ଅଶୋଧିତ ତୈଳ ଦାମ୍ ୩୦ ଡଲାର କମିଲାଣି, ଆଉ କେବେ କମିବ ପେଟ୍ରୋଲ, ଡିଜେଲ ଦର ?
ନୂଆଦିଲ୍ଲୀ: ଆଉ କେବେ କମିବ ପେଟ୍ରୋଲ ଓ ଡିଜେଲ ଦର ? ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ କୁହାଯାଇଛି, ତୈଳ ବିତରକ କମ୍ପାନୀ ବିପିସିଏଲ, ଏଚପିସିଏଲ ଏବଂ ଇଣ୍ଡିଆନ ଅଏଲ ପରି କମ୍ପାନୀମାନଙ୍କର ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରେ ଆଉ କ୍ଷତି ହେଉନି । ଅର୍ଥାତ ଏବେ ଲାଭ ମିଳୁଛି । ତେଣୁ ତୈଳ କମ୍ପାନୀ ପେଟ୍ରୋଲ, ଡିଜେଲ ଦର ହ୍ରାସ କରିପାରନ୍ତି ।
ଏଏନଆଇ ପକ୍ଷରୁ କୁହଯାଇଛି, ଓଏମସିର ତ୍ରୟମାସିକ ବ୍ୟବସାୟ ଭଲ ହୋଇଛି ଏବଂ ଆଉ ଏକ ତ୍ରୟମାସିକ ସଫଳତା ପାଇବାକୁ ଯାଉଛନ୍ତି । ତେଣୁ ଓଏମସି ଡିଜେଲ ଓ ପେଟ୍ରୋଲ ଦର କାଟିପାରେ । ନିକଟରେ ସାଉଦି ଆରବ ତୈଳ ଉତ୍ପାଦନ ହ୍ରାସ କରିବାର ନିଷ୍ପତ୍ତି ନେଇଛି । ଏହି ଅନୁସାରେ ଦୈନିକ ଏକ ମିଲିଅନ ବ୍ୟାରେଲ ତୈଳ ଉତ୍ପାଦନ କରିବ ବୋଲି ସୂଚନା ମିଳିଛି ।

ମାତ୍ର ଏ ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ସେହି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଗତବର୍ଷର କ୍ଷତି ଭରଣା ହୋଇନି । ୨୦୨୩ର ପ୍ରଥମ ତିନି ମାସ କମ୍ପାନିଗୁଡ଼ିକ ଲାଗି ଭଲ ଥିଲା । ଏବେବି ଆଉ କିଛି କ୍ଷତି ହେଉନି । ଯଦି ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ବି କମ୍ପାନିଗୁଡ଼ିକର ପ୍ରଦର୍ଶନ ଭଲ ରହିବ ଏବଂ ଆନ୍ତର୍ଜାତିକ ବଜାରରେ ତେଲ ଦାମ୍ କମ୍ ରହିବ ତେବେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ କରିବାର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ୨୦୨୨ ଏପ୍ରିଲ୍ ୬ ପରଠାରୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଅପରିବର୍ତ୍ତିତ ରହିଛି । ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୧୦୪ ଡଲାର ପାଖାପାଖି ଥିଲା । ବର୍ତ୍ତମାନ ସେହି ଦାମ୍ ପ୍ରାୟ ୩୦ ଡଲାର ହ୍ରାସ ପାଇ ୭୬ ଡଲାର ସ୍ତରକୁ ଖସିଆସିଥିଲେ ମଧ୍ୟ ଗ୍ରାହକମାନଙ୍କୁ ତାହାର ଲାଭ ମିଳୁନାହିଁ ।












Click it and Unblock the Notifications