ଚିନ୍ତା ବଢାଇଲାଣି ଡେଙ୍ଗୁ : ରାଜ୍ୟରେ ୬ହଜାରମୁହାଁ ଡେଙ୍ଗୁ ସଂକ୍ରମଣ
ରାଜ୍ୟବାସୀ ଏବେ ଡେଙ୍ଗୁ ଜ୍ବରରେ ଥରୁଛନ୍ତି। ରୋଗୀଙ୍କ ସଂଖ୍ୟା ୬ହଜାର ମୁହାଁ ହେଲାଣି। ଚଳିତ ମାସ ଶେଷ କିମ୍ବା ଅକ୍ଟୋବର ମାସ ପର୍ଯ୍ୟନ୍ତ ସଂକ୍ରମଣ ଜାରି ରହିପାରେ ବୋଲି ଅନୁମାନ କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍ର ଅଭାବ ଦେଖା ଦେଇଛି। ରାଜ୍ୟ ଔଷଧ ନିଗମ(ଓଏସ୍ଏମ୍ସିଏଲ୍)ର ଷ୍ଟକ୍ ରିପୋର୍ଟରେ ଜିଲ୍ଲା ଓ ରାଜ୍ୟସ୍ତରରେ ପରୀକ୍ଷା ପାଇଁ ଆବଶ୍ୟକ କିଟ୍ ନାହିଁ। ତେଣୁ ଜିଲ୍ଲାମାନେ ଡେଙ୍ଗୁ ପରୀକ୍ଷା ପାଇଁ ଏନ୍ଏସ୍୧ ଏଲିସା କିଟ୍ କିଣିବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଆଜି ଏ ସଂକ୍ରାନ୍ତରେ ଏକ ପତ୍ର ଲେଖିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ଏକ ମାସ ପାଇଁ ଜିଲ୍ଲା ମେଡିକାଲ କଲେଜ ଅଧୀକ୍ଷକ ନିଜ ନିଜ ସ୍ତରରେ ଏହି କିଟ୍ କିଣିବେ। ଔଷଧ ନିଗମ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର କିଟ୍ ଯୋଗାଣ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ। ଏଥିପାଇଁ ଆବଶ୍ୟକ ଅର୍ଥ ହସ୍ପିଟାଲମାନଙ୍କୁ ଦିଆଯାଉଥିବା ୧୦% ଅର୍ଥରୁ ଭରଣା କରାଯିବ। ଏହାସହ ନିର୍ଦ୍ଦେଶାବଳୀ ଅନୁଯାୟୀ ଡେଙ୍ଗୁ ପରୀକ୍ଷା ପାଇଁ ଆଇଜିଏମ୍ କିଟ୍(ଏନ୍ଆଇଭି ପୁନେ) ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସଂକ୍ରମଣ ମଝିରେ ଔଷଧ ନିଗମ ପରୀକ୍ଷା କିଟ୍ ନ କିଣି ଜିଲ୍ଲାମାନଙ୍କୁ ଏହାକୁ କିଣିବାକୁ ନିର୍ଦ୍ଦେଶ ଦିଆଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ବ୍ୟକ୍ତି ଡେଙ୍ଗୁରେ ସଂକ୍ରମିତ ହୋଇଥିଲେ ଏହାର ୫ଦିନ ଭିତରେ ଏନ୍ଏସ୍୧ ଏଲିସା କିଟ୍ରେ ପରୀକ୍ଷା କରାଗଲେ ତାହା ସ୍ପଷ୍ଟ ହୋଇଥାଏ। ସେହିପରି ଆଇଜିଏମ୍ କିଟ୍ରେ ଜ୍ବର ହେବାର ୮-୯ ଦିନ ପରେ ଡେଙ୍ଗୁ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଥାଏ। ରାଜ୍ୟରେ ଏବେ ଦୈନିକ ଯେତିକି ଡେଙ୍ଗୁ ପରୀକ୍ଷା ହେଉଛି ତାହାର ୯୫% କେବଳ ଏନ୍ଏସ୍୧ ଏଲିସା କିଟ୍ରେ ହୋଇଥାଏ। ଆଇଜିଏମ୍ କିଟ୍ ପରୀକ୍ଷା ସଂଖ୍ୟା କମ୍। ଗୋଟିଏ ପଟେ କିଟ୍ର ଅଭାବ ହେବା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଇଜିଏମ୍ କିଟ୍କୁ ଏକପ୍ରକାର ପ୍ରୋତ୍ସାହିତ କରାଯିବାକୁ ନେଇ ବିଭାଗରେ ଜୋରଦାର ଆଲୋଚନା ହେଉଛି। କାରଣ ଡେଙ୍ଗୁ ଚିହ୍ନଟ ପାଇଁ ଯେତେ ବିଳମ୍ବ ହେବ ଏହି ସମୟ ଭିତରେ ସଂପୃକ୍ତ ରୋଗୀ ଜଣକ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଭୟ ରହିଛି। ଏହାସହ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟରେ ପ୍ରୋକ୍ୟୁରମେଣ୍ଟ ପରାମର୍ଶଦାତା ଅଛନ୍ତି। କିଟ୍ କିଣିବା ଓ ଜିଲ୍ଲାମାନଙ୍କୁ ନିରନ୍ତର ଯୋଗାଣ ଦାୟିତ୍ବ ହେଉଛି ସଂପୃକ୍ତ ପରାମର୍ଶଦାତାଙ୍କର। ତେଣୁ ରାଜ୍ୟ ଔଷଧ ନିଗମ ସହ ଏହା ଉପରେ ଆଗୁଆ ଆଲୋଚନା ନ କରିବା ଓ କିଟ୍ର ଅଭାବ ହେବା ପରେ ଜିଲ୍ଲାମାନଙ୍କୁ କିଣିବା ପାଇଁ ନିର୍ଦ୍ଦେଶ ଦେବା ପଛରେ ଉଦ୍ଦେଶ୍ୟ ବୁଝା ପଡ଼ୁନାହିଁ।












Click it and Unblock the Notifications