ମହିଳାଙ୍କ ପାଇଁ ଖୁସି ଖବର, ଏଣିକି କର୍ମଚାରୀଙ୍କୁ ବର୍ଷକୁ ମିଳିବ ୧୨ ଦିନ ଅତିରିକ୍ତ ଛୁଟି
ଭୁବନେଶ୍ବର: ମହିଳାଙ୍କ ମାସିକଧର୍ମ (ଋତୁସ୍ରାବ) ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇପାରିବେ । ଗୋଟିଏ ମାସର ଦିନଟିଏ ଛୁଟି ଉକ୍ତ ମାସରେ ହିଁ ନେବାକୁ ପଡ଼ିବ । ଏହି ଅଣ-ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।
ଋତୁସ୍ରାବ ବା ମାସିକ ଧର୍ମ ଅର୍ଥାତ ରଜଃସ୍ରାବ ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ। ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇଥାଏ। ୨୦ରୁ ୩୦% ମହିଳାଙ୍କର ସାଧାରଣ ଜୀବନଯାତ୍ରା ଏହାଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ରଖାଯାଇଛି।

ସୂଚନାଯୋଗ୍ୟ, ମହିଳାଙ୍କୁ ଋତୁସ୍ରାବ ଛୁଟି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗତ ଅଗଷ୍ଟ ମାସରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ। ଉଭୟ ଘରୋଇ ଏବଂ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଥିଲା। ପୂର୍ବରୁ ମଧ୍ୟ ଋତୁସ୍ରାବ ଛୁଟି ଅନେକ ଦେଶରେ ଲାଗୁ ହୋଇଛି।












Click it and Unblock the Notifications