ଏସିଆ କପ: ଶ୍ରୀଲଙ୍କାକୁ ୨୧୩ ପୂର୍ବରୁ ରୋକିଲେ ଭାରତ ହାସଲ କରିବ ଫାଇନାଲ ଟିକେଟ୍
କଲମ୍ବୋ: ଚଳିତ ଏସିଆ କପ ସୁପର୍-୪ର ଭାରତ ତାର ଦ୍ବିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟୁଛି । କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଖେଳା ଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଆଗରେ ବିଜୟ ଲକ୍ଷ୍ୟ ୨୧୪ ରନର ରଖିଛି ଭାରତ । ତେଣୁ ଆଜି ମ୍ୟାଚରେ ଶ୍ରୀଲଙ୍କାକୁ ୨୧୩ ପୂର୍ବରୁ ରୋକିଲେ ଭାରତ ହାସଲ କରିବ ଫାଇନାଲ ଟିକେଟ୍ ।
କହିରଖୁ କି, ଦିନକ ପୂର୍ବରୁ ପାକିସ୍ତାନ ବିପକ୍ଷରେ ଏକ ବିଶାଳ ବିଜୟ ଠିଆ କରିଥିବା ଭାରତୀୟ ଟିମ ଆଜି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇ ମାତ୍ର ୨୧୩ ରନ କରି ଅଲଆଉଟ ହୋଇଯାଇଥିଲା । ଓପନିଂ ଯୋଡ଼ିର ୮୦ ରନ୍ ସତ୍ତ୍ୱେ ପୂରା ୫୦ ଓଭର ଖେଳି ପାରିନି ଭାରତୀୟ ଦଳ ।

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୪୯.୧ ଓଭର ଖେଳି ୨୧୩ ରନ୍ରେ ସମସ୍ତ ୱିକେଟ ହରାଇଛି। ଭାରତୀୟ ବ୍ୟାଟର ଆଜି ଶ୍ରୀଲଙ୍କା ସ୍ପିନରଙ୍କୁ ଖେଳିପାରି ନାହାନ୍ତି। ଶ୍ରୀଲଙ୍କା ଦୁଇ ସ୍ପିନର ଦୁନିଥ୍ ୱେଲାଲାଗେ ଓ ଚରିଥ ଆଶାଲଙ୍କା ବିପର୍ଯ୍ୟୟ ସୃଷ୍ଟି କରିବା ସହ ଦୁଇ ଜଣ ୯ ୱିକେଟ ବାଣ୍ଟି ନେଇଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଧିନାୟକ ରୋହିତ ଓ ଶୁବମନ ଗିଲ୍ ଭଲ ଷ୍ଟାର୍ଟ ଦେଇଥିଲେ। ଗିଲ୍ ଦଳୀୟ ସ୍କୋର ୮୦ ଥିବା ବେଳେ ବ୍ୟକ୍ତିଗତ ୧୯ ରନ କରି ଆଉଟ ହୋଇଥିଲେ। ଏହାପରେ ପଡିଆକୁ ଆସିଥିବା ବିରାଟ ବି ଫେଲ ମାରିଥିଲେ ।
ତେବେ ଇଶାନ କିଷନ ଓ କେ.ଏଲ. ରାହୁଲ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୩୯ ରନ ଓ କିଷନ ୩୩ ରନ କରିଥିଲେ । କିଷନ ଆଉଟ ହେବା ପରେ ଦଳର ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । କିନ୍ତୁ ଶେଷ ବେଳକୁ ଅକ୍ଷର ପଟେଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୩ ପର୍ଯ୍ୟନ୍ତ ନେଇଯାଇଥିଲେ । ସେ ୨୬ ରନ କରି ଶେଷ ଓଭରରେ ଆଉଟ ହୋଇଥିଲେ ।
ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍ ୱାଲାଙ୍ଗେ ୫ଟି ଓ୍ବିକେଟ ନେଇଥିବା ବେଳେ ଚରିଥ୍ ଅସଲଙ୍କା ୪ଟି ୱିକେଟ ନେଇଥିଲେ ।












Click it and Unblock the Notifications