ହୀରାକୁଦ ଡ୍ୟାମ୍ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଜଳ ଭଣ୍ଡାରର ବାମ ପଟରୁ ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ଛଡାଯାଇଛି।
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଜଳ ଭଣ୍ଡାରର ବାମ ପଟରୁ ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ଛଡାଯାଇଛି। ଦିନ ୧୧ଟାବେଳେ ପାରମ୍ପାରିକ ପୂଜାର୍ଚ୍ଚନା କରାଯିବା ପରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି।

ଆଜି ଦିନ ପ୍ରାୟ ୧୧ଟା ବେଳେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍କୁ ଖୋଲାଯାଇଥିଲା। ଏହା ପରେ ଆଉ ଗୋଟେ ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ ହୀରାକୁଦ୍, ବୁର୍ଲା ଓ ସମ୍ବଲପୁର ଅଞ୍ଚଳରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା।
ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ହେଉଛି ୬୩୦ ଫୁଟ୍। ଏବେ ଏଠାରେ ଜଳପତ୍ତନ ୬୦୯.୩୯ ଫୁଟ୍ ରହିଛି। ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୬୩ ହଜାର ୬୧୨ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡକୁ ୨୨ ହଜାର ୭୮୩ ଘନଫୁଟ୍ ଜଳ ନିଷ୍କାସିତ ହେଉଛି।
ତେବେ ବନ୍ୟାଜଳ ନିଷ୍କାସିତ ନେଇ ଗତ ଦୁଇ ଦିନ ଧରି ତଳ ମୁଣ୍ଡରେ ଥିବା ୬ଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ଓ ପୋଲିସକୁ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଥିଲେ । ଏହାସହ ବନ୍ୟା ଜଳ ଛାଡିବାର ୬ ଘଣ୍ଟା ପୂର୍ବରୁ ଜଳ ଭଣ୍ଡାରର ସାଇରନ ବଜାର ନିକଟବର୍ତ୍ତି ଅଞ୍ଚଳର ଲୋକଙ୍କୁ ସତର୍କ କରାଇଥିଲା। ସମ୍ବଲପୁର, ରେଢ଼ାଖୋଲ, ସୋନପୁର ଓ ବୌଦ୍ଧ ସମେତ ତଳ ମୁଣ୍ଡରେ ଥିବା ଜିଲ୍ଲାକୁ ମହାନଦୀ ଶଯ୍ୟା ବ୍ୟବହାର ନକରିବାକୁ ସତର୍କ କରାଯାଇଛି।
ଉପର ମୁଣ୍ଡରେ ବର୍ଷା କି ବନ୍ୟା ପରିସ୍ଥିତି ନଥିବାରୁ ଏବେ ଆଉ ଅଧିକ ଗେଟ୍ ଖୋଲାଯିବ ନାହିଁ ବୋଲି ଜଣାପଡ଼ିଛି। ଏହା ସହିତ ଏହି ବନ୍ୟାଜଳ ନିଷ୍କାସନ ଯୋଗୁ ତଳ ମୁଣ୍ଡରେ ତଥା ମହାନଦୀର ଶାଖା ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିବାର କୌଣସି ସମ୍ଭାବନା ନାହିଁ ବୋଲି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି।












Click it and Unblock the Notifications