ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ଲଢେଇ
ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ । ପ୍ରଥମ ଥର ଫାଇନାଲ୍ ଖେଳୁଥିବା ଦକ୍ଷିଣ ଆଫ୍ରିକା ଚଳିତ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତିବା ସ୍ୱପ୍ନ ରଖିଛି ।

କେପଟାଉନ୍: ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ । ପ୍ରଥମ ଥର ଫାଇନାଲ୍ ଖେଳୁଥିବା ଦକ୍ଷିଣ ଆଫ୍ରିକା ଚଳିତ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଜିତିବା ସ୍ୱପ୍ନ ରଖିଛି । ମାତ୍ର ଏପର୍ଯ୍ୟନ୍ତ ଅପରାଜିତ ଥିବା ଅଷ୍ଟ୍ରେଲିଆର ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ୫ ଥର ବିଶ୍ବ ବିଜେତା ହେଉଛି ଅଷ୍ଟ୍ରେଲିଆ ।
ଯଦି ଦକ୍ଷିଣ ଆଫ୍ରିକା ବଜୟ ହସଲ କରୁଛି ତେବେ ଆୟୋଜକ ଭାବେ ବିଶ୍ବକପ୍ ହାସଲ କରିବାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ହୋଇଯିବ । ସେହିପରି ଦୁଇ ଫାଇନାଲିଷ୍ଟ ଗୋଟିଏ ଗ୍ରୁପ୍ର । ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଗ୍ରୁପ୍-୧ରେ ସ୍ଥାନ ପାଇଥିଲା ବେଳେ ଦୁହେଁ ମଧ୍ୟ ଫାଇନାଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ।
ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ଲଢୁଆ ପ୍ରଦର୍ଶନ ସହ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା । ଅଷ୍ଟ୍ରେଲିଆ ଉପରେ ବିଜୟ ପାଇଁ ଘରୋଇ ଦଳକୁ ସମାନ ପ୍ରଦର୍ଶନ କରିବାକୁ ପଡ଼ିବ । ଅଷ୍ଟ୍ରେଲିଆକୁ ପରାସ୍ତ କରିବା ସହଜ ନୁହେଁ । କାରଣ କଙ୍ଗାରୁ ଦଳ ରେକର୍ଡ ପାଞ୍ଚ ଥର ଚାମ୍ପିଅନ୍ ଏବଂ କ୍ରମାଗତ ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।
ଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ହେଲେ ଦକ୍ଷିଣ ଆଫ୍ରିକାର ଲୌରା ଉଲ୍ଭର୍ଟ, ତାମିନ ବ୍ରିଟ୍ସ, ଅଲ୍ରାଉଣ୍ଡର ମାରିଜାନେ କାପ୍ଙ୍କୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ପ୍ରଦର୍ଶନକୁ ଦୋହରାଇବାକୁ ପଡ଼ିବ। ସେମାନଙ୍କୁ ଅଷ୍ଟ୍ରେଲିଆ ବୋଲରଙ୍କଠୁ ରନ୍ ବାହାର କରିବାକୁ ପଡ଼ିବ । ପୁଣି ବୋଲିଂରେ ସବ୍ନିମ ଇସ୍ମାଇଲ, ଆୟାବୋଙ୍ଗା ଖାକା, ନାଦିନେ ଡି କ୍ଲେର୍କ ଏବଂ କାପ୍ଙ୍କୁ ପ୍ରଭାବୀ ସାବ୍ୟସ୍ତ ହୋଇ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ବାନ୍ଧି ରଖିବାକୁ ପଡ଼ିବ । ନଚେତ୍ ଆଲିସା ହିଲି, ବେଥ୍ ମୁନି, ଅଧିନାୟିକା ମେଗ୍ ଲାନିଂ, ବିସ୍ଫୋରକ ଆସ୍ଲେ ଗାର୍ଡନର, ଏଲିସେ ପେରି ଏବଂ ଗ୍ରେସ୍ ହାରିସ୍ଙ୍କୁ ନେଇ ଶକ୍ତିଶାଳୀ ବ୍ୟାଟିଂକ୍ରମ ରଖିଥିବା ଅଷ୍ଟ୍ରେଲିଆ ବାଜି ମାରିନେବ ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ : ଆଲିସା ହିଲେ (ୱିକେଟ୍ରକ୍ଷକ), ବେଥ୍ ମୁନି, ମେଗ୍ ଲାନିଂ (ଅଧିନାୟିକା), ଆସ୍ଲେ ଗାର୍ଡନର, ଗ୍ରେସ୍ ହାରିସ, ଏଲିସେ ପେରି, ତାହିଲା ମ୍ୟାକ୍ଗ୍ରା, ଜର୍ଜିଆ ୱେରହାମ୍, ଜେସ୍ ଜୋନାସେନ, ମେଗାନ ଶ୍ଚୁଟ୍, ଦାର୍ସି ବ୍ରାଉନ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ : ଲୌରା ଉଲ୍ଭର୍ଟ, ତମିନ ବ୍ରିଟ୍ସ, ମାରିଜାନେ କାପ୍, କ୍ଲୋଏ ଟ୍ରାୟନ, ନାଦିନେ ଡି କ୍ଲେର୍କ, ସୁନେ ଲୁସ୍ (ଅଧିନାୟିକା), ଆନେକେ ବୋଶ୍ଚ, ସିନୋଲା ଜାଫ୍ତା (ୱିକେଟ୍ରକ୍ଷକ), ସବ୍ନିମ ଇସ୍ମାଇଲ, ଆୟାବୋଙ୍ଗା ଖାକା, ନଙ୍କୁଲୁଲେକୋ ଏମ୍ଲାବା।












Click it and Unblock the Notifications