Barabati Odi IND vs ENG: କେଉଁବାଟ ଦେଇ ଷ୍ଟାଡିୟମକୁ ଯିବେ ? ଫେରିବେ କେମିତି ?
ବାରବାଟୀରେ ହେବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ଯାନବାହନ ଚଳାଚଳରେ ଯେପରି କୌଣସି ସମସ୍ୟା ଦେଖା ନ ଦିଏ ସେଥିପାଇଁ କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ୮ତାରିଖ ଅଭ୍ୟାସ ମ୍ୟାଚ ପାଇଁ ମଧ୍ୟାହ୍ନ ୧ଟାରୁ ରାତି ୯ଟା ଏବଂ ମ୍ୟାଚ ଦିନ ସକାଳ ୮ଟାରୁ ଭିଡ ଭାଙ୍ଗିବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।
ବାଲିଯାତ୍ରା ତଳ ପଡ଼ିଆରେ ପାର୍କିଂ
ପୁଲିସ ସୂଚନା ଅନୁଯାୟୀ, ମାତାମଠ ପାର୍ଶ୍ବରୁ ରିଂରୋଡରେ ଆସୁଥିବା ଯାନବାହନଗୁଡିକ ବାଲିଯାତ୍ରା ତଳ ପଡ଼ିଆରେ ପାର୍କିଂ କରିବେ। ହାଓଡାମଟର ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡିଗୁଡିକ ଲ' ହଷ୍ଟେଲ ଛକ ଦେଇ ରିଂରୋଡକୁ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ ।
ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ଛକରୁ ସିଧା କିଲା ପଡ଼ିଆ ଆଡକୁ ଯାଇପାରିବ ନାହିଁ। ଏହି ଗାଡିଗୁଡିକ ଖ୍ରୀଷ୍ଟିଆନ ପଡ଼ିଆରେ ପାର୍କିଂ କରିବେ। ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂରୋଡରେ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ୱର ଗଡ଼଼ାରେ ବାମକୁ ଗଡ଼଼ି ପାର୍କିଂ ଷ୍ଟାଣ୍ଡରେ ରଖିବେ। 'ସମାଜ' ଅଫିସ ଛକ ଆଡୁ ଆସୁଥିବା ଗାଡିଗୁଡିକୁ ହନୁମାନ ମନ୍ଦିର ଆଡକୁ ନ ଯାଇ ଚଣ୍ଡୀଛକ ହୋଇ ଖ୍ରୀଷ୍ଟିଆନ ପଡ଼ିଆକୁ ଯାଇ ସେଠାରେ ପାର୍କିଂ କରିବେ।

କେବଳ ଓସିଏ ପାସଧାରୀ ଗାଡିଗୁଡିକ ଷ୍ଟାଡିୟମର ୧ନଂ ଫାଟକ ଦେଇ ଓସିଏ ପାର୍କିଂସ୍ଥାନକୁ ଯିବେ। ମଧୁସୂଦନ ପ୍ରତିମୂର୍ତ୍ତି ଛକରୁ କୌଣସି ଗାଡି ଷ୍ଟାଡିୟମ ଆଡକୁ ଯାଇପାରିବ ନାହିଁ। ଚକ୍ଷୁ ହାସପାତାଳ ଛକରୁ କିଲ ଖାନା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିବ। ମ୍ୟାଚ ଦିନ ସକାଳ ୮ଟାରୁ ରାତି ୨ଟା ପର୍ୟ୍ୟନ୍ତ ମହାନଦୀ ଓ କାଠଯୋଡି ରିଂବନ୍ଧରେ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ। ସେହିପରି ଶନିବାର ଅଭ୍ୟାସ ମ୍ୟାଚ ନିମନ୍ତେ ଦିନ ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାନଦୀ ରିଂରୋଡର ଚହଟା ଛକ ଓ ଶିଖରପୁର ଛକରୁ ବାଉଁଶ ଗଡ଼ା ପର୍ଯ୍ୟନ୍ତ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ।
କେଉଁବାଟ ଦେଇ ଷ୍ଟାଡିୟମକୁ ଯିବେ ?
ତେବେ ଦୂରଦୂରାନ୍ତରୁ ଆସିଥିବା ଦର୍ଶକଙ୍କ ଫେରିବା ବ୍ୟବସ୍ଥା କିଛି ହୋଇନଥିବା ଜଣାପଡ଼ିଛି । ଯାହାକୁ ନେଇ ମ୍ୟାଚ ଦେଖି ଫେରିବାକୁ ନେଇ ଦର୍ଶକ ଆଶଙ୍କାରେ ରହିଛନ୍ତି। ପୂର୍ବରୁ ସେମାନଙ୍କ ପାଇଁ ବସ ବ୍ୟବସ୍ଥା କରାଯାଉଥିବାବେଳେ ଚଳିତବର୍ଷ ଓସିଏ ପକ୍ଷରୁ ସେଭଳି କିଛି ବ୍ୟବସ୍ଥା କରାଯାଇ ନ ଥିବା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବାରବାଟୀରେ ରବିବାର ପୂର୍ବାହ୍ନରେ ଦର୍ଶକମାନେ ପ୍ରବେଶ କରିବେ। ମ୍ୟାଚ ୧.୩୦ଟାରେ ଆରମ୍ଭ ହେବାକୁ ଥିବାବେଳେ ଦର୍ଶକମାନଙ୍କୁ ୧୧ଟାରେ ପ୍ରବେଶ ପାଇଁ ସମୟ ଦିଆଯାଇଛି। ପ୍ରଥମ ଇଂନିସ ଅପରାହ୍ଣ ୫.୩୦ରେ ଶେଷ ହେବ। ଏହାପରେ ଦ୍ବିତୀୟ ଇଂନିସ ୬ଟାରେ ଆରମ୍ଭ ହୋଇ ରାତି ୯.୩୦ରେ ଶେଷ ହେବ। ତେବେ ଖେଳ ଶେଷ ହେବା ପରେ ଦର୍ଶକ ଘରକୁ କିଭଳି ଫେରିବେ ତାକୁ ନେଇ କୌଣସି ବ୍ୟବସ୍ଥା ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ପକ୍ଷରୁ କରାଯାଇନାହିଁ। ଯାହାକୁ ନେଇ ଏବେ ଦର୍ଶକମାନେ ରାତିରେ କିଭଳି ଫେରିବେ ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ କ୍ରୁଟ କର୍ତ୍ତୃପକ୍ଷଙ୍କୁ ଗଡ଼ଗଡ଼ିଆ ମନ୍ଦିର ନିକଟରେ ୧୦ରୁ ୧୨ଟି 'ମୋ ବସ' ବ୍ୟବସ୍ଥା କରାଯାଉଥିଲା। ଏହି ବସ ଦର୍ଶକଙ୍କୁ ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ଭୁବନେଶ୍ବରକୁ ନେଇ ଯାଇଥାଏ। ଏ ବର୍ଷ ସେଭଳି ବ୍ୟବସ୍ଥା ହୋଇନାହିଁ। ଓସିଏ କର୍ତ୍ତୃପକ୍ଷ କେବଳ ପରିବହନ ବିଭାଗକୁ ମୌଖିକ ଭାବେ ବ୍ୟବସ୍ଥା କରିବାକୁ କହିଛନ୍ତି। ଏ ନେଇ କୌଣସି ଚିଠି କରାଯାଇ ନ ଥିବା ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଫଳରେ ବସ ରିକ୍ୟୁସନ କରାଯାଇନାହିଁ। କେବଳ ଘରୋଇ ବସ ମାଲିକଙ୍କୁ ବସ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ଓସିଏ ଏତେବଡ଼ ମ୍ୟାଚ ପରିଚାଳନା କରୁଥିବାବେଳେ ରାଜ୍ୟର କୋଣ ଅନୁକୋଣରୁ ଦର୍ଶକମାନେ କଟକ ମୁହାଁ ହେବେ। କର୍ତ୍ତୃପକ୍ଷ କିଭଳି ଭାବେ ଏଭଳି ଖାମଖିଆଲି ହୋଇ ମ୍ୟାଚ ଆୟୋଜନ କରୁଛି, ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଦର୍ଶକ ଖେଳ ଦେଖିବା ପରେ ଯଦି ସମସ୍ୟାରେ ପଡ଼ନ୍ତି, ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ପରିବହନ ବ୍ୟବସ୍ଥା ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଘରୋଇ ମାଲିକ ସଂଘକୁ ବସ ଚଳାଚଳ ପାଇଁ କୁହାଯାଇଛିଟ୍ଟ କିନ୍ତୁ ଷ୍ଟାଡିୟମ୍ରୁ ଦର୍ଶକ ବସଷ୍ଟାଣ୍ଡ ପର୍ଯ୍ୟନ୍ତ କିଭଳି ଯିବେ ତାକୁ ନେଇ କୌଣସି ଉତ୍ତର ଦେଇନଥିଲେ।












Click it and Unblock the Notifications