Abhisek Sharma: ଭାରତ ବନାମ ଜିମ୍ବାୱେ ମ୍ୟାଚରେ ନୂଆ ରେକର୍ଡ କଲେ ଅଭିଷେକ ଶର୍ମା
ଭାରତୀୟ ଦଳର ଯୁବ ଓପନର୍ ଅଭିଷେକ ଶର୍ମା ତାଙ୍କ ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରି ରେକର୍ଡ ବୁକକୁ ହଲାଇ ଦେଇଛନ୍ତି । ରବିବାର ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶର୍ମା ମାତ୍ର ୪୬ ଟି ବଲରେ ସାତ ଚୌକା ଓ ୮ ଛକା ସହାୟତାରେ ଏକ ଶତକ ହାସଲ କରିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ ୪୭ବଲରେ ୧୦୦ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଅଭିଷେକଙ୍କ ଇନିଂସ ଆଧାରରେ ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ଦୁଇଟି ୱିକେଟ ହରାଇବା ପରେ ୨୩୪ ରନ ସଂଗ୍ରହ କରିଥିଲା।
ହରାରେରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ପଞ୍ଜାବର ଅଭିଷେକ ଶର୍ମା ୩୩ ବଲରେ ୫ ଚୌକା ଓ ୩ ଛକା ସହାୟତାରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ତାଙ୍କର ପଚାଶ ପୂରଣ କରିବା ମାତ୍ରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ୧୩ବଲରେ ୨ଟି ଚୌକା ଓ ୫ଛକା ସହାୟତାରେ ଶତକ ପୂରଣ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଇନିଂସ ୱେଲିଙ୍ଗଟନ ମାସାକାଡଜାଙ୍କ ଦ୍ୱାରା ଶେଷ ହୋଇଥିଲା।
ସବୁଠାରୁ ଅଳ୍ପ ଇନିଂସରେ ଟି -୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ଅଭିଷେକ ଶର୍ମା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଶର୍ମା ତାଙ୍କ କ୍ୟାରିୟରର ଦ୍ୱିତୀୟ ଇନିଂସରେ ଏକ ଶତକ ହାସଲ କରିଥିଲେ। ସେ ତାଙ୍କ ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଇନିଂସରେ ଶତକ ହାସଲ କରିଥିବା ଦୀପକ ହୁଡାଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଘରୋଇ ପରିବେଶରେ ୨୩୫ ରନର ଟାର୍ଗେଟ ପାଇଥିବା ଜିମ୍ବାୱେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ଇନୋସେଣ୍ଟ କାଇଆ ମାତ୍ର ୪ ରନ କରି ପୁଣିଥରେ ମୁକେଶ କୁମାରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ।
ଜିମ୍ବାୱେ ୭୧ ରନରେ ୭ ୱିକେଟ ହରାଇଥିଲା। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଦଳର ଓପନର ୱେସ୍ଲେ ମାଧେଭେରେ ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ। ସେ ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ରବି ବିଷ୍ଣୋଇ ଆଉଟ କରି ସବୁ ଆଶାରେ ପାଣି ପକାଇ ଦେଇଥିଲେ। ମାଧେଭେରେ ୩୯ ବଲରେ ୪୩ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ଗୋଟିଏ ଛକା ଓ ୩ଟି ଚୌକା ମାରିଛନ୍ତି। ଲୁକେ ଜୋଙ୍ଗୱେ ଶେଷ ଭାଗରେ କିଛି ବଡ଼ ଶଟ ଖେଳିବାରୁ ଦଳୀୟ ସ୍କୋର ୧୦୦ ପାର କରିଥିଲା।
ତେବେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା। ଜୋଙ୍ଗୱେ ଦମଦାର ବ୍ୟାଟିଂ କରୁଥିବା ବେଳେ ଆବେଶ ଖାନ ୨ ରନ କରିଥିବା ବ୍ଲେସିଂ ମୁଜାରାବାନିଙ୍କୁ ଆଉଟ କରି ଜିମ୍ବାୱେକୁ ୯ମ ଝଟକା ଦେଇଥିଲେ। ତଥାପି ଜୋଙ୍ଗୱେ ଶଟ ଖେଳିବା ବନ୍ଦ କରି ନଥିଲେ। କିନ୍ତୁ ୧୯ତମ ଓଭରର ୪ ର୍ଥ ବଲରେ ମୁକେଶ କୁମାର ୩୩ ରନ କରିଥିବା ଜୋଙ୍ଗୱେଙ୍କୁ ଆଉଟ କରି ଜିମ୍ବାୱେ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଜିମ୍ବାୱେ ୧୮.୪ ଓଭରରେ ୧୩୪ କରି ସମସ୍ତ ୱିକେଟ ହରାଇବାରୁ ଭାରତ ୧୦୦ ରନରେ ମ୍ୟାଚ ଜିତି ନେଇଛି।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications