ହାତୀ ନେଲା ମହିଳାଙ୍କ ଜୀବନ
ସମ୍ବଲପୁର: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣ ପଡିଛି। ମହିଳା ଜଣଙ୍କ କଁସର ଗାଁ ନିକଟ ଜଙ୍ଗଲକୁ ଯାଇଥିବାବେଳେ ତାଙ୍କୁ ହାତୀ ଦଳିଦେଇଥିବା ଜଣ ପଡିଛି। ସମ୍ବଲପୁର ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥକଡ଼ର ଯୁଯୁମୁରା ଅଞ୍ଚଳରେ ଥିବା ଜଙ୍ଗଲରେ ବୁଲୁଛନ୍ତି ଗୋଠଛଡ଼ା ଦନ୍ତା ଓ ହାତୀପଲ। ଲୋକ ଦେଖିଲେ ହାତୀ ଆକ୍ରମଣ କରୁଛି। ଧାନ ଅମଳ ସମୟ ହୋଇଥିବାରୁ ଗୋଠଛଡ଼ା ଦନ୍ତା ଓ ହାତୀପଲ କ୍ଷେତରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଜଙ୍ଗଲ ନିକଟକୁ ଲାଗିଥିବା ଗାଁର ଲୋକେ ଭୟଭୀତ ହୋଇଯାଇଛନ୍ତି। ଦିନ ଦି'ପ୍ରହରରେ ମଧ୍ୟ ବାହାରିବାକୁ ଭୟ କରୁଛନ୍ତି। ଏହାର କାରଣ ପ୍ରାୟ ଏକ ମାସ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି।
ହାତୀ ଆକ୍ରମଣରେ ଆଜି ପୁଣି ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରମଣର ଶିକାର ହୋଇଛନ୍ତି ଯୁଯୁମୁରା ବ୍ଲକ୍ ତଥା ସଦର ବନାଞ୍ଚଳ ଅନ୍ତର୍ଗତ କଂସର ଗ୍ରାମର ମୁଡକି ମୁଣ୍ଡା । ସେ ନିଜର ନାତିଙ୍କ ସହିତ ଶୌଚପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।
ସୂଚନା ଅନୁସାରେ, ଶନିବାର ଅପରାହ୍ନ ୪ ଟା ୩୦ ସମୟରେ କଂସର ଅଞ୍ଚଳରେ ରହୁଥିବା ୬୫ ବର୍ଷୀୟା ମୁଡକି ମୁଣ୍ଡା ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ।

ହାତୀଟି ବୃଦ୍ଧାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ମୁଡ଼କିଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ବନ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।












Click it and Unblock the Notifications