ଆଇପିଏଲ ଫାଇନାଲ ପରେ ହେବ ଏସିଆ କପ୍ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ଫାଇନାଲ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଦେଖିବାକୁ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଭାପତିମାନେ ଆସିବେ । ଏହି ସମୟରେ ଏସିଆ କପ୍ ୨୦୨୩ ଆୟୋଜନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।
ଚଳିତ ବର୍ଷ ଏସିଆ କପ କେଉଁ ଦେଶ ଆୟୋଜନ କରିବ, ସେ ସମ୍ପର୍କରେ ଆଇପିଏଲ ଫାଇନାଲ ମ୍ୟାଚ୍ ପରେ ଘୋଷଣା କରାଯିବ। ଏନେଇ ଜୟ ଶାହ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ଏସିଆ କପ କେଉଁଠି ଓ କିଏ ଆୟୋଜନ କରିବ, ତା'ର ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଆମେ ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତ ଅଛୁ । କିନ୍ତୁ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପ୍ରତିନିଧିମାନେ ଆଇପିଏଲର ଫାଇନାଲ ମ୍ୟାଚ୍ ଦେଖିବାକୁ ଆସୁଛନ୍ତି । ଏହି ସମୟରେ ଆମେ ଆଲୋଚନା କରିବୁ ଓ ଠିକ ସମୟ ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।"

ଚଳିତ ବର୍ଷ ଏସିଆ କପର ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି । ତେବେ ଭାରତୀୟ କ୍ରିକେଟ୍ ଦଳ କେନ୍ଦ୍ର ସରକାରଙ୍କ ଅନୁମତି ବିନା ପଡ଼ୋଶୀ ଦେଶକୁ ଯାଇପାରିବ ନାହିଁ । ପିସିବି ଅଧ୍ୟକ୍ଷ ନଜାମ ସେଠୀ ଏକ 'ହାଇବ୍ରିଡ୍ ମଡେଲ୍' ପ୍ରସ୍ତାବ ଦେଇଥିଲେ । 'ହାଇବ୍ରିଡ୍ ମଡେଲ୍' ଅନୁଯାୟୀ ଶ୍ରୀଲଙ୍କା, ଆଫଗାନିସ୍ତାନ, ଆଫଗାନିସ୍ତାନ, ନେପାଳ, ବାଂଲାଦେଶ ପାକିସ୍ତାନରେ ପ୍ରଥମ ୪ଟି ମ୍ୟାଚ୍ ଖେଳିବେ । ଭାରତ ନିରପେକ୍ଷ ସ୍ଥାନରେ ତାର ସମସ୍ତ ମ୍ୟାଚ୍ ଖେଳିବ ।
ଏସିସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେଠୀଙ୍କ ହାଇବ୍ରିଡ ମଡେଲ ଅନୁଯାୟୀ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଓ ଆଫଗାନିସ୍ତାନ ସେମାନଙ୍କର ପ୍ରଥମ ମ୍ୟାଚ୍ ଗୁଡ଼ିକ ପାକିସ୍ତାନରେ ଖେଳିବେ । ଭାରତ ତା'ର ସବୁ ମ୍ୟାଚ୍ କୌଣସି ନିରପେକ୍ଷ ସ୍ଥାନରେ ଖେଳିବ । ଏହି ପ୍ରସ୍ତାବରେ ବିସିସିଆଇ ମଧ୍ୟ କିଛି ମାତ୍ରାରେ ରାଜି ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୨ଟି ମ୍ୟାଚ୍ ବିସିସିଆଇ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ଚାହୁଁଛି । କିନ୍ତୁ ପିସିବି ଦୁବାଇରେ ଆୟୋଜନ କରିବା ସପକ୍ଷରେ ରହିଛି । ତେବେ ଖୁବଶୀଘ୍ର ଏସିସି ମୁଖ୍ୟ ଜୟ ଶାହ ଗୋଟିଏ ବୈଠକ ଡାକିବେ । ଏହି ବୈଠକ ପରେ ଏସିଆ କପ୍ ଆୟୋଜନ ସମ୍ପର୍କରେ ଘୋଷଣା କରାଯିବ ।












Click it and Unblock the Notifications