ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଜେରା
ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ହରିୟାଣା ପୁଲିସ ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଶନିବାର ହିସାରରୁ ଗିରଫ କରିଥିଲା। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲେ। ସେ ବିଭିନ୍ନ ସମୟରେ ପାକିସ୍ତାନ ଗସ୍ତ କରିଥିବାବେଳେ ୨୦୨୪ ସେପ୍ଟେମ୍ବର ମାସରେ ପୁରୀ ଆସିଥିଲେ। ଏହା ଜଣାପଡ଼ିବା ପରେ ଗୁଇନ୍ଦା ବ୍ୟୁରୋ(ଆଇବି) ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଜ୍ୟୋତିଙ୍କ ସହିତ ପୁରୀର ଜଣେ ଯୁବତୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତାଙ୍କୁ ଜେରା କରାଯାଉଛି।

ଗୁଇନ୍ଦା ଅଧିକାରୀମାନେ ରବିବାର ପୁରୀ ପୁଲିସ ସହାୟତାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଜେରା କରିଛନ୍ତି। ଜ୍ୟୋତିଙ୍କ ସହିତ ତାଙ୍କର କ'ଣ ସମ୍ପର୍କ ରହିଥିଲା ସେ ନେଇ ପୁଲିସ ଏବଂ ଗୁଇନ୍ଦା ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି। ପୁରୀ ଯୁବତୀ ଜଣକ ମଧ୍ୟ ଜଣେ ୟୁଟ୍ୟୁବର ବୋଲି ଜଣାପଡ଼ିଛି। ତେବେ ଯୁବତୀ ଜଣକ ଜ୍ୟୋତିଙ୍କର କେବଳ ଜଣେ ବନ୍ଧୁ ବୋଲି କହିଥିବା ସୂଚନା ମିଳିଛି। ପୁରୀ ଯୁବତୀ ସ୍ପଷ୍ଟ କରିଛନ୍ତି ଯେ, ୟୁଟ୍ୟୁବ ଜରିଆରେ ସେ ଜ୍ୟୋତିଙ୍କ ସହ ପରିିଚିତ ହୋଇଥିଲେ। ଜ୍ୟୋତି ଶତ୍ରୁ ଦେଶର ଗୁପ୍ତଚର ବୋଲି ସେ ଜାଣି ନ ଥିଲେ। ଏ ବିଷୟରେ ସେ ଜାଣିଥିଲେ ତାଙ୍କ ସହ କେବେ ବି ସମ୍ପର୍କରେ ଆସି ନ ଥାଆନ୍ତେ। ଆବଶ୍ୟକ ପଡ଼ିଲେ ମାମଲାର ତଦନ୍ତରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।
ଜ୍ୟୋତି ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ପୁରୀ ଆସିଥିବା ନେଇ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ଏବେ ସେ ଗିରଫ ହେବା ପରେ ପୁରୀ ସମ୍ପର୍କିତ କିଛି ତଥ୍ୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଦେଇଥିବା ଅନୁମାନ କରାଯାଉଛି । କେବଳ ପୁରୀ ନୁହେଁ, ସେ ଦେଶର ଅନେକ ପର୍ଯ୍ୟଟନସ୍ଥଳୀ ଯାତ୍ରା କରିବା ସହିତ ତାହାର ଫଟୋ ଓ ସେହି ସ୍ଥାନ ସମ୍ପର୍କରେ ରୋଚକ ତଥ୍ୟ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି।












Click it and Unblock the Notifications