ସାଇକେଲରେ ଯାଉଥିବା ଯୁବକଙ୍କୁ ଧକ୍କା ଦେଲା ଜିଲ୍ଲାପାଳଙ୍କ ସ୍କର୍ପିଓ !
କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ପଲସମା ଗ୍ରାମରେ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ଗାଡି ଧକ୍କା ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି ।
ଦେବଗଡ଼: କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ପଲସମା ଗ୍ରାମରେ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ଗାଡି ଧକ୍କା ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ରୋକ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 12 ଟା ସମୟରେ ପଲସମା ଗ୍ରାମର ରବି ବାଗାର (40) ଏକ ସାଇକଲ ଯୋଗେ ଗାଁ ପୋଖରୀକୁ ଗାଧେଇବାକୁ ଯାଉଥିବା ବେଳେ ଦେବଗଡ଼ ପଟୁ ଅନୁଗୁଳ ଅଭିମୁଖେ ଯାଉଥିବା ଦେବଗଡ଼ ଜିଲ୍ଲାପାଳଙ୍କ ସ୍କର୍ପିଓ ଗାଡି (ଓଡି -28-A-0689) ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଧକ୍କା ଫଳରେ ଗାଡିର ନମ୍ବର ପ୍ଲେଟ ଖସି ପଡିଥିବାରୁ ଏହା ଜିଲ୍ଲାପାଳଙ୍କ ଗାଡି ବୋଲି ଗ୍ରାମବାସୀ ମାନେ ଜାଣିବାକୁ ପାଇଥିଲେ । ସେହିପରି ଗୁରୁତର ରବିକୁ ଖଇରପାଲି ଫାଣ୍ଡି ପୋଲିସ ଫାଣ୍ଡି ଗାଡ଼ିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ପାଇଁ ଆଣୁଥିବା ବେଳେ ବାଟରେ ଆମ୍ବୁଲାନ୍ସରେ ବସାଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯିବା ଜଣା ପଡିବା ପରେ ସ୍ଥାନୀୟ ଲୋକେ ପଲସମା ଗ୍ରାମ ଦେଇ ଯାଇଥିବା ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । କୁଣ୍ଢେଇଗୋଳା ଥାନା ଅଧିକାରୀ ନିରୁପମା ଜେନା ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଥିବା ଜଣା ପଡିଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।












Click it and Unblock the Notifications