ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ସବୁଆଡେ ଗହଳି ଚହଳି
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଉଠୁଛି ପଡୁଛି ପୂରା ପଶ୍ଚିମ ଓଡିଶା । ସବୁଆଡେ ଲାଗିଛି ଗହଳି ଚହଳି । ଇଷ୍ଟ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ଏହାପରେ ଏକାଠି ହୋଇ ପରିବାର ଲୋକେ ନବାନ୍ନ ଖାଇଛନ୍ତି ।
ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଉଠୁଛି ପଡୁଛି ପୂରା ପଶ୍ଚିମ ଓଡିଶା । ସବୁଆଡେ ଲାଗିଛି ଗହଳି ଚହଳି । ଇଷ୍ଟ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ଏହାପରେ ଏକାଠି ହୋଇ ପରିବାର ଲୋକେ ନବାନ୍ନ ଖାଇଛନ୍ତି । ପରେ ଗୁରୁଜନଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ପରିବାରରେ ପିଠାପଣା ଠାରୁ ଆରମ୍ଭ କରି ନବାନ୍ନ ପ୍ରସ୍ତୁତ ହୋଇଛି ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହୋଇଛି । ପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇଛନ୍ତି । ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ ଶୋଭାଯାତ୍ରା । ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ମାଆଙ୍କ ଲାଗି ଚୁଡି, ଗହଣା, ଶାଢି ଆଉ ପନିପରିବା ଲାଗି ହୋଇଛି । ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର । ଦୁଇ ବର୍ଷର କରୋନା ମହାମାରୀ ପରେ ଏଥର ଧୁମଧାମରେ ନୂଆଁଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଘରମୁହାଁ ସଂପର୍କୀୟ ଓ ବନ୍ଧୁବାନ୍ଧବ ଯିଏ ଯେଉଁଠି , ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ଫେରୁଛନ୍ତି ।
ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲଗା ଯାଇଛି । ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯିବ । ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ସମସ୍ତ ଗାଁ, ସହରର ଦୋକାନ ବଜାରରେ ପ୍ରବଳ ଭିଡ଼ ଲାଗିଛି ।
ସେପଟେ କଳାହାଣ୍ଡି ଜିଲ୍ଲାରେ ଦୁଇ ଦିନ ନୂଆଁଖାଇ ପାଳନ ହେବ । ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲଗ୍ନରେ ନୂଆଖାଇ ହେବ । ତେବେ ପୁରପଲ୍ଲୀରେ ଆଜି ଭାଦ୍ରବ ପଞ୍ଚମୀ ତିଥିରେ ଦଧିବାମନଙ୍କ ଲଗ୍ନରେ ନୂଆଁଖାଇ ପାଳନ ହେଉଛି । ସକାଳ ୭ଟା ୧୨ରୁ ୭ଟା ୨୬ ମିନିଟ୍ ମଧ୍ୟରେ ଦଧିବାମନଙ୍କପାଖରେ ନବାନ୍ନ ଲାଗି ହୋଇଛି । ଏହାପରେ ଦିନ ୧୦.୩୦ରୁ ୧୧.୩୦ ମଧ୍ୟରେ ଲୋକେ ନବାନ୍ନଭକ୍ଷଣ କରିବେ ।












Click it and Unblock the Notifications