ଆସନ୍ତା ୯ ତାରିଖରୁ ଏସିଆ କପ୍ କ୍ରିକେଟ୍; ହଂକଂ-ଆଫଗାନିସ୍ତାନ ଉଦ୍ଘାଟନୀ ମୁକାବିଲା, ୧୪ ରେ ଭାରତ ବନାମ ପାକିସ୍ତାନ
ଆସନ୍ତା ୯ ତାରିଖରୁ ଏସିଆ କପ୍ କ୍ରିକେଟ୍ । ଭାରତୀୟ ଦଳ ଏଠାରେ ପହଞ୍ଚିବା ପରେ ଏହି ୮ଦଳୀୟ ପ୍ରତିଯୋଗିତାକୁ ନେଇ ବଢ଼ିଛି ଉତ୍ସାହ। ଭାରତୀୟ ଦଳ ମଧ୍ୟ କୌଣସି ସମୟ ଅପଚୟ ନକରି ଆରମ୍ଭ କରିଦେଇଛି ଜୋରଦାର୍ ପ୍ରସ୍ତୁତି।
ହଂକଂ-ଆଫଗାନିସ୍ତାନ ଉଦ୍ଘାଟନୀ ମୁକାବିଲାର ପରଦିନ ଅର୍ଥାତ୍ ୧୦ ତାରିଖରେ ଭାରତୀୟ ଦଳ ମଇଦାନକୁ ଓହ୍ଲାଉଥିବାରୁ ସମସ୍ତଙ୍କ ନଜର ଏବେ ସୂର୍ଯ୍ୟକୁମାର ୟାଦବଙ୍କ ଯୁବ ବାହିନୀ ଉପରେ। ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଘରୋଇ ୟୁଏଇର ମୁକାବିଲା କରିବ।
ତେବେ ଅଧିକ ଚର୍ଚ୍ଚାରେ ରହିଛି ୧୪ ତାରିଖର ଭାରତ-ପାକିସ୍ତାନ ମ୍ୟାଚ୍। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା ଏହି ମହାଟକ୍କରକୁ ନେଇ ଭାରତ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ତେବେ ଶୁବମନ୍ ଗିଲ୍ ଉପଅଧିନାୟକ ନିଯୁକ୍ତ ହେବା ପରେ ଭାରତୀୟ ଚୂଡ଼ାନ୍ତ ଏକାଦଶର ରୂପରେଖ କିଭଳି ରହିବ? ତାକୁ ନେଇ ମଧ୍ୟ ତର୍କ ବିତର୍କ ଚାଲିଛି।

ଏସିଆ କପ୍ ପାଇଁ ଭାରତ ଘୋଷଣା କରିଥିବା ଦଳରେ ୩ ଜଣ ଓପନର୍ ଥିବାରୁ କିଏ ବାସ୍ତବରେ ପାଳି ଆରମ୍ଭ କରିବେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ପୂର୍ବରୁ ଟ୍ବେଣ୍ଟି-୨୦ରେ ସଂଜୁ ସାମସନ୍ ଓ ଅଭିଷେକ ଶର୍ମା ପାଳି ଆରମ୍ଭ କରି ସଫଳତା ପାଇଥିଲେ। କିନ୍ତୁ ଶୁବମନ ଗିଲ୍ଙ୍କ ପ୍ରତ୍ୟାବର୍ତ୍ତନ ଓ ଉପଅଧିନାୟକ ନିଯୁକ୍ତ ହେବା ଏବେ ସଂଜୁଙ୍କ ପାଇଁ ସତର୍କଘଣ୍ଟି ବୋଲି କୁହାଯାଉଛି।
ଅଭିଷେକ ଶର୍ମାଙ୍କ ସହ ଶୁବମନ ଗିଲ୍ ପାଳି ଆରମ୍ଭ କରିବେ ବୋଲି ବିଶ୍ବାସ କରୁଛନ୍ତି ପୂର୍ବତନ କ୍ରିକେଟର୍ ମଦନ ଲାଲ। ଟ୍ବେଣ୍ଟି-୨୦ରେ ଓପନିଂ ଗୁରୁତ୍ବପୂର୍ଣ୍ଣ। ପ୍ରଥମ ୬ ଓଭରରେ ଓପନର୍ମାନେ ଗେମ୍କୁ ବାଟ ଦେଖାଇଥାନ୍ତି। ପରବର୍ତ୍ତୀ ଓଭର ପିଛା ୭,୮,୯ ରନ୍ ଲେଖାଏଁ ସଂଗ୍ରହ ସହ ଶେଷ ୪ ଓଭରରେ ହାର୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କଠାରୁ ବଡ଼ ହିଟ୍ ଆଶା କରିହେବ ବୋଲି ମଦନ ଲାଲ୍ କହିଛନ୍ତି।












Click it and Unblock the Notifications