ବାତ୍ୟା ‘ଦାନା' ପ୍ରଭାବରେ କେନ୍ଦ୍ରାପଡ଼ାରେ ବ୍ୟାପକ କ୍ଷୟକ୍ଷତି
Cyclone dana: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା 'ଦାନା' । ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ତୀବ୍ରତା ଥିଲା ୧୦୦ରୁ ୧୨୦ କି.ମି ପ୍ରତି ଘଣ୍ଟା ।
ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳ ଅଶାନ୍ତ ହୋଇପଡ଼ିଛି । ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରୁଛି। କେଉଁଠି ୫୦୦ ମିଟର ତ ଆଉ କେଉଁଠି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ମାଡ଼ି ଆସିଲାଣି ସମୁଦ୍ର । ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପେଣ୍ଠ ଅଞ୍ଚଳ ବ୍ୟାପକ କ୍ଷୟ କ୍ଷତି ଘଟିଛି। ଅନେକ ଗଛ ଭାଙ୍ଗିବା ସହ ଉଚ୍ଚ ଜୁଆର ମାଡ଼ି ଆସିଥିଲା। ବାତ୍ୟା ଲ୍ୟାଣ୍ଡ ଫଲ୍ କରିବା ସମୟରେ ପବନ ର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିଥିଲା।

ସେହିପରି ଭଦ୍ରକର ଧାମରା ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟିଥିଲା। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଗୁରୁବାର ଦିନତମାମ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା, ପବନ ଲାଗି ରହିଥିଲା। ଶୁକ୍ରବାର କେନ୍ଦୁଝର, ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର ଓ ପୁରୀ ଜିଲାର କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି।
ଏହି ସମୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ ଏବଂ ସୋନପୁର ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ୧୬ ଜିଲା ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍ସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀରେ ବାତ୍ୟା ପ୍ରଭାବରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।












Click it and Unblock the Notifications