କାହାକୁ ମିଳିବ ବାଚସ୍ପତି ଆସନ ? କାହିଁକି ବାଚସ୍ପତି ଆସନ ଉପରେ ସହଯୋଗୀଙ୍କ ନଜର...
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ପାଇଛି । ନରେନ୍ଦ୍ର ମୋଦୀ ରବିବାର ଦିନ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ 71 ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।
ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ବାଚସ୍ପତି ଆସନ ଉପରେ । କିଏ ବାଚସ୍ପତି ହେବେ, କେଉଁ ଦଳର ନେତା ଏହି ଆସନ ପାଇବ ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ଏନଡିଏର ସହଯୋଗୀ ଉଭୟ ଟିଡିପି ଏବଂ ଜେଡିୟୁ ଏହି ପଦବୀକୁ ଉପରେ ନଜର ରଖିଛନ୍ତି । ଅନ୍ୟପକ୍ଷରେ ବିଜେପି ଏହାକୁ କାହାକୁ ଦେବା ମୁଡ୍ ରେ ନାହିଁ ।
ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ଏବଂ ଜେଡିୟୁ ସଭାପତି ନୀତୀଶ କୁମାର ବାଚସ୍ପତି ବାଚସ୍ପତି ପଦକୁ ରାଜନୈତିକ 'ବୀମା' ଭାବରେ ଦେଖୁଛନ୍ତି । ତେଣୁ ଏହାକୁ ନିଜ ହାତରେ ରଖିବାକୁ ଉଭୟ ସହଯୋଗୀ ଦାବି କରୁଛନ୍ତି । ପ୍ରମୁଖ ସହଯୋଗୀ ଦଳ ଟିଡିପି ଓ ଜେଡିୟୁକୁ ଦୁଇଟି ଲେଖାଏଁ ମନ୍ତ୍ରୀପଦ ମଧ୍ୟ ମିଳିଛି । ଗୋଟିଏ କ୍ୟାବିନେଟ୍ ଓ ଗୋଟିଏ ରାଷ୍ଟ୍ରପାହ୍ୟା ମନ୍ତ୍ରୀପଦ ମିଳିଛି । ହେଲେ ଲୋକସଭା ବାଚସ୍ପତି ଉପରେ ଦୁଇ ଦଳର ରହିଛି ନଜର ।

କାହିଁକି ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ପଦ ?
ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଶାସକ ଦଳ ମଧ୍ୟରେ ବିଦ୍ରୋହର ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁ କାରଣରୁ ଦଳ ମଧ୍ୟରେ ବିଭାଜନ ଦେଖାଦେଇଛି ଏବଂ ରାଜ୍ୟ ସରକାର ମଧ୍ୟ ଅନେକ ସ୍ଥାନରେ ହରଡ଼ଘଣାରେ ପଡ଼ିଛନ୍ତି ।
ଏହି ପରିପ୍ରେକ୍ଷୀରେ ବିରୋଧୀ ଆଇନ ପ୍ରଯୁଜ୍ୟ ଏବଂ ଏହି ଆଇନ ଗୃହର ବାଚସ୍ପତିଙ୍କୁ ଏକ ଶକ୍ତିଶାଳୀ ପଦ ପ୍ରଦାନ କରିଥାଏ । ଆଇନ ଅନୁଯାୟୀ, ଗୃହରେ ସଦସ୍ୟଙ୍କ ଅଯୋଗ୍ୟତା ସମ୍ବନ୍ଧୀୟ ବିଷୟ ଉପରେ ନିଷ୍ପତ୍ତି ନେବାକୁ ଗୃହ ବାଚସ୍ପତିଙ୍କର ଅଧିକାର ରହିଛି । ବାଚସ୍ପତି ଗୋଟିଏ ଦଳରୁ ନିର୍ବାଚିତ ହୋଇ ସାଂସଦ ହୋଇଥିଲେ ମଧ୍ୟ ଗୃହରେ ତାଙ୍କର ଭୂମିକା ନିରପେକ୍ଷ ରହିଥାଏ । ବୈଠକର ଏଜେଣ୍ଡା, କେଉଁ ବିଲ୍ ଉପରେ କେବେ ହେବ ଭୋଟିଂ, କିଏ ଭୋଟ୍ କରିବେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶେଷ ନିଷ୍ପତ୍ତି ନିଅନ୍ତି ବାଚସ୍ପତି । ବିରୋଧୀ ଦଳ ନେତାଙ୍କୁ ମାନ୍ୟତା ବି ଦିଅନ୍ତି ବାଚସ୍ପତି । ଏହି କାରଣରୁ ଉଭୟ ନେତା ଏହି ପଦବୀ ଉପରେ ନଜର ରଖିଛନ୍ତି ।
ଏହା ଉପରେ କାହିଁକି ସମସ୍ତହ୍କ ନଜର ?
ରାଜନୀତରେ ଧୁରନ୍ଧର ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାର ଲୋକସଭା ବାଚସ୍ପତି ପଦକୁ ଦାବି କରୁଛନ୍ତି । ପୂର୍ବରୁ ଅନେକ ଥର ସରକାରରେ ରହିଥିବା ଦଳରେ ବିଦ୍ରୋହ ଦେଖା ଦେବା ସହ କେତେକ ସ୍ଥାନରେ ସରକାର ବି ଭାଙ୍ଗିଛି । ଏଭଳି ସ୍ଥିତିରେ ବାଚସ୍ପତିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ସେହିପରି ବିଦ୍ରୋହ କ୍ଷେତ୍ରରେ ଗୃହର ସଦସ୍ୟଙ୍କ ଅଯୋଗ୍ୟତା ନେଇ ନିଷ୍ପତ୍ତି ବାଚସ୍ପତି ନେଇପାରିବେ । ନୀତିଶ କୁମାର ପୂର୍ବରୁ ବି ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । ତେଣୁ ନୀତିଶ ହୁଅନ୍ତୁ କି ନାଇଡୁ, କୌଣସି ମତେ ନିଜ ଦଳରେ ବିଦ୍ରୋହ ଆଶଙ୍କାରେ ରହିବାକୁ ଚାହୁଁନାହାନ୍ତି । ଆଉ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ବାଚସ୍ପତି ପଦ ନିଜ ହାତରେ ରଖିବାକୁ ଚାହୁଁଛନ୍ତି
କାହିଁକି ଅମଙ୍ଗ ବିଜେପି ?
ବାଚସ୍ପତିଙ୍କ ପାଖରେ ଅନେକ ସାମ୍ବିଧାନିକ କ୍ଷମତା ରହିଥାଏ । 1999 ମସିହାରେ ଅଟଳ ବିହାରୀ ବାଜପେୟୀ ସରକାର ଅନାସ୍ଥା ପ୍ରସ୍ତାବ ହାରିବାରେ ଟିଡିପିର ବାଚସ୍ପତିଙ୍କର ଭୂମିକା ରହିଥିଲା । କଂଗ୍ରେସ ସାଂସଦ ଗିରିଧର ଗମାଙ୍ଗ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରେ ବି ଭୋଟ୍ ଦେଇ ପାରିବେ କି ନାହିଁ ସେନେଇ ନିଷ୍ପତ୍ତି ବାଚସ୍ପତି ନେବାର ଥିଲା । ସେତେବେଳର ବାଚସ୍ପତି ଜିଏମ୍ ବାଲଯୋଗୀ ବିବେକ ଆଧାରରେ ଭୋଟ୍ ଦେବାକୁ ରୁଲିଂ ଦେଇଥିଲେ । ଫଳରେ ଗମାଙ୍ଗଙ୍କ ଗୋଟିଏ ଭୋଟରେ ବାଜପେୟୀ ସରକାର ଅନାସ୍ଥା ପ୍ରସ୍ତାବ ହାରିଥିଲା । ତେଣୁ ନିଜ ହାତରେ ଗୁରୁତ୍ବପୂର୍ଣ୍ଣ ବାଚସ୍ପତି ପଦ ରଖିବାକୁ ଚାହୁଁଛି ବିଜେପି ।
ବାଚସ୍ପତି ରେସରେ କିଏ?
ବାଚସ୍ପତି ପଦ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ବରୀ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଡିପିର ପ୍ରତିଷ୍ଠାତା ଏନଟି ରାମାରାଓଙ୍କ ଝିଅ ପୁରନ୍ଦେଶ୍ବରୀଙ୍କୁ ବାଚସ୍ପତି ପଦ ଦେଇପାରେ ବିଜେପି । ସେଥିପାଇଁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନଥିବା କୁହାଯାଉଛି। ସେହିପରି ଗତଥରର ବାଚସ୍ପତି ଓମ୍ ବିର୍ଲା ଏଥର ମଧ୍ୟ ବାଚସ୍ପତି ହୋଇପାରନ୍ତି । ତାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନି । ଓମ୍ ବିର୍ଲାଙ୍କ ନାଁ ବିଜେପି ରାଷ୍ଟ୍ରୀୟ ସଭାପତି ପଦ ପାଇଁ ବି ଚର୍ଚ୍ଚାରେ ରହିଛି । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ମଧ୍ୟ ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ରହିଛି। ମୋଦି ଓ ଅମିତ ଶାହାଙ୍କ ସହ ଘନିଷ୍ଠତା ସହ ସଂସଦୀୟ ବ୍ୟାପାରରେ ଭର୍ତ୍ତୃହରିଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ବାଚସ୍ପତି ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications