ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ପ୍ରଦର୍ଶନୀ ବୁଲି ଦେଖିଲେ ଭି କେ ପାଣ୍ଡିଆନ୍
ବିଶ୍ୱ ଓଡ଼ିଆ ଭାଷାସମ୍ମିଳନୀ ପରିସରରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ୍। ଗୋଟିଏ ଛାତ ତଳେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ଐତିହ୍ୟକୁ ନେଇ ପ୍ରଦର୍ଶିତ ବିଭିନ୍ନ ବିଷୟକୁ ଦେଖି ଖୁସି ହୋଇଥିଲେ ।
ଏହି ଅବସରରେ ସେ ପ୍ରଦର୍ଶନୀ ବୁଲି ଦେଖୁଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏଭଳି ପ୍ରଦର୍ଶନୀ କିପରି ସେମାନଙ୍କ ମନକୁ ଛୁଉଁଛି ସେ ବିଷୟରେ ପିଲାଙ୍କୁ ପଚାରି ବୁଝିଥିଲେ। ପ୍ରଦର୍ଶନୀ ପରିସରରେ ଥିବା ଭ୍ରାମ୍ୟମାଣ ପାଠଗାରକୁ ସେ ଦେଖିବା ସହ ଏହା ଛାତ୍ରଛାତ୍ରୀ ଓ ଯୁବପିଢିକୁ ପ୍ରେରଣା ଦେବ ବୋଲି କହିଥିଲେ।
ଶ୍ରୀଯୁକ୍ତ ପାଣ୍ଡିଆନ୍ ପ୍ରଦର୍ଶନୀର ଆଧୁନିକ ବିଭାଗରେ ଥିବା 'ଡୋମ୍ ଅଫ୍ ଦ ଫ୍ୟୁଚର' କକ୍ଷକୁ ଯାଇଥିଲେ। ସେଠାରେ ପ୍ରଦର୍ଶିତ ଅତ୍ୟାଧୁନିକ ରୋବୋଟ୍, ଆଧୁନିକ ଓଡ଼ିଆ କି-ବୋର୍ଡ ଓ ଫଣ୍ଟ, ଓଡ଼ିଆ ୱିକିପିଡିଆ, ମୁଁ ଓଡ଼ିଆ ଇ-ଲର୍ଣ୍ଣିଂ ଆପ୍ ଆଦି ଦେଖିଥିଲେ।

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଓ ଐତିହ୍ୟକୁ ନେଇ କରାଯାଇଥିବା ବିଶାଳ ପ୍ରର୍ଦଶନୀକୁ ଅତ୍ୟାଧୁନିକ ମେଟାଭର୍ସରେ ଉପସ୍ଥାପନ କରାଯାଇଛି। ପ୍ରଦର୍ଶନୀ ବୁଲିବା ଅବସରରେ ଶ୍ରୀଯୁକ୍ତ ପାଣ୍ଡିଆନ୍ ମେଟାଭର୍ସରେ ଥିବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦେଖିଥିଲେ। ଅତ୍ୟାଧୁନିକ ଭିଆର୍ ଯୋଗେ ସେ ବିଶ୍ଵପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍ ଦ୍ୱାରା କରାଯାଇଥିବା ଏହି ଉଦ୍ୟମକୁ ସେ ପ୍ରଂଶସା କରିଥିଲେ।
ଏହି ଅତ୍ୟାଧୁନିକ ମେଟାଭର୍ସ ମାଧ୍ୟମରେ ଦେଶ ବିଦେଶରେ ଥିବା ଲୋକେ ଭାଷା ସମ୍ମିଳନୀର ୱେବସାଇଟ୍ ଜରିଆରେ ପ୍ରଦର୍ଶନୀର କୋଣଅନୁକୋଣର ଚିତ୍ର ଅନଲାଇନରେ ଦେଖିପାରୁଛନ୍ତି। ଓଡ଼ିଶାର ପ୍ରମୁଖ ଐତିହ୍ୟସ୍ଥଳର ଥ୍ରିଡ଼ି ଭିଡିଓ ଏହାସହିତ ଯୋଡା ଯାଇଥିବାରୁ ଲୋକମାନେ ଦୂରରେ ଥାଇ ମଧ୍ୟ ଅନଲାଇନ୍ ମାଧ୍ୟମରେ ଏହି ସମ୍ମିଳନୀ ଏବଂ ଓଡ଼ିଶାର କଳା ଓ ଐତିହ୍ୟ ସହିତ ନିଜକୁ ଯୋଡ଼ି ପାରୁଛନ୍ତି।
ସୂଚନା ଅନୁଯାୟୀ ପ୍ରଥମ ୫ଦିନ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଦେଶବିଦେଶରେ ଥାଇ ମେଟାଭର୍ସ ମାଧ୍ୟମରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମରେ ଅନଲାଇନରେ ସାମିଲ ହୋଇପାରିଛନ୍ତି।












Click it and Unblock the Notifications