ରାଜ୍ୟରୁ ଚାଲିଗଲା ଶୀତ, ଏବେ ଠାରୁ କଲବଲ କଲାଣି ତାତି
କୋରାପୁଟ ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହେଉଛି। କୋରାପୁଟ, ସେମିଳିଗୁଡା, ଫୁଲବାଣୀ ଏବଂ ଜି.ଉଦୟଗିରିରେ ମଧ୍ୟ ଶୀତ ପ୍ରଭାବ ରହିଛି। କିନ୍ତୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ବଢିଛି। ସେମିଳିଗୁଡାରେ ରାତି ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କୋରାପୁଟ ୧୫, ଫୁଲବାଣୀ ୧୬ ଏବଂ ଘୁ.ଉଦୟଗିରିରେ ୧୪.୮ ଡିଗ୍ରୀ ରହିଛି। ଅନ୍ୟାନ୍ୟ ଅଞ୍ଚଳରେ ରାତି ତାପମାତ୍ରା ୧୫ଡିଗ୍ରୀ ଉପରେ ରହିଛି। ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି।

୧୫ ଦିନ ହେଲା ଘନକୁହୁଡ଼ି ଦୃଶ୍ୟମାନ ହେଲାଣି। ଜାନୁଆରୀ ୨୧ରୁ ଲଗାତାର ଭାବେ ଉପକୂଳ ଓଡିଶା ସମେତ ପାର୍ଶ୍ବବର୍ତ୍ତୀ କିଛି ଜିଲାଗୁଡିକରେ ଘନକୁହୁଡି ଦୃଶ୍ୟମାନ ହେଉଛି। ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟ ଉପସ୍ଥିତି ହେତୁ କୁହୁଡି ପାଇଁ ପାଗ ଅନୁକୂଳ ରହିଛି। ସର୍ବାଧିକ ତାପମାତ୍ରା ଝାରସୁଗୁଡା ଜିଲାରେ ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡି ୩୫.୬, ମାଲକାନଗିରି ୩୫.୨, ବଲାଙ୍ଗିର ୩୫.୩, ସୁନ୍ଦରଗଡ ୩୫.୬, ସମ୍ବଲପୁର ୩୫.୪, ଭୁବନେଶ୍ବର ୩୩.୬ ଏବଂ କଟକରେ ୩୧.୨ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ଗତ କିଛିଦିନ ହେଲା ଆକାଶ ପରିଷ୍କାର ରହୁଥିବାରୁ ସୂର୍ଯ୍ୟଙ୍କ କିରଣ ସିଧା ଭୂ-ପୃଷ୍ଠରେ ପଡୁଛି। ଏଥିପାଇଁ ଦିନ ତାପମାତ୍ରା ବୃଦ୍ଧି ପାଉଛି।












Click it and Unblock the Notifications