ଶିଶୁ ମନ୍ଦିର ଗୁରୁଜୀ ରୁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସବୁ କଲ୍ପନା ଜଲ୍ପନା ଉପରେ ବିଜେପି ଲଗାଇଲା ବିରାମ । ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ଦଳ । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ ମାଝୀ ।
ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଅଧିକ କିଛି
ମୋହନ ମାଝୀ ହେଉଛନ୍ତି ଓଡ଼ିଶାରେ ବିଜେପିର ବଡ଼ ଆଦିବାସୀ ଚେହେରା । ୧୯୭୨ ମସିହା ଜାନୁଆରୀ ୬ ତାରିଖରେ କେନ୍ଦୁଝରର ରାଉକଳା ଗାଁରେ ଜନ୍ମଗ୍ରହଣ କରିଥିଲେ ମୋହନ ମାଝୀ । ସେ କଳା ଏବଂ ଢେଙ୍କାନାଳ ଲ କଲେଜରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ୨୦୧୧ରେ ଆହ୍ଲାବାଦ ବିଶ୍ୱ ବିଦ୍ୟାଳୟରୁ ଏମଏ ପାସ୍ କରିଛନ୍ତି ଓ ବାପା ହେଉଛନ୍ତି ସ୍ୱର୍ଗତ ଗୁଣମଣି ମାଝୀ ।
ପ୍ରଥମେ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଥିଲେ ମୋହନ । ଶିଶୁ ମନ୍ଦିର ଗୁରୁଜୀରୁ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୯୯୭ରୁ ରାଇକଲାରୁ ସରପଞ୍ଚ ଭାବେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୦୦ ମସିହାରେ କେନ୍ଦୁଝର ସଦରରୁ ବିଜେପି ଟିକେଟରେ ନିର୍ବାଚନ ଲଢି ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୪, ୨୦୧୯ ଓ ୨୦୨୪ରେ ବିଜେପି ଟିକେଟ୍ରେ କେନ୍ଦୁଝର ଆସନରୁ ବିଜୟୀ ହୋଇଛନ୍ତି ।

୨୦୧୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଅଭିରାମ ନାଏକ ତାଙ୍କୁ ୮,୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପୁଣିଥରେ ୨୦୧୯ରେ ସେ ବିଧାନସଭାକୁ ଫେରିଥିଲେ । ଆଉ ବିଜେପି ତାଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଥିଲା । ମୋହନ ନିଜର ବଳିଷ୍ଠ ଯୁକ୍ତି ଓ ଆଦିବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବିଧାନସଭାରେ ବେଶ୍ ଶାଣିତ ଢଙ୍ଗରେ ନିଜର ସ୍ୱର ଉଠାଇଥାନ୍ତି ।












Click it and Unblock the Notifications