ସେଲ୍ଫି ନେବା ହେଲା କାଳ, ୧୦୦ ଫୁଟ ତଳକୁ ଆସିଲେ ଯୁବତୀ
ବାରମ୍ବାର ତାଗିଦ ସତେ ଶୁଣୁନାହାନ୍ତି । ରିଲ୍ସ ନିଶାରେ ଏମିତି ହେଉଛନ୍ତି ଯୁବ ପିଢ଼ି ଯାହା ଏବେ ଚିନ୍ତାର କାରଣ ହୋଇଛି । ପୁଣି ଜଣେ ଯୁବତୀ ସେଲଫି ନେବା ବେଳେ ୧୦୦ ଫୁଟ୍ ତଳକୁ ଖସି ପଡିଛନ୍ତି।

ସୂଚନା ଅନୁସାରେ, ଜଣେ ଯୁବତୀ ତାଙ୍କ ସାଙ୍ଗମାନଙ୍କ ସହ ମହାରାଷ୍ଟ୍ର ପୁନେର ସତରାଠାରେ ଥିବା ଏକ ପାହାଡିଆ ଅଞ୍ଚଳ ବୁଲିବାକୁ ଯାଇଥିଲେ। ଏହି ସମୟରେ ପାହାଡର ଉଚ୍ଚ ସ୍ଥାନକୁ ଯାଇ ସେଲଫି ନେଉଥିଲେ। ହଠାତ୍ ଗୋଡ଼ ଖସିଯିବାରୁ ସେ ୧୦୦ ଫୁଟ ଘାଟି ତଳକୁ ଖସି ପଡ଼ିଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ସହାୟତାର ହାତ ବଢାଇଥିଲେ। ଜଣେ ଯୁବକ ଦଉଡ଼ି ସାହାଯ୍ୟରେ ଘାଟି ତଳକୁ ଯାଇ ସେଠାରୁ ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସୌଭାଗ୍ୟବଶତଃ ଯୁବତୀଙ୍କ ଜୀବନ ରକ୍ଷା ପାଇଯାଇଛି ସତ, କିନ୍ତୁ ତାଙ୍କ ଶରୀରରେ ଏକାଧିକ ଆଘାତ ଲାଗିଛି।
ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କୁ ଉଦ୍ଧାର କରିବା ସମୟରେ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ବାରମ୍ବାର ଏପରି ଖବର ସାମ୍ନାକୁ ଆସୁଥିଲେ ମଧ୍ୟ ପିଲାମାନେ ଏଥିପ୍ରତି ସତର୍କ ନ ରହିବା ଏକ ବିଡମ୍ବନା।
ନିକଟରେ ମହାରାଷ୍ଟ୍ରର ଜଣେ ସୋଶାଲ ମିଡିଆ ଇନଫ୍ଲୁଏନ୍ସଙ୍କର ଏହି କାରଣରୁ ମୃତ୍ୟୁ ଘଟିଥିଲା। ସେ ସେଲଫି ନେବା ବେଳେ ୩୦୦ ଫୁଟ ଘାଟି ତଳକୁ ଖସି ପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ ପାହାଡିଆ ଅଞ୍ଚଳ, ଘଞ୍ଚ ଜଙ୍ଗଲ ଏବଂ ଜଳପ୍ରପାତ ଆଦି ବୁଲିଯିବା ବେଳେ ସତର୍କତା ଅବମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications