କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କଲେ ASI ? କିଏ ଏହି ଗୋପାଳ ଦାସ ?
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଜି ବ୍ରଜରାଜନଗର ଠାରେ ଗୁଳିମାଡ଼ ହୋଇଛି । ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି । ତେବେ ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ହେଉଛନ୍ତି ଗୋପାଳ ଦାସ ।
ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଜି ବ୍ରଜରାଜନଗର ଠାରେ ଗୁଳିମାଡ଼ ହୋଇଛି । ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗୁଳିମାଡ଼ କରିଛନ୍ତି । ତେବେ ଉକ୍ତ ପୋଲିସ ଏଏସ୍ଆଇ ଜଣଙ୍କ ହେଉଛନ୍ତି ଗୋପାଳ ଦାସ । ସେ ଗାନ୍ଧୀ ଛକ ଫାଣ୍ଡିରେ ମୁତୟନ ଥିଲେ । ଗୋପାଳ ତାଙ୍କ ସର୍ଭିସ୍ ରିଭରବଲରୁ ମନ୍ତ୍ରୀ ନବ ଦାସଙ୍କୁ କାରରୁ ଓହ୍ଲାଇବା ବେଳେ ଗୁଳି କରିଛନ୍ତି । ମନ୍ତ୍ରୀଙ୍କ ଦେହରେ ୨ ରାଉଣ୍ଡ ଗୁଳି ବାଜିଛି ।
ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଛି । ନବ ଦାସଙ୍କୁ ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ କିଏ ?
ମିଳିଥିବା ସୂଚନା ମୁତାବକ, ପୋଲିସ ଏଏସଆଇ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ଗାନ୍ଧି ଛକ ଫାଣ୍ଡିରେ ଇନଚାର୍ଜ ଭାବେ ମୁତୟନ ଥିଲେ। ସେ ବ୍ରଜରାଜନଗରରେ ରହୁଥିବା ବେଳେ ଗଂଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳରେ ଗୋପାଳ ଦାସଙ୍କ ପରିବାର ରହୁଛନ୍ତି । ଗଞ୍ଜାମ ଜିଲ୍ଲା ଜଳେଶ୍ବରଖଣ୍ଡିରେ ସେ ଜନ୍ମ ହୋଇଥିଲେ ବୋଲି ସୂଚନା ମିଳିଛି। ଚାକିରି ଜୀବନ ଆରମ୍ଭ କରିବା ସମୟରେ ସେ କନେଷ୍ଟବଳ ଥିଲେ। ବିଗତ କିଛି ବର୍ଷ ପୂର୍ବରୁ କନଷ୍ଟେବଳରୁ ପଦୋନ୍ନତି ପାଇ ଏଏସଆଇ ପଦରେ ଅବସ୍ଥାପିତ ହୋଇଥିଲେ। ତେବେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ସେ ମୁତୟନ ହୋଇଥିଲେ ।
ତେବେ ଏଏସ୍ଆଇ ଗୋପାଳ ଦାସ କେଉଁ ପରିସ୍ଥିତିରେ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ଗୋପାଳଙ୍କୁ ଅଟକ ରଖି ପଚରାଉଚରା କରୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତମାମ୍ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମନ୍ତ୍ରୀଙ୍କୁ ଏଏସ୍ଆଇ ଗୁଳିମାଡ଼ କରିବା ଅନେକ ପ୍ରଶ୍ନ ଉଠାଇଛି ।
ଅନ୍ୟପଟେ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ସେ କିଛି ଜାଣି ନାହାଁନ୍ତି । ଝିଅଙ୍କ ସହିତ ଆଜି ଭିଡିଓ କଲିଂରେ କଥା ହୋଇଥିଲେ। ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ । ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇ ପାରିନାହିଁ। ୪ରୁ ୫ ମାସ ଆଗରୁ ଘରକୁ ଆସିଥିଲେ। ସେ ମାନସିକ ରୋଗର ଶିକାର ଥିଲେ। ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି । ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି । ଘଟଣାର ତଦନ୍ତ ହେବା ଦରକାର।
ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମନ୍ତ୍ରୀଙ୍କ ଗୁଳିମାଡ ଘଟଣାକୁ ମୁଖ୍ୟମନ୍ତ୍ରୀ ଘୋର ନିନ୍ଦା କରିଛନ୍ତି ।












Click it and Unblock the Notifications