କଣ ଏହି ଛେରା ପହଁରା ନୀତି, କିଏ ଆରମ୍ଭ କରିଥିଲେ , ଜାଣନ୍ତୁ ପୁରା ଇତିହାସ
ବିଭିନ୍ନ ପ୍ରାଚୀନ ଗ୍ରନ୍ଥ, କାବ୍ୟ ଇତ୍ୟାଦିରେ ଛେରା ପହଁରା ନୀତି ଯେଉଁ ଭାବରେ ବର୍ଣ୍ଣିତ ହୋଇଛି, ତାହା ଦୀର୍ଘ ଏକ ଶହ ବର୍ଷ ମଧ୍ୟରେ ସେପରି ଭାବରେ ଅନୁଷ୍ଠିତ ହେଉନଥିବା ଜଣାଯାଏ । କେତେକ ଐତିହାସିକ, ପ୍ରାବନ୍ଧିକ ଏବଂ ଗବେଷକମାନଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ୍ଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ (ସାନ୍ତରା) କୁଞ୍ଜ ମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ ୧୪୫୬ ଶକାବ୍ଦରେ ଶ୍ରୀଚୈତନ୍ୟ ଚକଡା଼ ପୋଥି ରଚନା ଶେଷ କରି ତାହା ପ୍ରତାପରୁଦ୍ର ଦେବଙ୍କୁ ଅର୍ପଣ କରିଥିଲେ।

ଏଠାରେ ବର୍ଣ୍ଣିତ ହୋଇଥିବା ଛତାତଳ ଅର୍ଥ ସିଂହଦ୍ୱାରଠାରେ ଅବସ୍ଥିତ ବଡ଼ଛତା ମଠଠାରୁ ରଥ ପର୍ଯ୍ୟନ୍ତ । ଏପରିକି ଚୈତନ୍ୟଙ୍କ ତିରୋଧାନର ୮୦ବର୍ଷ ପରେ କୃଷ୍ଣ ଦାସ କବିରାଜ ଗୋସ୍ୱମୀଙ୍କ ପ୍ରଣୀତ ଶ୍ରୀଚୈତନ୍ୟ ଚରିତାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ଉଲ୍ଲେଖ ଅଛି ଯେ,
ତବେ ପ୍ରତାପରୁଦ୍ର କରେ ଆପନ ସେବନ
ସୁବର୍ଣ୍ଣ ମାର୍ଜନୀ ଲେୟା କରେ ପଥ ସମ୍ମାର୍ଜନ
ଚନ୍ଦନ ଜଳେତେ କରେନ ପଥ ନିଷିଞ୍ଚବେ
ତୁଚ୍ଛ ସେବା କରେ ବୈସେ ରାଜ ସିଂହାସନେ
ଉତ୍ତମ ହେୟା ରାଜା କରେ ତୁଚ୍ଛ ସେବନ ।
ପଥ କହିଲେ ରାସ୍ତାକୁ ବୁଝାଯାଉଅଛି। ସୁତରାଂ ସେହି ସମୟରେ ଠାକୁରମାନେ ପହଣ୍ଡି ହୋଇ ଆସୁଥିବା ରାସ୍ତାକୁ ସୁବର୍ଣ୍ଣ ମାର୍ଜନୀରେ ଗଜପତିମାନେ ସଫାକରି ଭକ୍ତିଭାବର ପରିଚୟ ଦେଉଥିଲେ । ଇଂରେଜ ପ୍ରଶାସକ ଜନ ବିମସ (୧୮୬୯-୧୮୭୭)ଙ୍କଦ୍ୱାରା ରଚିତ Memories of a Bengal Civilian ପୁସ୍ତକର ୩୨୩ ପୃଷ୍ଠାର ଶେଷଭାଗରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଜଗନ୍ନାଥ ରଥରେ ବସିଯିବାର ବଡ଼ ଉତ୍ସବ ଦିନ ରାଜା ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି । ଏଥିରୁ ଅନୁମିତ ହୁଏ ଯେ, ଗଜପତି ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଠାକୁରମାନଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ଆଗରେ ପାହଚ ଓ ରାସ୍ତକୁ ସୁନା ଖଡି଼କାରେ ଓଳାଇବା ବିଧି ବଳବତ୍ତର ଥିଲା । ମାତ୍ର ତାଙ୍କ ରୁଗ୍ଣ ପୁତ୍ର ରାଜା ମୁକୁନ୍ଦ ଦେବଙ୍କ ସମୟରେ ରଥ ଉପରର ଚତୁଃପାର୍ଶ୍ୱ ଛେରା ପହଁରାର ନୂତନ ବିଧି ବିଧାନ ହୋଇଥିଲା ଏବଂ ଏହି ପ୍ରଥା ଅଦ୍ୟାବଧି ଅନୁସୃତ ହୋଇ ଆସୁଅଛି।












Click it and Unblock the Notifications