ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ସାମିଲ ହେବ 28 ଜଣ ଭାରତୀୟ: ଜାଣନ୍ତୁ, ତାଲିକାରେ ଅଛନ୍ତି କେଉଁମାନେ...
ଆସନ୍ତାକାଲି ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ସାମିଲ ହେବ 28 ଜଣ ଭାରତୀୟ । ଯେଉଁଥିରେ ରହିଛନ୍ତି 22 ଜଣ ଖେଳାଳି ଓ 6 ଜଣ ଅଫିସିଆଲ୍ସ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନର ପ୍ରେସିଡେଣ୍ଟ ନରେନ୍ଦ୍ର ବାତ୍ରା ।
ନୂଆଦିଲ୍ଲୀ: ଆସନ୍ତାକାଲି (ଜୁଲାଇ 23, ଶୁକ୍ରାବାର) ଆରମ୍ଭ ହେବାକୁ ଯାଉଛି କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ 2021 । ଯେଉଁଥିରେ ଭାରତର 127 ଖେଳାଳି ପଦକ ଜିତିବା ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିବେ । ତେବେ ଆସନ୍ତାକାଲି ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ସାମିଲ ହେବ 28 ଜଣ ଭାରତୀୟ । ଯେଉଁଥିରେ ରହିଛନ୍ତି 22 ଜଣ ଖେଳାଳି ଓ 6 ଜଣ ଅଫିସିଆଲ୍ସ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନର ପ୍ରେସିଡେଣ୍ଟ ନରେନ୍ଦ୍ର ବାତ୍ରା ।

ସେହିପରି ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତୀୟ ପତାକା ଓ ସମାଲ ଧରିବେ 6 ଥରର ବିଶ୍ବ ଚାମ୍ପିଅନ ମେରି କମ୍ ଏବଂ ଭାରତୀୟ ହକି ଦଳର ଅଧନାୟକ ମନପ୍ରୀତ୍ ସିଂ । ତେବେ ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ପରେ ପରେ ପ୍ରଥମ ଦିନ ହିଁ କିଛି ଭାରତୀୟ ଖେଳାଳିଙ୍କ ମ୍ୟାଚ ରହିଥିବାରୁ ସେମାନଙ୍କୁ ଏହି ଉଦଘାଟନୀ ଉତ୍ସବରେ ସାମିଲ ନ ହେବା ପାଇଁ ସଙ୍ଘ ପରାମର୍ଶ ଦେଇଛି । ପ୍ରଥମ ଦିନ ତୀରନ୍ଦାଜ ଦଳର ମ୍ୟାଚ ରହିଛି । 23 ଜୁଲାଇ ଅର୍ଥାତ ପ୍ରଥମ ଦିନ ମହିଳା ବ୍ୟକ୍ତିଗତ ଯୋଗ୍ୟତା ରାଉଣ୍ଡରେ ପଡିଆକୁ ଓହ୍ଲାଇବେ ଦୀପିକା କୁମାରୀ । ସନ୍ଧ୍ୟା 5:30 ତାଙ୍କର ମ୍ୟାଚ ରହିଛି । ସେହିପରି ସେହିଦିନ ପୁରୁଷ ବ୍ୟକ୍ତିଗତ ଯୋଗ୍ୟତା ରାଉଣ୍ଡରେ ଅତନୁ ଦାସ, ପ୍ରବୀଣ ଯାଦବ, ତରୁଣ୍ଡିପ ରାୟ ମ୍ୟାଚ ଖେଳିବେ । ରାତି 9:30ରେ ଏହି ମ୍ୟାଚ ଖେଳାଯିବ ।
ସୂଚନାଥାଉ କି, ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବ ଜୁଲାଇ 23 ତାରିଖ ଅପରାହ୍ନ 4:30ରେ ଜାପାନ ନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହେବ । ଏହି ଉଦଘାଟନୀ ଉତ୍ସବରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 950 ଜଣଙ୍କୁ ସାମିଲ ହେବା ପାଇଁ ଜାପାନ ସରକାର ଅନୁମତି ଦେଇଛନ୍ତି ।
ତେବେ ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ସାମିଲ ହେବାକୁଥିବା 28 ଜଣ ଭାରତୀୟଙ୍କ ମଧ୍ୟରେ ହକି ଦଳରୁ ଜଣେ, ବକ୍ସିଂ ଦଳରୁ 8 ଜଣ, ଟେବୁଲ ଟେନିସରୁ 4 ଜଣ, ନୌଚାଳନାରୁ 2 ଜଣ, ଜିମ୍ନାଷ୍ଟିକ୍ରୁ ଜଣେ, ସନ୍ତରଣରୁ ଜଣେ, ଜାହାଜ ଚାଳନାରୁ 4 ଜଣ, ଖଣ୍ଡା ଯୁଦ୍ଧରୁ ଜଣେ ଓ 6 ଜଣ ଅଫିସିଆଲ୍ସ ସାମିଲ ରହିଛନ୍ତି ।












Click it and Unblock the Notifications