ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କେବେ ? ନିଗମ, ବୋର୍ଡ ଆଶାୟୀଙ୍କ ଲମ୍ବ ଲିଷ୍ଟ
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଠିକ୍ ସମୟରେ ନିଗମ, ବୋର୍ଡ ଏବଂ ଅନ୍ୟାନ୍ୟ ପଦପଦବିରେ ନିଯୁକ୍ତି ଦିଆଯିବ। ହେଲେ କେବେ ଏହା କାର୍ଯ୍ୟକାରୀ ହେବ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି।
କେନ୍ଦ୍ରୀୟ ନେତାଙ୍କ ସହ ବିଚାରବିମର୍ଶ କରି ପଦକ୍ଷେପ ନିଆଯିବ। ବିଭିନ୍ନ ନିଗମ, ବୋର୍ଡର ଅଧ୍ୟକ୍ଷ, ସଭାପତି ଓ ଅନ୍ୟାନ୍ୟ ପଦପଦବି ପାଇଁ ପୂର୍ବରୁ ଦୁଇ ଥର ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ, ସଂଗଠନ ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ଶତାଧିକ ରାଜନୈତିକ ନିଯୁକ୍ତି ଦିଆଯିବାକୁ ଥିବାରୁ ଏହାକୁ ଦୁଇରୁ ତିନିଟି ପର୍ଯ୍ୟାୟରେ ଦିଆଯିବ ବୋଲି ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦ଜଣଙ୍କୁ ନିଯୁକ୍ତି ଦିଆଯାଇପାରେ। ଏହା ପରେ ଯୋଗ୍ୟତା ଏବଂ ଦଳୀୟ ନେତାଙ୍କ ସୁପାରିସ୍କୁ ଭିତ୍ତି କରି ନିଯୁକ୍ତି ଦିଆଯିବ। ଯାହା ବିଜେପିର ରାଷ୍ଟ୍ରୀୟ ସଭାପତି ନିର୍ବାଚନ ସରିବା ପରେ ହେବ ବୋଲି ସେ କହିଛନ୍ତି।

ଦଳୀୟ ମହଲରେ ଆଲୋଚନାଯେ ଜୁଲାଇ ତୃତୀୟ ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ସମ୍ଭାବନା ଅଧିକ। ଏହାପରେ ବିଭିନ୍ନ ନିଗମ, ବୋର୍ଡ ଏବଂ ଅନ୍ୟାନ୍ୟ ପଦପଦବି ପାଇଁ ଦୁଇରୁ ତିନିଟି ପର୍ଯ୍ୟାୟରେ ନିଯୁକ୍ତି ଦିଆଯିବ। ଏସବୁ ପରେ ମନ୍ତ୍ରିମଣ୍ଡଳ କେବଳ ସମ୍ପ୍ରସାରଣ ହେବ ନା ବର୍ତ୍ତମାନର କେତେକ ମନ୍ତ୍ରୀ ବାଦ୍ ପଡ଼ିବେ, ବହୁ ମନ୍ତ୍ରୀଙ୍କ ପାଖରେ ୩ରୁ ୪ଟି ବିଭାଗ ଥିବାରୁ ସେମାନଙ୍କ ହାତରୁ କେଉଁ ବିଭାଗ ଯିବ, ସେମାନଙ୍କ ପସନ୍ଦର ବିଭାଗ ରହିବ ନା ଛଡ଼ାଇ ନିଆଯିବ ସେ ଚିନ୍ତା କ୍ଷମତା କରିଡର୍ରେ ଚର୍ଚ୍ଚା ଜୋର ଧରିଛି। ସବୁଠାରୁ ବଡ଼ କଥା ହେଲା, ମନ୍ତ୍ରୀମାନେ ନିଜର ବର୍ଷକର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ। ତେବେ ସେମାନଙ୍କ ରିପୋର୍ଟକୁ କେତେ ଗୁରୁତ୍ବ ମିଳିଲା, ମନ୍ତ୍ରୀ ପଦ ରହିବ କି ନାହିଁ, ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି। ଆଶାୟୀ ବିଧାୟକମାନେ ବି ଗତକାଲିଠାରୁ କ୍ଷମତା କରିଡର୍ରେ ଧାଁଧପଡ଼ ଆରମ୍ଭ କରିଦେଲେଣି। ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୭୮ଟି ଆସନରେ ଜିତି ସରକାର ଗଠନ କରିଥିଲା।
ଏଥିରେ ଥିଲେ ୫୪ ଜଣ ନୂଆ ବିଧାୟକ, ୨୪ ଜଣ ପୁରୁଣା ବିଧାୟକ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଇ ୨୧ ଜଣ ସଦସ୍ୟ ସାମିଲ୍ ହେବାର ନିୟମ ଥିବାରୁ ପୁରୁଣା ବିଧାୟକମାନେ ଭାବିଥିଲେ ସେମାନଙ୍କ ଭିତରୁ ପ୍ରାୟ ସମସ୍ତେ ମନ୍ତ୍ରୀ ହେବେ। ଦୁଇ ଚାରି ଜଣ ନୂଆ ବିଧାୟକଙ୍କୁ ସ୍ଥାନ ମିଳିପାରେ। କିନ୍ତୁ ଜୁନ୍ ୧୨, ୨୦୨୪ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବ ଏକ ଭିନ୍ନ ବାର୍ତ୍ତା ଦେଲା। ୪ଥର ବିଧାୟକ ହୋଇଥିବା ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ତାଙ୍କ ଟିମ୍ରେ ୧୫ ଜଣଙ୍କୁ ସାମିଲ୍ କଲେ। ସେଥିରେ ଥିଲେ ୭ ଜଣ ପୁରୁଣା ଏବଂ ୮ ଜଣ ନୂଆ ବିଧାୟକ। ପୁରୁଣା ବିଧାୟକମାନେ କ୍ୟାବିନେଟ୍ରେ ସାମିଲ ହୋଇ ନ ଥିବାରୁ ଅଭିମାନ କରିଥିଲେ ହେଁ ୬ଟି ମନ୍ତ୍ରୀ ପଦ ଖାଲି ଥିବାରୁ ଆଶା ରଖିଛନ୍ତି ଯେ କେତେବେଳେ ବି ସେମାନଙ୍କୁ ସୁଯୋଗ ମିଳିପାରେ। ଏପଟେ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ଜିତିଥିବା ବିଧାୟକଙ୍କ ପଲା ଭାରି ରହିଛି। ଏଣୁ ବାକି ୪୬ ଜଣ ନୂଆ ବିଧାୟକଙ୍କ ମଧ୍ୟରୁ ଦଳରେ ଆଧିପତ୍ୟ ରଖିଥିବା ଆଶାୟୀଙ୍କର ବି ମନ୍ତ୍ରୀ ପଦ ଉପରେ ଆଖି ରହିଛି। ହେଲେ ମନ୍ତ୍ରୀ ପଦ କେବେ ପୂରଣ ହେବ, ସେ ରହସ୍ୟ ଆଜି ବି ଅସମାହିତ।
ଉଲ୍ଲେଖଥାଉକି, ବର୍ଷକର ସରକାର ଏ ପର୍ଯ୍ୟନ୍ତ କୌଣସି ନିଗମ, ବୋର୍ଡର ଅଧ୍ୟକ୍ଷ, ସଭାପତି, ବିଭିନ୍ନ କମିସନ୍ର କମିସନ୍ ପଦବି, ରାଜ୍ୟ ଓ ଜିଲ୍ଲା େଯାଜନା ବୋର୍ଡ ସମେତ ଅନ୍ୟ ସରକାରୀ ପଦପଦବିରେ କାହାକୁ ନିଯୁକ୍ତି ଦେଇନାହାନ୍ତି।












Click it and Unblock the Notifications