ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ ଫିଞ୍ଚ, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ
ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ । ଶନିବାର ଅଚାନକ ଦିନିକିଆ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ । ଶନିବାର ଅଚାନକ ଦିନିକିଆ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନିଜର ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ଫିଞ୍ଚ । ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ ଫ୍ରାଞ୍ଚାଇଜ ଖେଳ ଜାରି ରଖିବେ ଆରୋନ ଫିଞ୍ଚ।

ଆରୋନ ଫିଞ୍ଚ ମଧ୍ୟ ଅଷ୍ଟ୍ରେଲିଆର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଜଣେ । ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୨୧ ଟି-୨୦ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଟି-୨୦ ଚାମ୍ପିୟନ ହୋଇଥିଲା । ତେବେ ଦିନିକିଆରୁ ହଠାତ୍ ଫିଞ୍ଚଙ୍କ ଅବସରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟପ୍ରେମୀ । କିନ୍ତୁ ଗତ କିଛି ମ୍ୟାଚରେ ଖରାପ ପ୍ରଦର୍ଶନ କାରଣରୁ ଫିଞ୍ଚ ଦିନିକିଆ ଫର୍ମାଟରୁ ଅବସର ନେଇଥିବା ନେଇ ଚର୍ଚ୍ଚା ହେଉଛି ।
ଏକ ବୟାନ ଜାରି କରି ଫିଞ୍ଚ କହିଛନ୍ତି ଯେ, 'ସମୟ ଆସିଯାଇଛି। ଆଉ ଜଣେ ନୂଆ ଅଧିନାୟକ ଦଳକୁ ବିଶ୍ୱକପ ଜିତାଇବାକୁ ସୁଯୋଗ ପାଇବେ। ଏହି ଯାତ୍ରା ବହୁତ ସୁନ୍ଦର ଥିଲା। ସେ କିଛି ସ୍ମରଣୀୟ ବିଜୟର ଅଂଶ ରହିଛନ୍ତି। ତାଙ୍କୁ ବହୁତ ସମର୍ଥନ ମିଳିଛି । ଧନ୍ୟବାଦ।' ଚଳିତବର୍ଷ ଫିଞ୍ଚ ୧୩ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଞ୍ଚ ଶୂନରେ ଆଉଟ ହୋଇଥିଲେ। ଯାହା ସମସ୍ତଙ୍କୁ ନିରାଶ କରିଥିଲା।
ସୂଚନାଯୋଗ୍ୟ, ଫିଞ୍ଚ ଅଷ୍ଟ୍ରେଲିଆ ପାଇଁ ଏବେ ସୁଦ୍ଧା ୧୪୫ଟି ଦିନିକିଆ ଖେଳିଛନ୍ତି। ଫିଞ୍ଚ ଅଷ୍ଟ୍ରେଲିଆ ପକ୍ଷରୁ ୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହାସହ ସେ ୫୪୦୧ ରନ୍ କରିଛନ୍ତି। ତାଙ୍କ ନାମରେ ୧୭ ସେଞ୍ଚୁରୀ ଓ ୩୦ଟି ହାଫ୍-ସେଞ୍ଚୁରୀ ମଧ୍ୟ ରହିଛି। ଏହାସହ ଆଇପିଏଲରେ ମଧ୍ୟ ଫିଞ୍ଚଙ୍କର ଜବରଦସ୍ତ ପ୍ରଦର୍ଶନ ରହିଛି । ଆଇପିଏଲରେ ଫିଞ୍ଚଙ୍କ ନାଁରେ ନିଆରା ରେକର୍ଡ ରହିଛି । ଆଇପିଏଲର ୯ଟି ଟିମ୍ ପକ୍ଷରୁ ଖେଳି ସାରିଛନ୍ତି ଫିଞ୍ଚ । ୯୨ ମ୍ୟାଚରୁ ଫିଞ୍ଚ ୨୦୯୧ ରନ୍ କରିଛନ୍ତି ଫିଞ୍ଚ । ଯେଉଁଥିରେ ୧୫ଟି ଅର୍ଦ୍ଧଶତକ ରହିଛି ।












Click it and Unblock the Notifications