁରନ୍ତ ଏହାକୁ ବଦଳାଇ ଦିଆଯିବ। ସେହିପରି ଲାଳ ଲଗାଇଥିବା ଟିମ ଉପରେ ଜୋରିମାନା ଲଗାଯିବ।
ରନ ମନା କରିବା ପରେ ବାଉଣ୍ଡରୀ
ରନ ମନା କରିବା ବେଳେ ହେଉଥିବା ବାଉଣ୍ଡରୀ ସ୍କୋରକୁ ନେଇ ବିସିସିଆଇ ସ୍ପଷ୍ଟ ନିୟମ ଲାଗୁ କରିଛି। ସଂଶୋଧିତ ନିୟମରେ କୁହାଯାଇଛି ଯେ କ୍ରିଜ୍ କ୍ରସ କରିବା ପରେ ଯଦି ଜଣେ ବ୍ୟାଟର ରନ ନେବାକୁ ମନା କରି ଦେଉଛନ୍ତି ଓ ଦୁଇ ବ୍ୟାଟର ପୁଣି ଥରେ ପରସ୍ପରକୁ କ୍ରସ କରିବା ପୂର୍ବରୁ ବଲ ଓଭର ଥ୍ରୋ ଯୋଗୁ ବାଉଣ୍ଡରୀ ପାର କରୁଛି, ତା'ହେଲେ କେବଳ ୪ ରନ ବାଉଣ୍ଡରୀ ଆକାରରେ ମିଳିବ। ସମସ୍ତ ମ୍ୟାଚରେ ସ୍କୋରିଂରେ ସ୍ଥିରତା ଆଣିବା ପାଇଁ ବିସିସିଆଇ ଏପରି କରିଛି।
କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫିରେ ଦିଆଯାଉଥିବା ପଏଣ୍ଟ
କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫିରେ ବଣ୍ଟା ଯାଉଥିବା ପଏଣ୍ଟ କ୍ଷେତ୍ରରେ ବଡ଼ ନିୟମ ଆଣିଛି ବିସିସିଆଇ। ଏହି ନିୟମରେ ଦୁଇଟି ବ୍ୟବସ୍ଥା କରାଯାଇଛି:
୧- ଯଦି ଟିମ 'ଏ' ୯୮ ଓଭରରେ ୩୯୮ ରନ କରି ପ୍ରଥମ ଇନିଂସ ଅଲଆଉଟ ହୋଇଯାଏ, ତା'ହେଲେ ସେମାନଙ୍କୁ ପ୍ରାଥମିକ ଭାବେ ୪ ପଏଣ୍ଟ ମିଳିବ। ଯଦି ଟିମ ଏ ଫିଲ୍ଡିଂ ବେଳେ ପେନାଲ୍ଟିରେ ୫ ରନ ପାଇବ, ତା'ହେଲେ ସେମାନଙ୍କ ସ୍କୋର ୯୮ ଓଭରରେ ୪୦୩ ବିବେଚନା କରାଯିବ ଓ ସେମାନଙ୍କୁ ୫ ବ୍ୟାଟିଂ ପଏଣ୍ଟ ମିଳିବ।
୨- ଯଦି ଟିଏ ଏ' ୧୦୦.୧ ଓଭରରେ ୩୯୮ ରନ କରି ଅଲଆଉଟ ହୋଇଯାଏ, ତା'ହେଲେ ସେମାନଙ୍କୁ ୪ ବ୍ୟାଟିଂ ପଏଣ୍ଟ ମିଳିବ। ଏପରି ସ୍ଥିତିରେ ଯଦି ସେମାନଙ୍କୁ ଫିଲ୍ଡିଂ ବେଳେ ୫ ରନ ପେନାଲ୍ଟି ଆକାରରେ ମିଳିବ, ତା'ହେଲେ ୧୦୦.୧ ଓଭରରେ ସେମାନଙ୍କ ରନ ୪୦୩ ବୋଲି ବିବେଚନା କରାଯିବ। କିନ୍ତୁ ସେମାନେ ଅତିରିକ୍ତ ୧ ପଏଣ୍ଟ ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ।












Click it and Unblock the Notifications