ପୁଣି ବଢିବ କି ଲକଡାଉନ ? ଜାଣନ୍ତୁ, କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...
ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଉଠୁଛି, ଯେ ଲକଡାଉନର ଅବଧି ବୃଦ୍ଧି ପାଇବ ନା ଏହାକୁ କୋହଳ କରାଯିବ ।
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ମାତ୍ର ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଏହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟପଟେ ଆସନ୍ତା 17 ତାରିଖରେ ଶେଷ ହେବାକୁ ଯାଉଛି 3ୟ ପର୍ଯ୍ୟାୟ ଲକଡାଉନର ଅବଧି । ଏ ପରିସ୍ଥିତିରେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଉଠୁଛି, ଯେ ଲକଡାଉନର ଅବଧି ବୃଦ୍ଧି ପାଇବ ନା ଏହାକୁ କୋହଳ କରାଯିବ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଲକଡାଉନ ଅଧିକ ଦିନ ହେଲେ ଗରିବ ଲୋକ, ବୁଲା ବେପାରୀ ଆଦି ବହୁ ସମସ୍ୟାର ସମ୍ମୁଖୀନ ହେବେ। ଅନଲକ୍ ପ୍ରକ୍ରିୟା ଭବିଷ୍ୟତରେ ହେବ। ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯାଉଛି। ପରିସ୍ଥିତି ଅନୁକୂଳ ହେଲେ ଅନଲକ୍ ହେବ ବୋଲି ଡିଏମଇଟି ସିବିକେ ମହାନ୍ତି।
ସେ ଆହୁରୀ କହିଛନ୍ତି, ରାଜ୍ୟରେ ନିରନ୍ତର ଭାବେ ଦୈନିକ ସଂକ୍ରମଣ ଖସୁଛି।ଅନ୍ୟ ରାଜ୍ୟରେ ବି ସମାନ ଭାବେ ଖସୁଛି। ପୁର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା ବୋଲି ଏବେ ମୃତ୍ୟୁ ସଂଖ୍ୟା ବଢୁଛି ।
ସେହିପରି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ଆଡ଼କୁ ଯାଉଛି । ପୂର୍ବ ସ୍ଥିତିରେ ଉନ୍ନତି ଆସୁଛି। ଯାହା ଆଶା ଥିଲା ସେହି ଅନୁଯାୟୀ ଡେଲି କେସ ହେଉ କିମ୍ବା ଆକ୍ଟିଭ କେସ ସବୁଥିରେ ହ୍ରାସ ଘଟୁଛି। ଖୋର୍ଦ୍ଧା ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାରେ ଏତେ ସଂଖ୍ୟକ କେସ୍ ଆସୁନି। କରୋନାକୁ ପ୍ରତିହତ କରିବା ପାଇଁ ଯାହା ସବୁ ଷ୍ଟେପ୍ ନିଆଯାଇ ଥିଲା ତାହା କାମ ଦେଉଛି ।
ସେ ପୁଣି ରାଜ୍ୟରେ ଯଦିଓ ସଂକ୍ରମଣ ହାର କମୁଛି ତଥାପି ଏତେ ଆସ୍ୱସ୍ତି ହେବା ଭଳି ଖବର ନାହିଁ। ରଜ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ରାଜ୍ୟରେ ଲକ୍ଡାଉନ୍ ଖୋଲିବ ନା ବଳବତର ରହିବ। ୧୭ ତାରିଖ ପରେ ରିଭ୍ୟୁ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି ସେଠି ଅନଲକ ପ୍ରକ୍ରିୟା ଆରମ୍ଭ ହେବ ହୋଇଯାଇଛି। ଏବଂ ଯେଉଁ ଜିଲ୍ଲାରେ ସଂକ୍ରମଣ ବଢୁଛି ସେଠି ସର୍ଭିଲାନ୍ସ ବଢାଯିବ ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫,୨୩୫ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୨୯୫୭ ଓ ଲୋକାଲ କଣ୍ଟାକ୍ଟ ୨୨୭୮ ରହିଛି । ଆଜିର ବି ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୭୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ମୃତ୍ୟୁ ଖବର ଉପରେ ନଜର ପକାଇଲେ ଦେଖିବା, ଆଜି ରାଜ୍ୟରେ 43 ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ସର୍ବାଧିକ ମୃତ୍ୟୁ ତାଲିକାରେ ଆଜି ବି ଉପରେ ରହିଛି ଖୋର୍ଦ୍ଧା। ଏହି ଜିଲ୍ଲାରୁ ଆଜି ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼ ଓ କଟକରୁ ୪ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ପୁରୀରୁ ମଧ୍ୟ ୨ ଲେଖାଏଁ ମୃତ। ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ।
ଆଜି ୨୪ ଘଣ୍ଟା ମଧ୍ୟରେ ୮,୨୯୯ ଜଣ କରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮,୪୨,୪୬୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ମୋଟ ୭,୭୨,୯୭୨ ଏବଂ ଆକ୍ଟିଭ କେସ ଅଛି ୬,୬,୨୨୬। ସେହିପରି ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୧୦କୁ ବୃଦ୍ଧି ପାଇଛି।












Click it and Unblock the Notifications