କେବେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ଵାର ?
ପୁରୀ: ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ନେଇ ଜୋର ଧରିଲା ଦାବି । କେବେ ଖୋଲିବ ଚାରି ଦ୍ଵାର ? କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଦିନକୁ ଦିନ ଲମ୍ବା ହେଉଛି। ଲାଇନ୍। ରଥଯାତ୍ରା ପରେ ଚାରି ଦୁଆର ଖୋଲିବା ନେଇ ସମନ୍ୱୟ ବୈଠକରେ ଆଲୋଚନା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କିଛି ହୋଇ ନାହିଁ। ଇତି ମଧ୍ୟରେ ଚାରି ଦୁଆର ଖୋଲିବା ନେଇ ସଚେତନ ନାଗରିକ ମଞ୍ଚ ତରଫରୁ ଏକଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।
ପର୍ବପର୍ବାଣୀରେ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଉଛି ଲାଇନ୍। ଲାଇନରେ ଛିଡା ହୋଇ ବହୁ ଭକ୍ତ ଦୁର୍ଦ୍ଦଶା ଭୋଗୁଛନ୍ତି। ଦୀର୍ଘ ସମୟ ଲାଇନରେ ଠିଆ ହୋଇ ଅନେକ ଭକ୍ତ ବେହୋସ୍ ହୋଇ ପଡ଼ୁଛନ୍ତି। ଅନେକ ବୃଦ୍ଧ, ମହିଳା, ଛୋଟ ପିଲା ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପାରୁନାହାନ୍ତି। ଜଗନ୍ନାଥ୍ ଦର୍ଶନ ପାଇଁ ଆସିଥିବା ଭକ୍ତ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ଅଶାନ୍ତିରେ ଫେରୁଛନ୍ତି।

ଚାରି ଦୁଆର ନଖୋଲାହେବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପ୍ରତିଦିନ ପୁରୀ ବାସିନ୍ଦା ମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି।କିନ୍ତୁ ବିଡମ୍ବନା ବିଷୟ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଅନ୍ୟ ଦ୍ବାର ବାଟରେ ଛଡାଯାଉନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି।
ଚାରି ଦୁଆର ଖୋଲି ଭକ୍ତଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ ଉପରେ ଦାବୀ ଜୋର ଧରିଛି। ତେବେ ଏ ସବୁ ଦାବୀ ସତ୍ତ୍ୱେ ଶ୍ରୀ ମନ୍ଦିର ପ୍ରଶାସନ କଣ ନିଷ୍ପତି ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଖୁବଶୀଘ୍ର ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ଛତିଶା ନିଯୋଗକୁ ସଚେତନ ନାଗରିକ ମଞ୍ଚ ଭେଟି ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବାରେ ହସ୍ତକ୍ଷେପ କରିବାକୁ ଦାବି କରାଯିବ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସଚେତନ ନାଗରିକ ମଞ୍ଚ ଦାବି କରିଛି।












Click it and Unblock the Notifications