ବାରବାଟୀ ଟି-20: ମ୍ୟାଚ୍ ଦେଖିବାକୁ ଆସୁଛନ୍ତି କି ? ଜାଣନ୍ତୁ; କେଉଁଠି କରିବେ ଗାଡି ପାର୍କିଂ ? କଣ ଆଣିବେ ସାଙ୍ଗରେ, କଣ ନାହିଁ..
ଆଜି ବାରବାଟୀରେ ବିଗ୍ ଫାଇଟ । ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସରିଜରେ 1-0ରେ ପଛୁଆ ଥିବା ଘରୋଇ ଦଳ ଆଜି ବାରବାଟୀରେ ତାର ଭାଗ୍ୟ ପରୀକ୍ଷା କରିବ ।
ଭୁବନେଶ୍ବର: ଆଜି ବାରବାଟୀରେ ବିଗ୍ ଫାଇଟ । ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସରିଜରେ 1-0ରେ ପଛୁଆ ଥିବା ଘରୋଇ ଦଳ ଆଜି ବାରବାଟୀରେ ତାର ଭାଗ୍ୟ ପରୀକ୍ଷା କରିବ । ହଜାର ହଜାର ଦର୍ଶକଙ୍କ ଗହଣରେ ଖେଳାଯିବ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ । ଟିକେଟ ବିକ୍ରି ସମୟରେ ଯେଉଁଭଳି ଭିଡ ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ ବାରବାଟୀରେ ଖଚାଖଚ ଦର୍ଶକ ରହିବେ ।

ତେଣୁ ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର ଓ ୨୭୦ ଜଣ ଏସ୍ଆଇ ଓ ଏଏସ୍ଆଇ ରାଙ୍କର ଅଧିକାରୀଙ୍କ ଉପରେ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ରହିଛି।
ତେବେ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକ, ଭିଆଇପି ଓ ଅତିଥିଙ୍କ ପାଇଁ ପ୍ରଶାସନ ପକ୍ଷରୁ ୫ଟି ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି । ସାଧାରଣ ଦର୍ଶକଙ୍କ ପାଇଁ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯାଇଛି । ଓସିଏ ସଦସ୍ୟ ଓ ଅନ୍ୟାନ୍ୟ ଅତିଥିଙ୍କ ପାଇଁ ଓଡ଼ିଶା କ୍ରିକେଟ ଏକାଡେମୀରେ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍ ପରିସରରେ, ବିସିସିଆଇ ଅଫିସିଆଲ, ମ୍ୟାଚ ରେଫରି, ଅମ୍ପାୟାର, ଖେଳାଳି, ଓସିଏ ଅଧିକାରୀ, ଅତିଥିମାନେ ସେଣ୍ଟ ଜାଭିୟର୍ସ ସ୍କୁଲ୍ ପରିସରରେ ପାର୍କିଂ କରିପାରିବେ ।
ଏହାବାଦ୍ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକମାନେ ସାଙ୍ଗରେ କିଛି ସାମଗ୍ରୀ ଆଣିବାକୁ ବାରଣ କରାଯାଇଛି । ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଂଟ୍ରୋଲ ଡିଭାଇସ୍, ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।












Click it and Unblock the Notifications