ରାଜ୍ୟରେ ଆହୁରି ବଢ଼ିବ ଶୀତ, ସତର୍କ ସୂଚନା ଜାରି କଲା ପାଣି ପାଗ ବିଭାଗ
ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ୧୩ ତାରିଖ ଯାଏ ପ୍ରବଳ ଶୀତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ୱାନୁମାନ କରାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପାରଦ ୩ ଡିଗ୍ରୀ ସେଲ୍ସିୟସ ଛୁଇଁବା ସହ ୧୫ ସହରରେ ରାତି ତାପମାତ୍ରା ୧୦ଡିଗ୍ରୀଠାରୁ କମ୍ ରେକର୍ଡ କରାଯାଇଛି। ରାଜ୍ୟର ସର୍ୱନିମ୍ନ ତାପମାତ୍ରା ସେମିଳିଗୁଡ଼ାରେ ରେକର୍ଡ ହୋଇଛି।
ଅପରପକ୍ଷେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ତଳମୁହାଁ ହେବାରେ ଲାଗିଛି। ଡିସେମ୍ୱର ୫ରେ ଭୁବନେଶ୍ୱରରେ ସର୍ୱନିମ୍ନ ତାପମାତ୍ରା ୧୪ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ୬ ତାରିଖରେ ୧୩ଡିଗ୍ରୀ, ୭ରେ ୧୧.୯, ୮ରେ ୧୨.୧, ୯ରେ ୧୩.୭, ୧୦ରେ ୧୩ ଏବଂ ୧୧ ତାରିଖରେ ୧୧.୮ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
କଟକରେ ମଧ୍ୟ ତାପମାତ୍ରା ହ୍ରାସ ପାଇଥିବାବେଳେ ୧୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅପରପକ୍ଷେ ଆଗାମୀ ୨ଦିନ ପାଇଁ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଭଦ୍ରକ ଏବଂ କଳାହାଣ୍ଡି ଜିଲାରେ ଘନ କୁହୁଡ଼ି ଦେଖାଦେବା ନେଇ ପାଣିପାଗ ବିଭାଗ ଓ୍ୱାର୍ନିଂ ଜାରି କରିଛି।
ସେହିପରି ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଜଗତ୍ସିଂହପୁର ଆଦି ଜିଲାରେ ଶୀତ ଲହରି ନେଇ ଓ୍ୱେଲୋ ଓ୍ୱାର୍ନିଂ ଜାରି କରାଯାଇଛି।












Click it and Unblock the Notifications