ବୁର୍ଲା ଭିମସାରରେ ଏକକାଳୀନ ୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା
ବୁର୍ଲା ଭିମସାର ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ଚାରି ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ସୂଚନା ମିଳିଛି । ଚାରିଜଣ ଶିଶୁଙ୍କ ମଧ୍ୟରେ ତିନି ଜଣ ଶିଶୁ କନ୍ୟା ହୋଇଥିବା ବେଳେ ଜଣେ ଶିଶୁପୁତ୍ର ରହିଛି ।
ସମ୍ବଲପୁର: ବୁର୍ଲା ଭିମସାର ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ଚାରି ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ସୂଚନା ମିଳିଛି । ଚାରିଜଣ ଶିଶୁଙ୍କ ମଧ୍ୟରେ ତିନି ଜଣ ଶିଶୁ କନ୍ୟା ହୋଇଥିବା ବେଳେ ଜଣେ ଶିଶୁପୁତ୍ର ରହିଛି । ମା ଓ ଶିଶୁ ସୁସ୍ଥ ଥିବା ବେଳେ ଶିଶୁମାନଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଖରେ ଥିବା ଏସ୍ଏନ୍ସିୟୁରେ ରଖାଯାଇଛି । ତେବେ ଭିମସାର ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।

ସୋନପୁର ବିନିକା ଥାନା ବାଞ୍ଜିପାଲି ଗାଁର ଜଣେ ଗର୍ଭବତୀ ସୋମବାର ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ଅପରାହ୍ନରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେବେ, ତାଙ୍କ ପେଟରୁ ଏକକାଳୀନ ୪ଟି ଶିଶୁ ବାହାରିଥିବା ଜଣାପଡିଛି ।
ଆଜି ଦିନ ୨ଟା ସମୟରେ ପ୍ରଥମ ଦୁଇଟି ଯାଆଁଳା ଶିଶୁକନ୍ୟା ପରେ ୨ଟା ୨ ମିନିଟ୍ରେ ଆଉ ଜଣେ ଶିଶୁକନ୍ୟା ଓ ୨ଟା ୪ ମିନିଟରେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ମହିଳା । ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି । ଚାରୋଟି ଶିଶୁ ଏକା ସଙ୍ଗେ ଜନ୍ମ ହୋଇଥିବାରୁ ଶିଶୁମାନଙ୍କ ଓଜନ କମ୍ ରହିଛି । ତେଣୁ ସେମାନଙ୍କୁ ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଥିବା ନେଇ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷେ, ଏହି ଘଟଣା ଜଣାପଡିବା ପରେ ଶିଶୁମାନଙ୍କୁ ଦେଖିବାକୁ ମେଡିକାଲରେ ଭିଡ ଲାଗିଛି।












Click it and Unblock the Notifications