କାହିଁକି 'ପାର୍ସଲ ବୋମା'ର ଲୋମଟାଙ୍ଗୁରା ଷଡଯନ୍ତ୍ର ରଚିଥିଲା ଦୋଷୀ ପୁଞ୍ଜିଲାଲ ?
Patnagarh Parcel Bomb Verdict: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ପୁଞ୍ଜିଲାଲ ମେହେର ଦୋଷୀ ସାବ୍ଯସ୍ତ ହୋଇଛି । ପାଟଣାଗଡ଼ ADJ କୋର୍ଟ ରାୟ ଶୁଣାଇଛନ୍ତି ।
ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତାହାସହ ୫୦ ହଜାର ଟଙ୍କାର ଜୋରିମାନା ମଧ୍ଯ ହୋଇଛି ପୁଞ୍ଜିଲାଲକୁ । ଦୀର୍ଘ ୭ ବର୍ଷ ପରେ 'ପାର୍ସଲ ବୋମା' ଘଟଣାର ଚୂଡାନ୍ତ ରାୟ ଆସିଛି । ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।
Patnagarh Parcel Bomb Verdict: ତେବେ କାହିଁକି ପୁଞ୍ଜିଲାଲ ମେହେର ଏଭଳି ଲୋମଟାଙ୍ଗୁରା ଘଟଣା ଘଟାଇଥିଲା ।?
ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖ ସନ୍ଧ୍ୟା ସମୟରେ ପାର୍ସଲ ବୋମା ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ନବ ବିବାହିତା ରୀମା ରାଣୀ ସାହୁ ଗୁରୁତର ହୋଇ କଟକ ବଡମେଡିକାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ଏହି ଘଟଣାରେ ପୁଲିସର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ତଦନ୍ତ ସମୟରେ ବିଭିନ୍ନ ପାରିପାର୍ଶ୍ୱିକ ସ୍ଥିତି ଦେଖି ଟେର ପାଉ ନ ଥିଲା କ୍ରାଇମବ୍ରାଞ୍ଚ। ହେଲେ ଚିଠି ଲେଖି ଫସି ଯାଇଥିଲା ପୁଞ୍ଜିଲାଲ ମେହେର। କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରକୁ ଉଠାଇ ନେଇଥିଲା। ସେ ସମୟରେ ପାର୍ସଲ ବୋମା ତିଆରିର ଡେମୋ ପୁଞ୍ଜିଲାଲ ମେହେର ଅରୁଣବୋଥ୍ରାଙ୍କୁ ଦେଖାଇଥିଲା। ସେ ସମୟରେ ପୁଞ୍ଜିଲାଲ ମେହେର ପାର୍ସଲ ବୋମା ତିଆରିର ଡେମୋ ଦେଖାଇଥିବା ଓ ସ୍ବୀକାର କରିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା।
ମାମଲାର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨ ହଜାର ପ୍ରୁଷ୍ଠାର ଏକ ଚାର୍ଜସିଟ ଦାଖଲ କରିଥିଲା। ଚାର୍ଜସିଟ ଦାଖଲ ପରେ ଆରମ୍ଭ ହୋଇଥିଲା ସାକ୍ଷ ପ୍ରମାଣ ଗ୍ରହଣ। ୬୨ ଜଣ ସାକ୍ଷ ପ୍ରମାଣ ଗ୍ରହଣ ସରିବା ପରେ ଗତ ୯ ତାରିଖରେ ଆର୍ଗ୍ୟୁମେଣ୍ଟ ଆରମ୍ଭ ହୋଇଥିଲା। ୧୪ ତାରିଖରେ ଆର୍ଗ୍ୟୁମେଣ୍ଟ ଶେଷ ହୋଇଥିଲା । ରାୟ ସଂରକ୍ଷିତ ରଖିଥିଲେ ପାଟଣାଗଡ଼ ଏଡିଜେ କୋର୍ଟ। ଖୁବ ଶୀଘ୍ର ଏହାର ଶୁଣାଣି ହେବ ବୋଲି ଜଣାପଡିଥିଲା।
କଲେଜ ଅଧ୍ୟକ୍ଷ ପଦ ପାଇଁ ପୁଞ୍ଜିଲାଲ ସୌମ୍ୟଙ୍କ ମା' ଉପରେ ରାଗ ରଖି ତାଙ୍କ ପରିବାର ଧ୍ଵସଂ କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ସୌମ୍ୟ-ରିମାଙ୍କ ବାହାଘର ପାଇଁ ପଠାଇଥିବା ଗିଫ୍ଟ ପାର୍ସଲରେ ରଖିଥିଲା ବୋମା। ଏହାକୁ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ଘଟିଥିଲା। ପାଖରେ ଥିବା ସୌମ୍ୟ ଓ ତାଙ୍କ ଜେଜେ ମା'ଙ୍କ ମୃତ୍ୟୁ ଘଟିବା ସହ ସୌମ୍ୟଙ୍କ ପତ୍ନୀ ରିମା ଗୁରୁତର ଆହତ ହୋଇଥିଲେ।
କେମିତି ପାର୍ସଲ ବୋମା ବନାଇଥିଲା ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ? ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଆଗରେ ଦେଖାଇଥିଲା ଡେମୋ । ଏହାର ଭିଡିଓ ମଧ୍ଯ ଗଣମାଧ୍ୟମ ହାତରେ ଲାଗିଥିଲା ।
ଭିଡିଓରେ ମୁଁ ଏମିତି ବନାଇଥିଲି ପାର୍ସଲ ବୋମା ବୋଲି ଅଭିଯୁକ୍ତ କହୁଛି । ଭିଡିଓରୁ ଜଣାପଡୁଛି ଯେ, ପାଟଣାଗଡ ପାର୍ସଲ ବୋମା ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏକ ଘରେ ବସିଛି ଏବଂ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ପୂରା ଘଟଣା ସମ୍ପର୍କରେ ଗୋଟି ଗୋଟି କରି କହୁଛି । ତେଣୁ ଏହି ଭିଡିଓ ଏବଂ ଏଥିରେ ଥିବା ଅଡିଓକୁ ମଧ୍ୟ ଯାଞ୍ଚ କରି ଏହାର ସତ୍ୟାସତ୍ୟ ଯାଞ୍ଚ କରିବାର ଆବଶ୍ୟକତା ରହିଥିଲା। ମାମଲାରେ କୋର୍ଟ ଆଗରେ ଏହି ଭିଡିଓ ରଖାଯାଇଥିଲା । ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଏବେ ରାୟ ପ୍ରକାଶ ପାଇଛି ଓ ଦୋଷୀ ଆଜୀବନ ଜେଲ ଦଣ୍ଡ ହୋଇଛି ।
ସାରା ଓଡ଼ିଶା ତଥା ଦେଶରେ ଚହଳ ପକାଇଥିବା ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ନିର୍ମାଣ ଚଳଚ୍ଚିତ୍ର ମଧ୍ଯ ନିର୍ମାଣ ହୋଇଛି। ରେଞ୍ଜ ରୟାଲ ସିନେ ଲ୍ୟାବ୍ ବ୍ୟାନରରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ର ନାଁ ରଖାଯାଇଛି 'ବୁଲେଟ ରାଜା'। ଫିଲ୍ମର ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ଶ୍ରୀଧର ମାର୍ଥା।












Click it and Unblock the Notifications