ଆରସିବି ଚାମ୍ପିଅନ ହେବା ମାତ୍ରକେ, ବିରାଟ କୋହଲିଙ୍କ ଆଖି ହେଲା ଛଳ ଛଳ
୧୮ ବର୍ଷ ପ୍ରତୀକ୍ଷାର ଅନ୍ତ । ବିରାଟଙ୍କ ମୁଣ୍ଡରେ ଆଇପିଏଲ ମୁକୁଟ । ପ୍ରଥମ ଥର ପାଇଁ ଚାମ୍ପିଆନ ହେଲା ବେଙ୍ଗାଳୁରୁ ।
ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇଛି ଆରସିବି । ମଙ୍ଗଳବାର ଆଇପିଏଲର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୯ୱିକେଟରେ ୧୯୦ରନ ସଂଗ୍ରହ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ।
ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲା ଆରସିବି । କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ ପଡିଥିଲା। ଆରସିବି ପକ୍ଷରୁ କୋହଲି ସର୍ବାଧିକ ୪୩ ରନ କରିଥିବା ବେଳେ ରଜତ ପଟିଦାର ୨୬, ଲିଭିଙ୍ଗଷ୍ଟୋନ ୨୫, ମୟଙ୍କ ଅଗ୍ରୱାଲ ୨୪, ଜିତେଶ ଶର୍ମା ୨୪ ରନ କରିଥିଲେ। ପଞ୍ଜାବ କିଙ୍ଗସ ପକ୍ଷରୁ ଅର୍ଶଦୀପ ସିଂ ଓ ଜାମଲେସନ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୧୯୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବକୁ ପ୍ରଭସିମରନ ଓ ପ୍ରିୟାଂଶ ଆର୍ଯ୍ୟ ଭଲ ଆରମ୍ଭ ଦେଇଥିଲେ ।

ଦୁହେଁ ଓପନିଂରେ ୪୩ ରନ ଯୋଡ଼ିଥିଲେ। ପ୍ରିୟାଂଶ ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ କ୍ରିଜରେ ସେଟ୍ ହୋଇ ସାରିଥିବା ପ୍ରଭସିମରନ ସିଂ ୨୨ ବଲରୁ ୨୬ ରନର ଧିମା ଇନିଂସ ଖେଳି ଆଉଟ୍ ହୋଇଥିଲେ । ତେବେ ଶ୍ରେୟସ ଆୟର ୧ ରନ କରି ଆଉଟ୍ ହୋଇଥିଲେ। ଜୋଶ ଇଙ୍ଗ୍ଲିଶ ବିସ୍ଫୋରକ ବ୍ୟାଟିଂ କରି ୩୯ ରନ କରିଥିଲେ। ଶେଷ ଆଡ଼କୁ ଶଶାଙ୍କ ସିଂ ଏକାକୀ ସଂଘର୍ଷ କରିଥିଲେ ମଧ୍ୟ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା । ଶଶାଙ୍କ ୩୦ ବଲରୁ ୩ ଚୌକା ଓ ୬ ଛକା ସହ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ ।
ଶେଷରେ ପଞ୍ଜାବ ୭ ଓ୍ଵିକେଟ୍ ହରାଇ ୧୮୪ ରନ କରି ପାରିଥିଲା। ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା ୪ ଓଭର ବୋଲିଂ କରି ୧୭ ରନ ଦେଇ ୨ ପ୍ରମୁଖ ଓ୍ଵିକେଟ୍ ନେଇଥିଲେ। ଭୁବନେଶ୍ଵର କୁମାର ୩୮ ରନ ବ୍ୟୟ କରି ୨ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ୟଶ ଦୟାଲ ଚମତ୍କାର ବୋଲିଂ କରି ୩ ଓଭରରେ ମାତ୍ର ୧୮ ରନ ଦେଇ ଗୋଟିଏ ସଫଳତା ପାଇଥିଲେ। ପ୍ରଥମ ଥର ପାଇଁ ଆରସିବି ଆଇପିଏଲ ଚାମ୍ପିଅନ ହୋଇଛି । ପୂର୍ବରୁ ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ୍ ରେ ପହଞ୍ଚି ନିରାଶ ହୋଇଥିଲା । ହେଲେ ଏଥର ମିଳିଥିବା ସୁଯୋଗକୁ ହାତଛଡ଼ା କରିନି ଆରସିବି ।
ଏପଟେ ଆରସିବିର ବିଜୟ ପରେ ଭୋ ଭୋ କାନ୍ଦିଲେ ବିରାଟ । ପୂର୍ବରୁ ତିନି ଥର ଆରିସିବି ଫାଇନାଲକୁ ଯାଇଥିଲେ ବି ପ୍ରତି ଥର ନିରାଶ ହେବାକୁ ପଡ଼ିଥିଲା । ଏଥର ୧୮ତମ ସିଜିନରେ ୧୮ ନମ୍ବର ଜର୍ସି ପିନ୍ଧିଥିବା କୋହଲି ଆରସିବି ଚାମ୍ପିଅନ ହେବା ମାତ୍ରେ ନିଜକୁ ନିୟନ୍ତ୍ରଣ କରି ପାରି ନ ଥିଲେ । ମ୍ୟାଚ୍ ଜିତିବା ମାତ୍ରେ ବିରାଟ କୋହଲିଙ୍କ ଆଖି ଛଳ ଛଳ ହୋଇ ଉଠିଥିଲା ।
ଫାଇନାଲରେ ଶେଷ ଓଭର ବୋଲିଂ କରିଥିଲେ ଜୋଶ ହେଜେଲଉଡ । ବିଜୟ ବେଙ୍ଗାଲୁରୁର ପ୍ରାୟ ନିକଟତର ଥିଲା । ଯେମିତି ଓଭରର ପ୍ରଥମ ତିନୋଟି ବଲ୍ ପଡ଼ିଲା, ବିରାଟ କୋହଲି ବେଶ ଭାବ ବିହ୍ଵଳ ହୋଇ ପଡ଼ିଥିଲେ । ମ୍ୟାଚ୍ ସରି ନ ଥିଲେ ବି ଆରସିବିର ବିଜୟ ସୁନିଶ୍ଚିତ ହୋଇ ସାରିଥିଲା । କୋହଲି ନିଜକୁ ଆଉ ସମ୍ଭାଳି ପାରିନଥିଲେ । ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବହିଯାଇଥିଲା ।












Click it and Unblock the Notifications