Weather Updates: ଆଜିଠାରୁ ତାତିରେ ଲାଗିବ ବ୍ରେକ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସହିତ ପବନ ହେବ
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶା ଏବେ ଜଳୁଛି। ଏହାରି ମଧ୍ୟରେ ଆଶ୍ୱସ୍ତିକର ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ ରବିବାର ଠାରୁ ରାଜ୍ୟରେ କାଳବୈଶାଖି ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ରହିଛି। ଏହା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ।

ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ କାଳାବୈଶାଖୀ ଭୟ ମଧ୍ୟ ରହିଛି। ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଆଦି ଜିଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁର ଆଦି ଜିଲାରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି। ଅପରାହ୍ନ ଓ ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶା, ସୁନ୍ଦରଗଡ଼, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି।
କେତେକ ଜିଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାକୁ ଥିବାବେଳେ ଅନ୍ୟ କିଛି ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମେ' ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପ୍ରଭାବ ଜାରି ରହିବ ବୋଲି ସୂଚନା ଦିଆଯାଇଛି।












Click it and Unblock the Notifications