ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା, ଦଳକୁ ଫେରିଲେ କମିନ୍ସ-ହେଜଲଉଡ୍
ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଟିମ୍ ନିଜର ଅସ୍ଥାୟୀ (ପ୍ରୋଭିଜନାଲ) ଟିମ୍ ଘୋଷଣା କରିଛି । ଦଳକୁ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଓ ଜୋଶ ହେଜଲଉଡଙ୍କ କମବ୍ୟାକ୍ ହୋଇଛି । ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଆଉରାଉଣ୍ଡର୍ ମିଚେଲ ଓୱେନଙ୍କୁ ଟିମରେ ସ୍ଥାନ ମିଳି ନାହିଁ । ଚୟନକର୍ତ୍ତା ଚଳିଥର ସ୍ପିନକୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ କ୍ୱାଡ୍ ଚୟନ କରିଛନ୍ତି ।

ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଦଳ ଚୟନ ଉପରେ ବିଶ୍ୱାସ ପ୍ରକାଶ କରି କହିଛନ୍ତି, "ପ୍ୟାଟ୍ କମିନ୍ସ, ଜୋଶ୍ ହାଜେଲଉଡ୍ ଏବଂ ଟିମ୍ ଡେଭିଡ୍ ଭଲ ଭାବରେ ସୁସ୍ଥ ହେଉଛନ୍ତି । ଆମେ ନିଶ୍ଚିତ ଯେ ସେମାନେ ବିଶ୍ୱକପ୍ ପାଇଁ ଉପଲବ୍ଧ ହେବେ । ଏହା ଏକ ପ୍ରୋଭିଜନାଲ ଟିମ୍ ଏବଂ ଆବଶ୍ୟକ ହେଲେ ପରିବର୍ତ୍ତନ କରାଯାଇପାରେ ।"
ଅଷ୍ଟ୍ରେଲିଆ ଶ୍ରୀଲଙ୍କାରେ ନିଜ ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ । ସେଠାରେ ସ୍ପିନ୍-ଅନୁକୂଳ ପିଚ୍ ଆଶା କରାଯାଉଛି । ଏହାକୁ ଧ୍ୟାନରେ ରଖି ଆଡାମ ଜାମ୍ପାଙ୍କ ସହିତ ବାମହାତୀ ସ୍ପିନର ମାଥ୍ୟୁ କୁହ୍ନେମାନ ଏବଂ କୁପର କନୋଲିଙ୍କୁ ଦଳରେ ସାମିଲ କରାଯାଇଛି । ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ଏକ ପାର୍ଟ-ଟାଇମ୍ ସ୍ପିନ୍ ବିକଳ୍ପ ପ୍ରଦାନ କରିବେ ।
ପଞ୍ଜାବ କିଙ୍ଗ୍ସ ଷ୍ଟାର ମିଚେଲ ଓୱେନଙ୍କୁ ଦଳରୁ ବାଦ ଦିଆଯିବା ସବୁଠାରୁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା । ଅଲରାଉଣ୍ଡର ଓୱେନଙ୍କୁ ପଞ୍ଜାବ କିଙ୍ଗ୍ସ ରିଟେନ୍ କରିଥିବା ସତ୍ତ୍ୱେ, ସେ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇପାରି ନାହାନ୍ତି । ଏହା ବ୍ୟତୀତ, ଜୋଶ ଇଙ୍ଗଲିସଙ୍କ ପାଇଁ କୌଣସି ବ୍ୟାକଅପ୍ ୱିକେଟକିପରଙ୍କୁ ଚୟନ କରାଯାଇ ନାହିଁ ।












Click it and Unblock the Notifications